ଉତ୍ତରାଧିକାରୀ ସଂକଟ: କିମ ଜଙ୍ଗ ଉନଙ୍କ ପରେ କିଏ ?

ସିଓଲ: ଉତ୍ତର କୋରିଆର ରାଷ୍ଟ୍ରପତି କିମ ଜଙ୍ଗ ଉନଙ୍କ ସ୍ୱାସ୍ଥ୍ୟାବସ୍ଥା ଯେଉଁଭଳି ସଂକଟ ଜନକ ସ୍ଥିତିରେ ଅଛି କେଉଁ ମୁହୂର୍ତ୍ତରେ କ’ଣ ଘଟିବ କିଛି କହିହେବନି । ତେବେ କିମଙ୍କ ପରେ ଉତ୍ତର କୋରିଆର ଶାସନ ମୁଖ୍ୟ କିଏ ହେବ ତାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଗଲାଣି । କିମ ଜଙ୍ଗ ଉନ ୮ ବର୍ଷ ଧରି ଉତ୍ତର କୋରିଆର ଶାସକ ଦାୟିତ୍ୱ ତୁଲାଇଛନ୍ତି । ତାଙ୍କ ପରିବାର ୭୦ ବର୍ଷ ଧରି ଉତ୍ତର କୋରିଆକୁ ଶାସନ କରି ଆସିଛନ୍ତି । ମାତ୍ର ୩୬ ବର୍ଷୀୟ କିମଙ୍କ ଉତ୍ତରାଧିକାରୀ କିଏ ହେବ ତାହା ଏ ଯାଏ ସ୍ପଷ୍ଟ ହୋଇନାହିଁ । ତାଙ୍କ ପୁତ୍ରକନ୍ୟା ମାନେ ନାବାଳକ ହୋଇଥିବାରୁ ସେମାନଙ୍କ ଶାସନ ଗାଦିରେ ବସିବା ନେଇ ସନ୍ଦେହ ପ୍ରକାଶ ପାଇଛି । ତେବେ ଉତ୍ତର କୋରିଆର ରାଷ୍ଟ୍ର ମୁଖ୍ୟ ପାଇଁ କିମଙ୍କ ଭଉଣୀ କିମ ୟୋ ଜଙ୍ଗଙ୍କ ନାମ ହିଁ ଚର୍ଚ୍ଚାର ଶୀର୍ଷରେ ରହିଛି । ୟୋ ଜଙ୍ଗ କିମ ଜଙ୍ଗ ଉନଙ୍କ ସବୁଠୁ ପ୍ରିୟ ଏବଂ ନିକଟତର ଅଟନ୍ତି । କିମଙ୍କ ପରେ ୟୋ ହିଁ ସବୁଠୁ କ୍ଷମତାଶାଳୀ ଓ ପ୍ରଭାବଶାଳୀ ବ୍ୟକ୍ତି ଭାବେ ଜଣା । ଉତ୍ତର କୋରିଆ ଶାସନ ବ୍ୟବସ୍ଥାରେ ତାଙ୍କର ଅଖଣ୍ଡ ପ୍ରଭାବ ରହିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସିଓଲ ସାକ୍ଷାତ ସମୟରେ କିମ ଜଙ୍ଗ ଉନଙ୍କ ସହ ତାଙ୍କ ଭଉଣୀ ୟୋ ସାମିଲ ଥିଲେ । ଏଣୁ କିମଙ୍କ ପରେ ଉତ୍ତର କୋରିଆ ଶାସନ ମୁଖ୍ୟ ପାଇଁ ୟୋ ହିଁ ସବୁଠୁ ଅଧିକ ଦାବିଦାର ଅଟନ୍ତି । ଅପରପକ୍ଷେ, ଉତ୍ତର କୋରିଆର ରାଷ୍ଟ୍ରମୁଖ୍ୟ ପାଇଁ କିମଙ୍କ ପୁତ୍ରଙ୍କ ନାମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କିମଙ୍କ ତିନି ପୁତ୍ର ମଧ୍ୟରୁ ବଡ଼ ପୁଅ ୨୦୧୦ ରେ ଜନ୍ମ ଗ୍ରହଣ କରିଛନ୍ତି । ବୟସ ଦୃଷ୍ଟିରୁ ଏହା ଗ୍ରହଣୀୟ ହୋଇନପାରେ । ମାତ୍ର କିମଙ୍କ ଜେଜେବାପା ଅମଳରୁ ପୁତ୍ରମାନେ ହିଁ ପିଢ଼ି ପରେ ପିଢ଼ି ସୂତ୍ରରେ ଉତ୍ତର କୋରିଆର ଶାସନ ମୁଖ୍ୟ ଦାୟିତ୍ୱ ତୁଲାଇ ଆସିଛନ୍ତି । ସେହିଭଳି କିମ ଜଙ୍ଗ ଉନଙ୍କ ପୁତୁରା କିମ ହାନ ସୋଲଙ୍କ ନାମ ମଧ୍ୟ ଚର୍ଚ୍ଚାର ପରିସରକୁ ଆସିଛି । ଉତ୍ତରକୋରିଆ ଶାସନ ମୁଖ୍ୟ ଭାବେ କିମଙ୍କ ପରେ ତାଙ୍କ ଭାଇ କିମ ଜଙ୍ଗ ଚୋଲଙ୍କ ନାମ ମଧ୍ୟ ଚର୍ଚ୍ଚାକୁ ଆସିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ