ଉତ୍ତମ ଶିକ୍ଷା ଓ ସଂସ୍କାର ଜରିଆରେ ମୂଲ୍ୟବୋଧ ଭିତ୍ତିକ ସମାଜ ଗଠନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଉତ୍ତମ ଶିକ୍ଷା ଓ ସଂସ୍କାର ଜରିଆରେ ମୂଲ୍ୟବୋଧ ଭିତ୍ତିକ ସମାଜ ଗଠନ ଥିଲା ଆଦର୍ଶ ଶିକ୍ଷକ ସ୍ୱର୍ଗତ ଲକ୍ଷ୍ମୀନାରାୟଣ ପ୍ରସାଦ ଦାସଙ୍କ ଜୀବନର ମୂଳ ଲକ୍ଷ୍ୟ । ସେଥିପାଇଁ ସେ ପ୍ରଥମେ ନିଜକୁ ପ୍ରସ୍ତୁତ କରିବା ସହିତ ନିଜ ପରିବାରକୁ ଗଠନ କରିଥିଲେ । ଫଳରେ ତାଙ୍କର ଜୀବନାଦର୍ଶ କେବଳ ଯେ ଛାତ୍ରଛାତ୍ରୀଙ୍କୁ ପ୍ରଭାବିତ କରିଥିଲା ତାହା ନୁହେଁ ସାମାଜିକ ଜନଜୀବନକୁ ମଧ୍ୟ ଅନେକାଂଶରେ ପ୍ରଭାବିତ କରିଥିଲା । ପ୍ରଚଣ୍ଡ ଈଶ୍ୱର ବିଶ୍ୱାସୀ ସ୍ଥିତପ୍ରଜ୍ଞ ଲକ୍ଷ୍ମୀନାରାୟଣ ସାର୍‌ଙ୍କ ନିକଟରୁ କେହି କେବେ ବିରକ୍ତି, ହିଂସା, କ୍ରୋଧ, ନିରାଶା, ଅସହିଷ୍ନୁତା ଆଦିର ଝଲକ ଦେଖିବାକୁ ପାଇନଥିଲେ । ସମସ୍ତଙ୍କୁ ଅନାବିଳ ସ୍ନେହ ଓ ଆତ୍ମୀୟତାରେ ବଶିଭୂତ କରି ସୁସ୍ଥ ସମାଜ ଗଠନ ପାଇଁ ସେ ଯେ କେବଳ ମାର୍ଗ ଦର୍ଶନ କରୁଥିଲେ ତାହା ନୁହେଁ ନିଜେ ଅନେକ ଉଦାହରଣ ସୃଷ୍ଟି କରିଥିଲେ । ଜିଲ୍ଲାର ସର୍ବପ୍ରାଚୀନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଶ୍ରୀଶ୍ରୀ କାକଟ ମଙ୍ଗଳା କ୍ଲକ୍‌ର ସଭାପତି ଭାବେ ସେ ନିଜର ସ୍ୱଚ୍ଛତା, କର୍ତ୍ତବ୍ୟ ନିଷ୍ଠା ଓ ସାଂଗଠନିକ ଦକ୍ଷତାର ମଧ୍ୟ ପ୍ରମାଣ ଦେଇଥିଲେ । ଆଧ୍ୟାତ୍ମିକତା ତଥା ଭଗବତ୍ ପ୍ରେମ ଜରିଆରେ ପ୍ରତ୍ୟେକଙ୍କୁ ବାନ୍ଧିରଖି ସାମାଜିକ ଜୀବନକୁ ସରସ , ସୁନ୍ଦର ଓ ଶୃଙ୍ଖଳିତ କରିବାପାଇଁ ଭାଗବତ ପାରାୟଣ, ରାମଚରିତ ମାନସ ଭଳି ସମାରୋହର ସେ ସାଜିଥିଲେ ପୃଷ୍ଟପୋଷକ । ଏହି ମାଟିର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କର ସେ ଥିଲେ ପରମ ଭକ୍ତ । ଜଣେ ସାଧାରଣ ମଣିଷ ଭଳି ଦେଖାଯାଉଥିବା ଲକ୍ଷ୍ମୀନାରାୟଣ ସାର୍ ତାଙ୍କ ଜୀବନ କାଳରେ ଯେଉଁ ଅସାଧାରଣ ବ୍ୟକ୍ତିତ୍ୱର ପରିଚୟ ଦେଇଯାଇଛନ୍ତି ତାହା ବିରଳ । ତାଙ୍କର ବିୟୋଗ କେନ୍ଦ୍ରାପଡ଼ା ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ତାଙ୍କ ପ୍ରତି ଭାବପୂର୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ସ୍ମୃତିଚାରଣ କରିବା ଅବସରରେ ବିଭିନ୍ନ ବର୍ଗର ବ୍ୟକ୍ତି ମତପ୍ରକାଶ କରିଛନ୍ତି । ଶ୍ରୀଶ୍ରୀ କାକଟ ମଙ୍ଗଳା କ୍ଲବ୍ ପକ୍ଷରୁ ସଭାପତି ଉମେଶ ଚନ୍ଦ୍ର ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସମାରୋହରେ ବିଶିଷ୍ଟ ସମାଜସେବୀ ଶୈଳେନ୍ଦ୍ର ନାରାୟଣ ଦାସ, ପ୍ରଫୁଲ୍ଲ କୁମାର ସାହୁ, କୈଳାଶ ଚନ୍ଦ୍ର ମହାନ୍ତି, ଗଣେଶ ଚନ୍ଦ୍ର ସାମଲ, କ୍ଷୀରୋଦ ପ୍ରସାଦ ସିଂହ, ହାଡ଼ିବନ୍ଧୁ ସିଂହ, ପଦ୍ମଲୋଚନ ବେହେରା, ଭଗବାନ ମୁଦୁଲି, ନାରାୟଣ ସାହୁ, ଅରୁଣ କୁମାର ସାହୁ, ଅକ୍ଷୟପ୍ରିୟ ଦାସ, କମଳାକାନ୍ତ ରାଉତ, ଉମାକାନ୍ତ ସିଂହ, ବସନ୍ତ କୁମାର ସାହୁ, ସୂର୍ଯ୍ୟକାନ୍ତ ରାଉତ, ଅଭିମନ୍ୟୁ ନାୟକ, ନାରାୟଣ ସିଂହ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସ୍ମୃତି ଚାରଣ କରିଥିଲେ । ପ୍ରାରମ୍ଭରେ ଲକ୍ଷ୍ମୀନାରାୟଣ ସାର୍‌ଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ