ଓଡ଼ିଶାର ଇସ୍ପାତ କମ୍ପାନୀଙ୍କ ସହିତ କେନ୍ଦ୍ରମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଇସ୍ପାତ ଉତ୍ପାଦନରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ: ରାମ ଚନ୍ଦ୍ର ପ୍ରସାଦ ସିଂ ଇସ୍ପାତ ମନ୍ତ୍ରଣାଳୟ ଓଡିଶାର ଇସ୍ପାତ କମ୍ପାନୀଗୁଡିକ ସହିତ ଏକ ମତ ବିନିମୟ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି। ଆଜି ଭୁବନେଶ୍ୱରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ରାମ ଚନ୍ଦ୍ର ପ୍ରସାଦ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିରେ ଓଡ଼ିଶାରେ ଥିବା ପ୍ରାଥମିକ ଓ ଦ୍ବିତୀୟକ ଇସ୍ପାତ କମ୍ପାନୀର ପ୍ରତିନିଧି ମାନେ ଅଂଶଗ୍ରହଣ କରିଥିଲେ । ଇସ୍ପାତ କ୍ଷେତ୍ରରେ ଦେଖା ଦେଉଥିବା ଆହ୍ବାନ ଗୁଡ଼ିକୁ କମ୍ପାନୀ ଅଧିକାରୀମାନେ ଉପସ୍ଥାପନ କରିଥିଲେ, ଯେଉଁଥିରେ ଏହି ଶିଳ୍ପ ପାଇଁ ଏକ ଉତ୍ତମ ପରିସଂସ୍ଥାନ ବିଶେଷ ଭାବରେ ପୁଞ୍ଜି, କଞ୍ଚାମାଲ ଯୋଗାଣ, ଯୋଗାଯୋଗ ସୁବିଧା ଓ ଦ୍ବିତୀୟକ କମ୍ପାନୀ ଗୁଡ଼ିକ ପାଇଁ ସହାୟତା ଅନ୍ତର୍ଭୁକ୍ତ ଥିଲା | ଏହି ଅଧିବେଶନକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ସିଂ ଇସ୍ପାତ ଉତ୍ପାଦନରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ବୋଲି କହିଛନ୍ତି । ୱାର୍ଲ୍ଡ ସ୍କିଲ୍ ସେଣ୍ଟର, ଭୁବନେଶ୍ୱର ଭଳି ଅନୁଷ୍ଠାନ ମାଧ୍ୟମରେ ଓଡ଼ିଶା ସରକାର ଦକ୍ଷତା ବିକାଶ ଉପରେ ସଠିକ୍ ଧ୍ୟାନ ଦେଇଛନ୍ତି ଯାହାକି ବର୍ତ୍ତମାନ ସମୟରେ ସବୁଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ। ଓଡ଼ିଶାରେ ମଧ୍ୟ ଖଣିଜ, ପ୍ରାକୃତିକ ସମ୍ପଦ, ପରିବହନ ସୁବିଧା ତଥା ପର୍ଯ୍ୟାପ୍ତ ବିଦ୍ୟୁତ ଶକ୍ତି ରହିଛି, ଯାହାକି ଓଡ଼ିଶାକୁ ଏକ ଉତ୍କୃଷ୍ଟ ନିବେଶ ସ୍ଥାନରେ ପରିଣତ କରିଛି ବୋଲି ସେ କହିଛନ୍ତି । ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ତଥା ଯୋଜନା ଯେପରିକି ଗତିଶକ୍ତି ମାଷ୍ଟରପ୍ଲାନ ଦ୍ବାରା ଇସ୍ପାତ ବ୍ୟବହାର ବୃଦ୍ଧି ପାଇବ, ଯେଉଁଥିରେ ଦ୍ବିତୀୟକ ଇସ୍ପାତ କ୍ଷେତ୍ରର ଅବଦାନ ବହୁତ ଅଧିକ ହେବ। ଏହି କ୍ଷେତ୍ରର ବିକାଶ ପାଇଁ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ ହେଉଛି ବୋଲି ମଧ୍ୟ ସେ ସୂଚନା ଦେଇଥିଲେ । ମନ୍ତ୍ରଣାଳୟର ଅଧିକାରୀମାନେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଇସ୍ପାତ ଶିଳ୍ପ ସମସ୍ୟାର ସମାଧାନ ପାଇଁ ସରକାର ସକ୍ରିୟ ଭାବରେ ସମସ୍ତ ପଦକ୍ଷେପ ନେଉଛନ୍ତି ଏବଂ ଏହି ଉଦ୍ୟୋଗରେ ବିଶେଷ ଭାବରେ ଦ୍ବିତୀୟକ ଇସ୍ପାତ କମ୍ପାନୀଗୁଡିକର ପ୍ରଗତିରେ ବାଧା ସୃଷ୍ଟି କରୁଥିବା ନିର୍ଦ୍ଦିଷ୍ଟ ବିଷୟ ଉପରେ ମତାମତ ଏବଂ ପରାମର୍ଶକୁ ସ୍ୱାଗତ କରିଛନ୍ତି। ଏହି ମତ ବିନିମୟ କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଇସ୍ପାତ କମ୍ପାନୀ ଗୁଡିକର ପ୍ରତିନିଧି ଏବଂ ଇସ୍ପାତ ମନ୍ତ୍ରଣାଳୟ ଓ ରାଷ୍ଟ୍ରାୟତ ଉଦ୍ୟୋଗର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ