ଓରାଳି ଛକରେ ଥିବା ଯାତ୍ରୀ ବିଶ୍ରାମାଗାରକୁ ସିଲ କଲା ଭଦ୍ରକ ଜିଲ୍ଲା ପ୍ରଶାସନ
ହାଟଡିହି, (ବିକାଶ ବିଶ୍ୱାଳ):ଆନନ୍ଦପୁର – ଭଦ୍ରକ ରାସ୍ତାର ଓରାଳି ଛକରେ ଓରାଳି ପଞ୍ଚାୟତ ପକ୍ଷରୁ ନିର୍ମାଣ କରାଯାଇଥିବା ଯାତ୍ରୀ ବିଶ୍ରାମାଗାରକୁ ଭଦ୍ରକ ପ୍ରଶାସନ ପକ୍ଷରୁ ସିଲ କରାଯାିଛି । ଆଜି ଅପରାହ୍ନରେ ବନ୍ତ ତହସିଲଦାର ଓ ବନ୍ତ ଥାନା ପୁଲିସ ଉପସ୍ଥିତିରେ ଏହି ଯାତ୍ରୀ ବିଶ୍ରାମାଗାରକୁ ତାଲା ପକାଯାଇ ସିଲ କରାଯାଇଛି । ଏହି ବିଶ୍ରାମାଗାର ଓ ନାମ ଫଳକକୁ ନେଇ ଗତ ଏପ୍ରିଲ ମାସରେ ଓରାଳି ଓ ଆପଣ୍ଡା ମଧ୍ୟରେ ସଂଘର୍ଷ ଓ ପୋଡାଜଳା ହୋଇଥିଲା । ଯାହାକୁ ନେଇ ସେଠାରେ ଦୀର୍ଘଦିନ ପର୍ଯ୍ୟନ୍ତ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ଧାରା ଜାରି କରାଯାଇଥିଲା । ଏହି ସୀମାଟି ଭଦ୍ରକ ଜିଲ୍ଲାର ଆପଣ୍ଡା ମୌଜାରେ ହୋଇଥିବା ବେଳେ ଏହା ପୁର୍ବରୁ ଓରାଳି ଛକ ଭାବରେ ନାମିତ ଥିବାରୁ ଓ ଜନସାଧାରଣଙ୍କ ସୁବିଧା ପାଇଁ ଓରାଳି ପଞ୍ଚାୟତ ପକ୍ଷରୁ ଏଠାରେ ଏକ ଯାତ୍ରୀ ବିଶ୍ରାମାଗାର, ଆଲୋକି କରଣ ଓ ପରିଶ୍ରାଗାର ଆଦି ନିର୍ମାଣ କରାଯାଇଥିଲା । କିନ୍ତୁ ଆପଣ୍ଡା ମୌଜାର ଲୋକମାନେ ଏହାକୁ ଆପଣ୍ଡା ଛକ ଭାବେ ନାମିତ କରିବାକୁ ନେଇ ଦୁଇ ଗ୍ରାମ ମଧ୍ୟରେ ବିବାଦ ସୃଷ୍ଟି ହେବା ସହିତ ଗୋଷ୍ଠୀ ସଂଘର୍ଷର ରୁପ ନେଇଥିଲା । ଯାହାଦ୍ୱାରା କି କିଛି ନିରିହ ବ୍ୟବସାୟୀଙ୍କର ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ଲୁଟପାଟ ହେବା ସହିତ ଛକରେ ଥିବା ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ଘର ଓ ଗାଡି ପୋଡାଜଳା ମଧ୍ୟ ହୋଇଥିଲା । ଏନେଇ ଉଭୟ ପକ୍ଷରୁ ବନ୍ତ ଥାନାରେ ଦୁଇଟି ମାମଲା ରୁଜୁ ହେବା ସହିତ ୮ଜଣଙ୍କୁ ଗିରଫ ମଧ୍ୟ କରାଯାଇଥିଲା । ଆଜି ପର୍ଯ୍ୟନ୍ତ ଏହାର କୌଣସି ସମାଧାନର ସୁତ୍ର ବାହାର କରାଯାଇ ନଥିବା ବେଳେ ଉଭୟ ଗ୍ରାମବାସୀଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି ହୋଇ ନାହିଁଁ ।


