ପାନୀୟ ଜଳ ସଙ୍କଟ ଅଭିଯୋଗ ଶୁଣୁନି ପ୍ରଶାସନ : ସପ୍ତାହେ ହେଲା ଜଳ ଯୋଗାଣ ବନ୍ଦ
ସିନାପାଲି,(ଲିଲାମ୍ବର ନାଗ):ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଟାଣ ଖରା ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିବା ବେଳେ ପାଣି ମୁନ୍ଦାଏ ପାଇବା ପାଇଁ ଲୋକେ ଡହଳ ବିକଳ ହୋଇ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ଦୂଷିତ ଜଳପାନ କରି ଗ୍ରାମର ୨୦ ରୁ ଉର୍ଦ୍ଧ୍ବ ଲୋକ ପ୍ରଭାବିତ ହୋଇ କିଡନୀ ରୋଗରେ ପୀଡିତ ଥିବା ବେଳେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ହେଲେ ଏଭଳି ଏକ ଗାଁ ରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ରୁ ପାଣି ଯୋଗାଣ କୁ ପ୍ରଶାସନ ବନ୍ଦ କରି ଦେଇ ଥିବା ବେଳେ ଅଭିଯୋଗ କଲେ ମଧ୍ୟ ଶୁଣୁ ନ ଥିବାରୁ ଜଳ କଷ୍ଟ ରେ ଗ୍ରାମବାସୀ ଆଉଟୁ ପାଉଟୁ ହୋଇ ଅତିଷ୍ଠ ହୋଇ ପଡିଛନ୍ତି।ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଗୋଡାଳ ଗ୍ରାମ ପଞ୍ଚାୟତ ସ୍ଥିତ ମହଗାଁ ରେ ଏଭଳି ଅଵସ୍ଥା ଲାଗି ରହିଥିବା ବେଳେ ଲୋକେ ନାହିଁ ନ ଥିବା ଅସୁବିଧା ର ସମ୍ବୁଖୀନ ହେଉଛନ୍ତି। ଏହି ସମସ୍ୟା କୁ ନେଇ ବିଭାଗୀୟ ଅଧିକାରୀ ତଥା ପଞ୍ଚାୟତ କର୍ତ୍ତୃପକ୍ଷ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏହି ଗାଁ ର ଚାରି ଆଡେ ଛୋଟ ପାହାଡ ଘେରି ରହିଥିବା ବେଳେ ଗାଁ ରେ ଥିବା ନଳକୂପ ଗୁଡିକରେ ଆବଶ୍ୟକ ପାଣି ବାହାରୁ ନାହିଁ। ଏପରିକି ଯେଉଁ ନଳକୂପ ରହିଛି ସେଠାରେ ଦୂଷିତ ଜଳ ବହାରୁଛି। ଯାହା ଫଳରେ ଲୋକେ ଏହି ଜଳ ବ୍ୟବହାର କରି ଗ୍ରାମର ଅଧିକାଂଶ ଲୋକ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଗାଁ ରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ପ୍ରଶାସନ ପକ୍ଷରୁ ଗୋଡାଳ ଠାରେ ଜଳ ଯୋଗାଣ ଟେଙ୍କ ବସାଇ ସିନାପାଲି ଉଦନ୍ତୀ ନଦୀ ରେ ପ୍ରକଳ୍ପ ନିର୍ମାଣ କରାଯାଇଛି। ହେଲେ ଉଦନ୍ତୀ ନଦୀବର୍ତ୍ତି ଗାଁ ଗୁଡିକ ର ଲୋକେ ଜଳ ସଙ୍କଟ ଆଶା କରି ପ୍ରକଳ୍ପ ରୁ ପାଣି ଛାଡ଼ିବା ପାଇଁ ମନା କରୁଥିବା ପ୍ରକଳ୍ପ ରେ ନିୟୋଜିତ ଥିବା କର୍ମଚାରୀ ମାନେ ପ୍ରକାଶ କରିଛନ୍ତି। ଏଠାରେ ପ୍ରକାଶ ଯୋଗ୍ୟ ଯେ, ଉଦନ୍ତୀ ନଦୀ ରେ ବିଭିନ୍ନ ଅଞ୍ଚଳ କୁ ଜଳ ଯୋଗାଣ ପାଇଁ ଅନେକ ପ୍ରକଳ୍ପ ବସିଛି ହେଲେ ଗୋଡାଳ ଟ୍ୟାଙ୍କ କୁ ଜଳ ଯୋଗାଣ ହେଲେ ଉଦନ୍ତୀ ନଦୀ ରେ ଜଳ ସମସ୍ୟା ଦେଖା ଦେବା କେତେଦୂର ଯୁକ୍ତି ଯୁକ୍ତ ବୋଲି ଲୋକେ ପ୍ରଶ୍ନ କରିଛନ୍ତି। କର୍ମଚାରୀ ମାନେ କେତେବେଳେ ଚାଷ ଜମି ରେ ପାଣି ପାଇଁ ମନା କରୁଥିବା କହୁଥିବା ବେଳେ କେତେବେଳେ ଉଦନ୍ତୀ ତଟବର୍ତ୍ତି ଲୋକେ ମନା କରୁଥିବା କହିଛନ୍ତି। ହେଲେ କେବଳ ଗୋଟିଏ ପ୍ରକଳ୍ପ ରେ ଏହି ସମସ୍ୟା ଲାଗି ରହିବା ର କାରଣ କଣ ହେଇପାରେ ବୋଲି ଲୋକେ କହିବା ସହ ପ୍ରଶାସନିକ ଅଧିକାରୀ ଙ୍କ ଅହେତୁକ ମନୋଭାବ ପୋଷଣ କରିବା ସାଙ୍ଗକୁ ଆନ୍ତରିକତା ର ଅଭାବ ଯୋଗୁଁ ଏଭଳି ଅବ୍ୟବସ୍ଥା ଲାଗି ରହିଥିବା ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିବା ସହ ପ୍ରଶାସନ କୁ ଘେରାଉ କରିବା ପାଇଁ ଚେତାବନୀ ଦେଇଛନ୍ତି। ଏହି ପ୍ରକଳ୍ପ ବନ୍ଦ ରହିଥିବାରୁ ଗୋଡାଳ, ମହଗାଁ, କୋଟାମାଳ, ବ୍ରାହ୍ମଣପଡ଼ା ଗ୍ରାମକୁ ମଧ୍ୟ ଜଳ ଯୋଗାଣ ବନ୍ଦ ରହିଥିବାରୁ ଲୋକେ ପାନୀୟ ଜଳ ସମସ୍ୟା ରେ ଘାଣ୍ଟି ହେଉଛନ୍ତି। ହେଲେ ଏ ଦିଗରେ ପ୍ରଶାସନ ସମାଧାନ ଦିଗରେ ଦୃଷ୍ଟି ନ ଦେଇ କୁମ୍ଭକର୍ଣ ନିଦ୍ରା ରେ ରହିଥିବା ବେଳେ ଲୋକେ କିଭଳି ପାନୀୟ ଜଳ ସମସ୍ୟା ରେ ରହୁଛନ୍ତି ତାହା ଅନୁମାନ କଲେ ବେଶ ବୁଝା ପଡୁଛି। ସିନାପାଲି ର ବିଭିନ୍ନ ଅଞ୍ଚଳ ରେ ପାନୀୟ ଜଳ ସମସ୍ୟା ଲାଗି ରହିଥିବା ବେଳେ ପ୍ରଶାସନ ତରଫରୁ ସମାଧାନ କରିବା ଦିଗରେ କୌଣସି ପଦକ୍ଷେପ ନ ନେବା ପ୍ରଶାସନ ର କାର୍ଯ୍ୟଦକ୍ଷତା ଉପରେ ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏହି ସମସ୍ୟା କୁ ନେଇ ସ୍ଥାନୀୟ ବିଭାଗୀୟ ଯନ୍ତ୍ରୀ ଲକ୍ଷ୍ମୀ ବାଗ ଙ୍କୁ ପଚାରିବାରୁ ସଠିକ ଭାବରେ ସମସ୍ୟା ଜାଣି ନ ଥିବା ବେଳେ କଥା ରେ ତାଳ ମେଲ ରହୁ ନାହିଁ। କେତେବେଳେ କାର୍ଯ୍ୟ ଚାଲିଥିବା କହୁଥିବା ବେଳେ କେତେବେଳେ ସମସ୍ୟା ଉପରେ ପଚାରି ବୁଝୁଛି ବୋଲି ହାଲୁକା ଭାବରେ ଉତ୍ତର ଦେଇଥିଲେ। ତେବେ ଏହି ସମସ୍ୟା ର ସମାଧାନ କରିବା ପାଇଁ ପ୍ରଶାସନ ଉଦ୍ୟମ ଆରମ୍ଭ କରିବ ନା ହାତବାନ୍ଧି ବସି ରହିବ ତାକୁ ନେଇ ଅପେକ୍ଷା କରିଛନ୍ତି ଗ୍ରାମବାସୀ।


