ସମାଜସେବୀ ଭଗବାନ ରାଉତଙ୍କ ବିୟୋଗରେ କ୍ରିୟାନୁଷ୍ଠାନ କମିଟିର ଶୋକ
ବାଲେଶ୍ୱର (ସରୋଜ ପଣ୍ଡା): ସରକାରୀ ମେଡିକାଲ୍ କଲେଜ୍ ପ୍ରତିଷ୍ଠା କ୍ରିୟାନୁଷ୍ଠାନ କମିଟିର ପ୍ରତିଷ୍ଠାତା ସାଧାରଣ ସଂପାଦକ ତଥା ବରିଷ୍ଠ ସମାଜସେବୀ ଭଗବାନ ରାଉତଙ୍କ ବିୟୋଗରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗଭୀର ଶୋକବ୍ୟକ୍ତ କରାଯାଇଛି। ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ସଭାପତି ନିରଞ୍ଜନ ପରିଡ଼ାଙ୍କ ଅଧ୍ୟକ୍ଷତାରେ କ୍ରିୟାନୁଷ୍ଠାନ କମିଟିର ଜିଲ୍ଲା ଅଫିସ୍ ପରିସରରେ ଶନିବାର ଦିନ ସନ୍ଧ୍ୟାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ସଦସ୍ୟମାନେ ସ୍ୱର୍ଗତ ରାଉତଙ୍କର ସ୍ମୃତିଚାରଣ କରି ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ଗଭୀର ସମବେଦନା ଜଣାଇଥିଲେ। ସ୍ୱର୍ଗତ ରାଉତ ନିଜ ଅଞ୍ଚଳରେ ଶିକ୍ଷାର ପ୍ରସାର ପାଇଁ ପ୍ରାଥମିକ ବିଦ୍ୟାଳୟରୁ ମହାବିଦ୍ୟାଳୟ ପ୍ରତିଷ୍ଠା କରିବାରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ। ତାଙ୍କର ସରକାରୀ ଚାକିରି କାଳରେ ସେ କର୍ମଚାରୀମାନଙ୍କୁ ସଂଗଠିତ କରି ରାଜ୍ୟସ୍ତରରେ ବହୁ ଆନ୍ଦୋଳନର ନେତୃତ୍ୱ ନେଇଥିଲେ।
ଗତ ୨୦୦୫ ମସିହାରେ ବାଲେଶ୍ୱରରେ ଏକ ସରକାର୍ୀ ମେଡିକାଲ୍ କଲେଜ ଓ ଅତ୍ୟାଧୁନିକ ହସ୍ପିଟାଲ ପ୍ରତିଷ୍ଠା ପାଇଁ ଗଠିତ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ସେ ପ୍ରଥମ ସାଧାରଣ ସଂପାଦକ ଭାବେ ଦୀର୍ଘବର୍ଷ ଦାୟିତ୍ୱ ତୁଲାଇଥିଲେ। କ୍ରିୟାନୁଷ୍ଠାନ କମିଟିର ସ୍ୱତନ୍ତ୍ର ପୃଷ୍ଠପୋଷକ ସଭ୍ୟଭାବେ ସେ ଏକ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ସ୍ୱର୍ଗତ ରାଉତ ଜଣେ ସଂଗଠନ ପ୍ରେମୀ ସମାଜସେବୀ ଭାବେ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଂଗଠନର ସଦସ୍ୟ ଓ କର୍ମକର୍ତ୍ତାର ଦାୟିତ୍ୱ ତୁଲାଇଥିଲେ ବୋଲି ଶ୍ରଦ୍ଧାଞ୍ଜଳି ସଭାରେ ସଦସ୍ୟମାନେ ମତବ୍ୟକ୍ତ କରିଥିଲେ।
କ୍ରିୟାନୁଷ୍ଠାନ କମିଟିର ସାଧାରଣ ସଂପାଦକ ପ୍ରଦୀପ ଦାସ, ପୂର୍ବତନ ସଭାପତି ମମତା ମହାପାତ୍ରଙ୍କ ସମେତ ଅର୍ଚ୍ଚନା ନନ୍ଦୀ, ଗୌରାଙ୍ଗ ପାଣିଗ୍ରାହୀ, ଡ. କ୍ଷିତିଶ୍ୱର ଦାସ, ରମେଶ ଚନ୍ଦ୍ର ଜେନା, ସରସ୍ୱତୀ ପଣ୍ଡା, ଇଂ. ବନମାଳୀ ନାୟକ, ଦୟାନିଧି ମହାପାତ୍ର, ପ୍ରଫେସର ଶତ୍ରୁଘ୍ନ ମଲ୍ଲିକ, ଶଚୀନ୍ଦ୍ର ଦାସ ଓ ଅଭୟ ଚନ୍ଦ୍ର ମିଶ୍ର ପ୍ରମୁଖ ସ୍ୱର୍ଗତ ରାଉତଙ୍କ ବହୁବିଧ ଗୁଣାବଳୀର ବର୍ଣ୍ଣନା କରିଥିଲେ। ତାଙ୍କ ଦେହାନ୍ତ ଯୋଗୁଁ କ୍ରିୟାନୁଷ୍ଠାନ କମିଟି ଜଣେ ଦକ୍ଷ ନେତୃତ୍ୱଙ୍କୁ ହରାଇଲା ବୋଲି ସେମାନେ ମତ ଦେଇଥିଲେ। ବିଜନ ଦେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।


