ବାରବାଟୀ ଫୁଡକୋର୍ଟ ଅନିୟମିତତା ଅଭିଯୋଗ, ସ୍ପଷ୍ଟୀକରଣ ରଖିଲା ସିଏମସି
କଟକ(ଓ୍ବାଇଏନଏସ): ବାରବାଟୀ ଫୁଡକୋର୍ଟ ପାଇଁ ଦୋକାନ ଆବଣ୍ଟନ ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ନେଇ ସ୍ଥାନୀୟ ବିଧାୟିକାଙ୍କ ଅଭିଯୋଗ ପରେ ସ୍ପଷ୍ଟୀକରଣ ରଖିଛି ସିଏମସି । ଗତକାଲି(ଶନିବାର) ମେୟର ଏବଂ କମିଶନର ମିଳିତ ପ୍ରେସମିଟ କରି ଏହା ଉପରେ ସ୍ପଷ୍ଟୀକରଣ ରଖିଛନ୍ତି । ମେୟର କହିଛନ୍ତି ଆବଣ୍ଟନ ପ୍ରକ୍ରିୟା ପୂରା ସ୍ୱଚ୍ଛତାର ସହ ହୋଇଛି । ଏହି ପ୍ରକ୍ରିୟା ଅର୍ବାନ ନିୟମକୁ ମାନି କରାଯାଇଛି । ତେଵେ କମିଶନର ମଧ୍ୟ ସମାନ କଥା ଦୋହରାଇଛନ୍ତି । ସିଏମସି କମିଶନର କିରଣଦୀପ କୌର ସହୋତା କହିଛନ୍ତି, ‘ଏହି ପ୍ରକ୍ରିୟାରେ କୌଣସି ଅନିୟମିତତା ହୋଇନାହିଁ । କୌଣସି ବ୍ୟବସାୟୀ ମଧ୍ୟ ଏନେଇ ଅଭିଯୋଗ କରି ନାହାଁନ୍ତି ।’ ଯଦି କାହାର ସମସ୍ୟା ରହିଥିବ ଟୋଲ ଫ୍ରି ନମ୍ବରରେ ଯୋଗାଯୋଗ କରିପାରିବ ବୋଲି କମିଶନର ସ୍ପଷ୍ଟ କରିଛନ୍ତି । ଏହି ଘଟଣାକୁ ନେଇ ମେୟର-ବିଧାୟକ ମୁହାଁମୁହିଁ ହୋଇଛନ୍ତି । ସିଏମସି ମେୟର ସୁବାସ ସିଂ ଏବଂ ବାରବାଟୀ କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋଷ ବାରବାଟୀ ଫୁଡକୋର୍ଟକୁ ନେଇ ପୁଣି ତୁତୁ ମେଁ ମେଁ ହୋଇଛନ୍ତି । ଏମିତିକି ଉଭୟ ଉଭୟଙ୍କୁ ବ୍ୟକ୍ତିଗତ ଆକ୍ଷେପ କରିବାକୁ ମଧ୍ୟ ପଛାଇ ନାହାନ୍ତି । ପ୍ରେସମିଟରେ ସୋଫିଆ ସିଏମସି ଦ୍ୱାରା ପ୍ରସ୍ତୁତ ହୋଇଥିବା ଫୁଡକୋର୍ଟ ଆବଣ୍ଟନ ଏସଓପିକୁ ଚିରି ଫିଙ୍ଗି ଦେଇଥିଲେ ସିଧାସଳଖ ମେୟରଙ୍କୁ ଟାର୍ଗେଟ କରି କହିଥିଲେ ଦୁର୍ନୀତିଗ୍ରସ୍ତ ମେୟର ନିଜ ଲୋକଙ୍କୁ ଦୋକାନ ଆବଣ୍ଟନ କରିଛନ୍ତି । ଅନ୍ୟପଟେ ସୁବାଷ ମଧ୍ୟ ସୋଫିଆଙ୍କୁ କଡା କାଉଣ୍ଟର କରିଥିଲେ । କଟକ ବାରବାଟୀ ଷ୍ଟାଡିୟମ ନିକଟରେ ହୋଇଥିବା ଫୁଡକୋର୍ଟ ଆବଣ୍ଟନରେ ବଡ ଧରଣର ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛନ୍ତି ସୋଫିଆ । ଏମିତିକି ସିଧାସଳଖ ମେୟର ସୁବାସ ସିଂକୁ ଟାର୍ଗେଟ କରିଛନ୍ତି ସୋଫିଆ କହିଛନ୍ତି ସିଏମସିରେ ଦୁର୍ନୀତିରେ ବୁଡି ରହିଛନ୍ତି ମେୟର ସୁବାସ ସିଂ, ଆଉ ଏହି ଫୁଡ୍ କୋର୍ଟ ଆବଣ୍ଟନରେ ମଧ୍ୟ ସେ ନିଜେ ସଂପୃକ୍ତି । ତାଙ୍କ ନିଜ ଲୋକଙ୍କୁ ଫୁଡକୋର୍ଟ ଦୋକାନ ଘର ଆବଣ୍ଟନ କରିଥିବା ସହ ବାକି ଥିବା ଦୋକାନ ପାଇଁ ଯେଉଁ ଏସଓପି କରିଛନ୍ତି ତାହା କିଛି ବ୍ୟବସାୟୀଙ୍କୁ ସୁହାଇଲାଭଳି । ପୂର୍ବରୁ ଯେଉଁ ସର୍ଭେ ହୋଇଛି ତାହା ଠିକ୍ ହୋଇନାହିଁ ଅନେକ ବ୍ୟବସାୟୀ ଏଥିରୁ ବାଦ ପଡ଼ିଛନ୍ତି ଏବଂ ନୂଆ ଏସଓପି ଯେଉଁ କରିଛନ୍ତି ସେଥିରେ ଫୁଡ ଲାଇସେନ୍ସ, ଟ୍ରେଡ ଲାଇସେନ୍ସ, ଆୟକର ରିଟର୍ଣ୍ଣ ଦେଉଥିବା ବ୍ୟବସ୍ୟାୟୀ ରହିପାରିବେ । ଏଭଳି ହେଲେ ଅନେକ ନୂଆ ଓ ଛୋଟ ବ୍ୟବସାୟୀ ନିରାଶ ହେବେ । ସେପଟେ ବିଧାୟିକା ସୋଫିଆ ମେୟର ସୁବାସ ସିଂଙ୍କୁ ଦୁର୍ନୀତି ଗ୍ରସ୍ତ କହିବା ପରେ ଏହାର କଡା ଜବାବ ଦେଇଛନ୍ତି ମେୟର । ‘ସୋଫିଆଙ୍କ ପରିବାର ଦୁର୍ନୀତିରେ ବୁଡି ରହିଛନ୍ତି ସେ ଦୁର୍ନୀତି ବାବଦରେ କଣ କହିବେ । ତାଙ୍କ କାମ ପ୍ରତ୍ୟେକ ଦିନ ସିଏମସି ବିରୋଧରେ କହିବା ।’ ସିଏମସି କମିଶନରଙ୍କ ଅଧ୍ୟକ୍ଷତାରେ ଫୁଡ୍ କୋର୍ଟ ଆବଣ୍ଟନ କମିଟି ଗଠନ ହୋଇଛି । ଦୁଇଜଣ ପୂର୍ବତନ ବିଚାରପତି ମଧ୍ୟ କମିଟିରେ ଅଛନ୍ତି । ସମସ୍ତ ୪୫ ଦୋକାନୀଙ୍କୁ ସ୍ୱଚ୍ଛତାର ସହ ଆବଣ୍ଟନ କରାଯାଇଛି ବୋଲି ମେୟର କହିଛନ୍ତି ।


