ଉତ୍କଳ କେଶରୀଙ୍କ ପ୍ରତିମୂର୍ତ୍ତି ଅବହେଳିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : – ପୂଜ୍ୟ ପ୍ରତିଭାମାନଙ୍କୁ ସମୁଚିତ ସମ୍ମାନ ପ୍ରଦାନ ମହାନ ଉତ୍କଳୀୟ ପରମ୍ପରା । ଏହା ଏବେ ଅବଲୁପ୍ତ ହୋଇ ଯାଉଥିବାର ଲକ୍ଷ କରାଯାଉଛି । ନା ସରକାରଙ୍କ ତରଫରୁ କିମ୍ବା କୌଣସି ବେସରକାରୀ ସଂସ୍ଥା ଓ ପୂଜ୍ୟପୂଜା ସଂସ୍ଥା ନାମରେ ରୋଜଗାର ସର୍ବସ୍ୱ ସ୍ୱଚ୍ଛାସେବୀ ସଂସ୍ଥା – କେହି ହେଲେ ବି ଉତ୍କଳର ପୂଜନୀୟ ପ୍ରତିଭାମାନଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ନିବେଦନ କରିବାକୁ କୁଣ୍ଠାବୋଧ କରୁଥିବାର ଲକ୍ଷ କରାଯାଉଛି | ରାଜଧାନୀ ଭୁବନେଶ୍ୱରର ପ୍ରାଣପ୍ରତିଷ୍ଠାତା ଲବଣ ସତ୍ୟାଗ୍ରହରୁ ଜନ୍ମ ନେଇଥିବା, ସ୍ୱାଧୀନତା ପାଇଁ ବହୁବାର ଜେଲ ଭୋଗିଥିବା, ବିଭିନ୍ନ ସମୟରେ ଭାରତୀୟ ଜାତୀୟ କଂଗ୍ରେସ ଠାରୁ ଆରମ୍ଭ କରି ଉତ୍କଳ ପ୍ରଦେଶ କଂଗ୍ରେସ, ଓଡିଶା ଜନ କଂଗ୍ରେସ ଓ ଜନତା ପାର୍ଟି ସହିତ ରହି କାମ କରିଥିବା, ଭୂତପୂର୍ବ ପ୍ରଧାନମନ୍ତ୍ରୀ ମୋରାରଜି ଦେଶାଇଙ୍କ ବମ୍ବେ ରାଜ୍ୟ ମୁଖ୍ୟମନ୍ତ୍ରୀତ୍ୱ କାଳରେ ରାଜ୍ୟପାଳ ରହିଥିବା, ନେହେରୁଙ୍କ କ୍ୟାବିନେଟରେ ସ୍ଥାନ ପାଇଥିବା ପ୍ରଥମ କେନ୍ଦ୍ରମନ୍ତ୍ରୀ ତଥା ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ, ସ୍ୱାଧୀନତା ସଂଗ୍ରାମୀ, ନୂତନ ରାଜଧାନୀ ଭୁବନେଶ୍ୱରର ପ୍ରାଣ ପ୍ରତିଷ୍ଠାତା ଡ଼ଃ ହରେକୃଷ୍ଣ ମହତାବଙ୍କର ପ୍ରତିମୂର୍ତ୍ତିରେ ଫୁଲଟିଏ ଦେବାପାଇଁ ସମସ୍ତେ ଭୁଲିଗଲେ | ଯେଉଁ ଯେଉଁ ସଂସ୍ଥା ଓ ସଙ୍ଗଠନସହ ସେ ଓତଃପ୍ରୋତ ଭାବେ ଜଡିତ ଥିଲେ ଓ ତାଙ୍କଦ୍ୱାରା ସ୍ଥାପିତ ସହରରେ ବସବାସ କରୁଥିବା କୌଣସି ବି ଜଣେବ୍ୟକ୍ତି ଶ୍ରଦ୍ଧା ଓ ସମ୍ମାନ ପ୍ରଦର୍ଶନ କରି ଫୁଲର ପାଖୁଡାଟିଏ ବି ଦେବାକୁ ଭୁଲିଗଲେ | ଆଜି ଦିନ ଗୋଟାଏ ବେଳେ ବିନ୍ଦୁସାଗର ନିକଟରେ (1994 ମସିହାରେ ବାଚସ୍ପତି ଯୁଧିଷ୍ଠିର ଦାସ ଙ୍କ ଦ୍ୱାରା ଉନ୍ମୋଚିତ) ସ୍ଥାପିତ ଡ଼ଃ ମହତାବଙ୍କ ପ୍ରତିମୂର୍ତ୍ତୀ ନିକଟକୁ ଯାଇ ଧୂପଦେଇ ପ୍ରଣାମ ଜଣାଇଥିଲା “ଜନ ଜାଗୃତି ଅଭିଯାନ” । ଏହି ଜନନେତା ଉତ୍କଳ କେଶରୀ ଡଃ ହରେକୃଷ୍ଣ ମହତାବଙ୍କର ବାମନପ୍ରାୟ ପ୍ରତିମୂର୍ତ୍ତିକୁ ହଟାଇ, ଏକ ଭବ୍ୟ ପୂର୍ଣ୍ଣାବୟାବ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇ ସେହି ସ୍ଥାନରେ ସ୍ଥାପିତ କରାଯାଉ ବୋଲି ସରକାରଙ୍କ ନିକଟରେ ଦାବି କରିଛି । ଭାଷା ଆନ୍ଦୋଳନ ଓଡିଶାର ଅଧ୍ୟକ୍ଷ ଚକ୍ରଧର ମହନ୍ତ, ଜାନକୀଶ ବଡ଼ପଣ୍ଡା , ଶାରଦା ପ୍ରସାଦ ମହାପାତ୍ର ଓ ନବ କିଶୋର ପ୍ରଧାନ ପ୍ରମୁଖଙ୍କ ଉପସ୍ଥିତିରେ ଜନ ଜାଗୃତି ଅଭିଯାନ ପକ୍ଷରୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ଅଭିଯାନର ଆବାହକ ପବିତ୍ର ମହାରଥା ।


