ଓଡ଼ିଆଭାଷା ଉପରେ ଝାଡଖଣ୍ଡ ଓ ଆନ୍ଧ୍ରର ଆକ୍ରମଣ : ଓଡ଼ିଆଭାଷାର ସୁରକ୍ଷା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ସମାଜବାଦୀ ପାର୍ଟିର ଚିଠି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଝାଡ଼ଖଣ୍ଡ ରାଜ୍ୟରେ ଓଡ଼ିଆଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ଦିଆଯାଇଥିଲା । ୨୦୧୧ ମସିହା ସେପ୍ଟେମ୍ବର ୧୧ ତାରିଖରୁ ଝାଡ଼ଖଣ୍ଡ ସରକାର ଓଡ଼ିଆ ସମେତ ସାନ୍ତାଳୀ, ବଙ୍ଗାଳୀ ଓ ଉର୍ଦ୍ଦୁ ଭାଷାକୁ ୨ୟଃ ଭାଷାର ମାନ୍ୟତା ପ୍ରଦାନ କରିଥିଲେ । କିନ୍ତୁ ଦୁଃଖର କଥା ସାନ୍ତାଳୀ, ବଙ୍ଗାଳୀ ଓ ଉର୍ଦ୍ଦୁଭାଷାର ୨ୟଃ ମାନ୍ୟତା ବଜାୟ ରହିଥିଲା ବେଳେ ୨୦୨୧-୨୨ ଶିକ୍ଷାବର୍ଷରୁ ଓଡ଼ିଆଭାଷାକୁ ୨ୟଃ ଭାଷା ମାନ୍ୟତା ତାଲିକାରୁ ସେଠାକାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବାଦ୍ ଦେଇଛନ୍ତି । ଏହା ଝାଡ଼ଖଣ୍ଡ ରାଜ୍ୟର ସିଂହଭୂମି ଅଞ୍ଚଳରେ ରହୁଥିବା ଓଡ଼ିଆମାନଙ୍କ ଭିତରେ ତୀବ୍ର ପ୍ରତିକ୍ର୍ରିୟା ସୃଷ୍ଟି କରିଛି ଏବଂ ସେମାନେ ଏହାର ପ୍ରତିବାଦ ମଧ୍ୟ କରୁଛନ୍ତି । କିନ୍ତୁ ଦୁଃଖର କଥା ସବୁ ପ୍ରତିବାଦ ସତ୍ତ୍ୱେ ମଧ୍ୟ ଝାଡ଼ଖଣ୍ଡ ସରକାର ଏପର୍ଯ୍ୟନ୍ତ ସେମାନଙ୍କ ଦାବି ପୂରଣ କରିନାହାଁନ୍ତି କି ଓଡ଼ିଆଭାଷାକୁ ପୁନଶ୍ଚ ତାର ସମ୍ମାନଜନକ ସ୍ଥାନ ପ୍ରଦାନ କରିବା ପାଇଁ କୌଣସି ପଦକ୍ଷେପ ନେଇନାହାଁନ୍ତି । ଏହା କେବଳ ସେଠାକାର ଓଡ଼ିଆ ଭାଷାଭାଷୀମାନଙ୍କର ଦାବି ଓ ଆନ୍ଦୋଳନ ନୁହେଁ, ଏହା ସମସ୍ତ ଓଡ଼ିଆ ଭାଷାଭାଷୀମାନଙ୍କର ମନର କଥା । ତେଣୁ ରାଜ୍ୟ ସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଏ ଘଟଣାରେ ହସ୍ତକ୍ଷେପ କରି ତୁରନ୍ତ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହିତ କଥାବାର୍ତ୍ତା କରିବାକୁ ସମାଜବାଦୀ ପାର୍ଟି ଦାବି କରିଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଆଜି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ପତ୍ର ଲେଖି ତୁରନ୍ତ ଓଡ଼ିଆଭାଷାକୁ ୨ୟଃ ରାଜ୍ୟ ଭାଷାର ମାନ୍ୟତା ପୁନଶ୍ଚ ଝାଡ଼ଖଣ୍ଡ ସରକାର କିଭଳି ପ୍ରଦାନ କରିବେ, ସେ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି । ସେହିଭଳି ବାତ୍ୟା ‘ଗୁଲାବ’ ଆତଙ୍କରେ ଯେତେବେଳେ ଓଡ଼ିଶାବାସୀ ତଥା କୋରାପୁଟ ଜିଲ୍ଲାବାସୀ ଆତଙ୍କିତ ହୋଇପଡ଼ିଥିଲେ ତାହାର ସୁଯୋଗ ନେଇ ଆନ୍ଧ୍ର ପ୍ରଶାସନ କୋଟିଆ ଅଞ୍ଚଳର ବିଭିନ୍ନ ଗ୍ରାମରେ ତେଲୁଗୁ ଭାଷାରେ ଲିଖିତ ନାମଫଳକ ଲଗାଇ ଦେଇଛି । ବାତ୍ୟା ଜନିତ ବର୍ଷା ଯୋଗୁ ଗମନାଗମନ କୋଟିଆ ଅଞ୍ଚଳକୁ ବ୍ୟାହତ ହୋଇଥିଲା ବେଳେ ଆନ୍ଧ୍ରର ଏହି ଚୋରା ପଦକ୍ଷେପ ଓଡ଼ିଆଭାଷା ଉପରେ ଏକ ଚରମ ଆକ୍ରମଣ । ଗୋଟିଏ ଦିଗରେ ଓଡ଼ିଶାର ଭୂଗୋଳକୁ ଖଣ୍ଡବିଖଣ୍ଡିତ କରିବା ପାଇଁ ଷଡ଼ଯନ୍ତ୍ର ଏବଂ ଅନ୍ୟ ଦିଗରେ ଓଡ଼ିଆ ଭାଷା ଓ ସଂସ୍କୃତି ଉପରେ ଆନ୍ଧ୍ରର ଏହି ଆକ୍ରମଣ ଅସହ୍ୟ ହେଲାଣି । ତୁରନ୍ତ ମାନ୍ୟବର ମୁଖ୍ୟମନ୍ତ୍ରୀ ଘଟଣାର ହସ୍ତକ୍ଷେପ କରି କୋଟିଆ ଓଡ଼ିଆଭାଷାର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ଶ୍ରୀ ବେହେରା ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ