ଆମ୍ବେଦକର ଲୋହିଆ ବିଚାରମଞ୍ଚର ରାଜ୍ୟ କମିଟି ବୈଠକ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ରାଜ୍ୟର ଦଳିତ ଆଦିବାସୀ ସମେତ ଅନ୍ୟାନ୍ୟ ଦୁର୍ବଳ ଶ୍ରେଣୀର ମାନବ ଅଧିକାର ଓ ଆତ୍ମସମ୍ମାନ ନିମନ୍ତେ କାର୍ଯ୍ୟକରି ଆସୁଥିବା ଅଗ୍ରଣୀ ଗଣସଂଗଠନ ଆମ୍ବେଦକର ଲୋହିଆ ବିଚାର ମଞ୍ଚର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ ‘ରାଜ୍ୟ କମିଟି’ ବୈଠକ ମଞ୍ଚର ଭୁବନେଶ୍ୱରସ୍ଥ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟର ପ୍ରାୟ ୧ କୋଟି ୯୦ ଲକ୍ଷ ଦଳିତ ଆଦିବାସୀମାନଙ୍କ ଉପରେ ଘଟି ଚାଲିଥିବା ନିର୍ଯ୍ୟାତନା ଘଟଣାଗୁଡ଼ିକରେ ନ୍ୟାୟ ନିମନ୍ତେ ହସ୍ତକ୍ଷେପ କରାଯିବା ସହିତ ଏମାନଙ୍କର ଆର୍ଥିକ ଅଧିକାର ସାବ୍ୟସ୍ତ କରିବା ପାଇଁ ବିଧିବଦ୍ଧ କାର୍ଯ୍ୟକ୍ରମ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।ଉଲ୍ଲେଖଯୋଗ୍ୟ ଯେ ଆମ୍ବେଦକର ଲୋହିଆ ବିଚାର ମଞ୍ଚ ୧୯୯୪ ମସିହାରେ ପ୍ରତିଷ୍ଠିତ ହୋଇ ସାମାଜିକ ନ୍ୟାୟ ନିମନ୍ତେ କାର୍ଯ୍ୟ କରିଆସୁଛି । ରାଜ୍ୟରେ ଏସ୍ସି, ଏସ୍ଟି ନିର୍ଯ୍ୟାତନା ନିବାରଣ ଆଇନ୍ ଲାଗୁ କରିବା ପାଇଁ ମଞ୍ଚ ଅବିରତ ଭାବରେ କାର୍ଯ୍ୟ କରିଛି । ଏହି ଆଇନର ଓଡ଼ିଆ ଅନୁବାଦ ପୁସ୍ତିକା ପ୍ରକାଶନ ଓ ବଣ୍ଟନ ଏବଂ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଏ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହିତ ତଥ୍ୟାନୁସନ୍ଧାନ ଓ ମାମଲାଗୁଡ଼ିକର ତଦାରଖ କରିବା ଆଦି, ବିଚାର ମଞ୍ଚର ଅନ୍ୟତମ କାର୍ଯ୍ୟକ୍ରମ ରହିଆସିଛି । ବିବରଣୀରୁ ଜଣାଯାଏ ଯେ ୨୦୧୬ ମସିହାରୁ ୨୦୧୯ ମସିହା ମଧ୍ୟରେ ବିଚାର ମଞ୍ଚ ହସ୍ତକ୍ଷେପ କରିଥିବା ୧୨୬ଟି ନିର୍ଯ୍ୟାତନା ଘଟଣାରେ ୩ କୋଟି ୮ ଲକ୍ଷ ଟଙ୍କା ସହାୟତା ରାଶି ସୁପାରିଶ ହୋଇଥିଲା ବେଳେ ୧ କୋଟି ୫୨ ଲକ୍ଷ ଟଙ୍କା ନିର୍ଯ୍ୟାତିତମାନଙ୍କୁ ପ୍ରଦାନ କରାଯାଇଛି । ମଞ୍ଚର ସଭାପତି ସଂଗ୍ରାମ ମଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କମିଟି ବୈଠକରେ ଆଲୋଚନା କରାଯାଇ ନିର୍ଯ୍ୟାତନା ଘଟଣାରେ ହସ୍ତକ୍ଷେପ ବ୍ୟତୀତ ଏହିସବୁ ଦୁର୍ବଳ ବର୍ଗର ତ୍ୱରିତ ବିକାଶ ନିମନ୍ତେ ଆର୍ଥିକ ଅଧିକାର ସାବ୍ୟସ୍ତ କରିବା ପାଇଁ କାର୍ଯ୍ୟକ୍ରମମାନ ଗ୍ରହଣ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏଥି ସହିତ ଶିଶୁ ଅଧିକାର ଓ ବିପର୍ଯ୍ୟୟ ପରିଚାଳନାର ଅନ୍ତର୍ଭୁକ୍ତୀକରଣ ନିମନ୍ତେ ମଧ୍ୟ କାର୍ଯ୍ୟ କରିବାକୁ ସ୍ଥିର କରାଯାଇଛି ।ଏହି ରାଜ୍ୟ କମିଟି ବୈଠକରେ ସଭାପତି ଶ୍ରୀ ମଲିକଙ୍କ ବ୍ୟତୀତ ମଞ୍ଚର ସାଧାରଣ ସମ୍ପାଦକ କିସାନ ପଟ୍ଟନାୟକ, ସମ୍ପାଦକ ତପନ କୁମାର ସାମଲ, ସୟଦ ଅବୁଲ କାଲାମ ଆଜାଦ, ଅଭିମନ୍ୟୁ ସେଠୀ ପ୍ରମୁଖ ସଦସ୍ୟମାନେ ଯୋଗ ଦେଇଥିଲେ । ଏଥିରେ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ରୂପେ ଯୋଗ ଦେଇଥିବା ବହୁଜନ ଆନ୍ଦୋଳନର ବରିଷ୍ଠ ସଂଗଠକ ଅରବିନ୍ଦ ମଲିକଙ୍କୁ ବିଚାର ମଞ୍ଚର ରାଜ୍ୟ କମିଟି ସଦସ୍ୟ ରୂପେ ଗ୍ରହଣ କରାଯାଇଛି ।