କଏଦୀଙ୍କ ସୁନା ଅଳଙ୍କାର ଗାଏବ ଘଟଣା: ଚୌଦ୍ୱାର ଜେଲ୍ ୱାର୍ଡର ଗିରଫ

କଟକ (ଓ୍ବାଇଏନଏସ): କିଛିମାସ ତଳେ ଜଣେ କଏଦୀଙ୍କ ସୁନା ଅଳଙ୍କାର ଗାଏବକୁ ନେଇ ବେଶ୍ ଚର୍ଚ୍ଚାରେ ଥିଲା ଚୌଦ୍ବାର ଜେଲ୍‌। ଏହି ଘଟଣାରେ ଚୌଦ୍ବାର ଥାନା ତରଫରୁ ଜେଲ୍‌ ୱାର୍ଡର୍‌ ମନୋଜ ମଣ୍ତଳଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ମାହାଙ୍ଗା ଥାନା ଅଞ୍ଚଳର ଇତିଶ୍ରୀ ମହାନ୍ତି କୌଣସି ଏକ ମାମଲାରେ ବିଚାରାଧୀନ କଏଦୀ ଭାବେ ୨୦୨୫ ସେପ୍ଟେମ୍ବର ୨୩ରେ ଚୌଦ୍ବାର ଜେଲ୍‌କୁ ଆସିଥିଲେ। ସେ ପିନ୍ଧିଥିବା ସୁନା ମୁଦି, କାନଫୁଲ ଓ ନାକଫୁଲ ଆଦି ଜେଲ୍‌ରେ ଥିବା ସିସିଟିଭି ସାମନାରେ ଜେଲ୍‌ କର୍ମଚାରୀଙ୍କ ଜିମା ଦେଇଥିଲେ। ୩ ମାସ ପରେ ଅର୍ଥାତ୍ ୨୦୨୫ ଡିସେମ୍ବର ୨୩ରେ ଜେଲ୍‌ରୁ ଜାମିନରେ ବାହାରିଥିବା ବେଳେ ଶ୍ରୀମତୀ ମହାନ୍ତିଙ୍କୁ ଜେଲ୍‌ କର୍ତ୍ତୃପକ୍ଷ ତାଙ୍କ ଅଳଙ୍କାର ଫେରାଇ ପାରି ନଥିଲେ। ଯାହାକୁ ନେଇ ସେ ଚୌଦ୍ବାର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ଜେଲ୍‌ ଅଧୀକ୍ଷକ ସୁଜିତ୍ କୁମାର ରାଉଳ ଓ ତତ୍କାଳୀନ ଜେଲର୍‌ଙ୍କ ଭିତରେ ଦୋଷ ଲଦାଲଦି ହୋଇ ଉଭୟ ପରସ୍ପରଙ୍କ ନାଁରେ ଚୌଦ୍ବାର ଥାନାରେ ଦୁଇଟି ଅଭିଯୋଗ କରିଥିଲେ। ଅବଶ୍ୟ ପରବର୍ତ୍ତୀ ସମୟରେ ଜେଲ୍‌ ଅଧୀକ୍ଷକ ସୁନା ଅଳଙ୍କାର ବାବଦରେ ନିଜ ପକେଟ୍‌ରୁ ୧ଲକ୍ଷ ୯୦ହଜାର ଟଙ୍କା ସମ୍ପୃକ୍ତ କଏଦୀଙ୍କୁ ଫେରାଇଥିଲେ। ଘଟଣାର ତଦନ୍ତ ଜାରି ରହିଥିଲା ବେଳେ ଏହି ସୁନା ଅଳଙ୍କାର ଗାଏବ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଆଜି ଚୌଦ୍ବାର ଥାନା ତରଫରୁ ଜେଲ୍‌ ୱାର୍ଡର୍‌ ମନୋଜ ମଣ୍ତଳଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ଏଠାରେ ପ୍ରଶ୍ନ ଉଠୁଛି ଯେ ଯଦି ତଦନ୍ତ ଜାରି ରହିଥିଲା, ତେବେ ଜେଲ୍‌ ଅଧୀକ୍ଷକ କାହିଁକି ତରବରିଆ ଭାବେ ନିଜେ ଟଙ୍କା ଦେଇ ସମ୍ପୃକ୍ତ ମହିଳାଙ୍କ ପାଟି ଚୁପ୍ କରିବାକୁ ଚେଷ୍ଟା କରିଥିଲେ? ପାଚେରି ଡେଇଁ କଏଦୀ ଫେରାର, ଜେଲ୍‌ରେ ଆତ୍ମହତ୍ୟା, ଗଣ୍ତଗୋଳ, ଠିକା କାମରେ ଅନିୟମିତତା ଭଳି ଅଭିଯୋଗ ଆସିବା ପରେ ମଧ୍ୟ ଅଧୀକ୍ଷକ ଶ୍ରୀ ରାଉଳଙ୍କ ଉପରେ ଜେଲ୍‌ ବିଭାଗ କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ତାହା ଆଶ୍ଚର୍ଯ୍ୟର ବିଷୟ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ