ଓଡ଼ିଶା କୃଷିଶିଳ୍ପ ନିଗମର ଅବସରପ୍ରାପ୍ତ କର୍ମଚାରୀଙ୍କ ଗଣଧାରଣା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସତ୍ୟନଗରସ୍ଥିତ ଓଡ଼ିଶା କୃଷିଶିଳ୍ପ ନିଗମ କାର୍ଯ୍ୟାଳୟ ପ୍ରାଙ୍ଗଣରେ କୃଷିଶିଳ୍ପ ନିଗମର ଅବସରପ୍ରାପ୍ତ କର୍ମଚାରୀଙ୍କ ଏକ ବିଶାଳ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ କର୍ମଚାରୀଙ୍କ ଅବସରକାଳୀନ ପ୍ରାପ୍ୟ ପାଇବାରେ ସରକାର କାଳକ୍ଷେପଣ ନୀତି ଅବଲମ୍ବନ ଓ ପ୍ରତାରଣା ବିରୋଧରେ ଏହି ଆନ୍ଦୋଳନ ଏବଂ ଧାରଣାର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶା କୃଷିଶିଳ୍ପ ନିଗମ ରାଜ୍ୟ ସରାକରଙ୍କ ଅଧିନରେ କାର୍ଯ୍ୟ କରୁଛି । ଦୀର୍ଘବର୍ଷ ଧରି କାର୍ଯ୍ୟ କରୁଥିବା କର୍ମଚାରୀମାନେ ଅବସର ଗ୍ରହଣ ପରେ ସେମାନଙ୍କର ଗ୍ରାଚୁଇଟି, ଛୁଟି ପ୍ରଦାନ ପ୍ରାପ୍ୟ ଓ ତିନିମାସର ଦରମା ସହ ଇପିଏଫ ଦେବାରେ ସରକାର ପ୍ରତିଶ୍ରୁତି ଦେଇ ବାରମ୍ବାର ପ୍ରତାରଣା କରିବା ସହ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଧୋକା ଦେଇ ଆସୁଛନ୍ତ ବୋଲି କର୍ମଚାରୀମାନେ କ୍ଷୋଭପ୍ରକାଶ କରି କହିଛନ୍ତି । ବୟସର ଅପରାହ୍ନରେ ନିଜର ପ୍ରାପ୍ୟ ପାଇବା ପାଇଁ ବାରମ୍ବାର ରୋଗୀଣା ଶରୀରରେ ଆସି ସରକାରଙ୍କ ପାଖରେ ଭିକ୍ଷାଥାଳ ଧରି ନିବେଦନ କରିବା ଏବଂ ଦାବି କରିବା କେତେଦୂର ଯୁକ୍ତିଯୁକ୍ତ ସରକାର ବିଚାର କରିବା ପାଇଁ ସମସ୍ତେ ଅନୁରୋଧ କରିଛନ୍ତି । ୨ରୁ ୯ ବର୍ଷ ଧରି ଅବସର ନେଇଥବା କର୍ମଚାରୀମାନେ ଆଜି ପର୍ଯ୍ୟନ୍ତ ସେମାନଙ୍କର ନିଜର ହକ ନ ପାଇବାରୁ ବାଧ୍ୟ ହୋଇ ତୃତୀୟଥର ପାଇଁ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ବଡ଼ ଦୁଃଖ ଓ ପରିତାପର ବିଷୟ ଏହି ନିଗମରେ ପରିଚାଳନା ନିର୍ଦ୍ଦେଶକ ଭାବେ ଥିବା ବରିଷ୍ଠ ପ୍ରଶାସକ ସଦାନନ୍ଦ ନାୟକଙ୍କ ସହ ଅବସରପ୍ରାପ୍ତ କର୍ମଚାରୀମାନେ ନିଜର ଦାବି ସମ୍ପର୍କରେ ୨୮.୬.୨୦୨୨ରେ ଆଲୋଚନା କରି ସେମାନଙ୍କର ପ୍ରାପ୍ୟ ପ୍ରଦାନ ପାଇଁ ଦାବି କରୁଥିବା ବେଳେ ପରିଚାଳନା ନିର୍ଦ୍ଦେଶକ ୧୦ ଦିନ ଭିତରେ ଗ୍ରାଚ୍ୟୁଇଟି ପ୍ରଦାନ ଏବଂ ୨୦ ଦିନ ଭିତରେ ଅନ୍ୟାନ୍ୟ ସବୁ ଅବସରକାଳୀନ ପ୍ରାପ୍ୟ ଦେବାକୁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରି ନାହିଁ । ଏପରିକି ୫/୬ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଯେଉଁ ଗ୍ରାଚ୍ୟୁଇଟି ଚେକ୍ ପ୍ରଦାନ କରିଛନ୍ତି, ସେହି ଚେକ୍ ଗୁଡ଼ିକ ଭୁଲ୍ ଥିବା ଯୋଗୁ ତାହା ଅର୍ଥ ପ୍ରାପ୍ୟ ଯୋଗ୍ୟ ହୋଇପାରି ନାହିଁ । ଗ୍ରାଚ୍ୟୁଇଟି ପ୍ରଦାନ କରିବା ସରକାରଙ୍କ ଆଇନ ଥିବା ସତ୍ତ୍ୱେ ଆମମାନଙ୍କ ପ୍ରତି ସରକାର କାହିିଁକି ବାରମ୍ବାର ପ୍ରତାରଣା କରୁଛନ୍ତି ଏବଂ ଯଦି ସରକାର ଖୁବ୍ କମ୍ ଦିନ ମଧ୍ୟରେ ଆମର ଦାବି ପୂରଣ ନକରନ୍ତି, ତେବେ ଏହି ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ଅଲ୍ ଓଡ଼ିଶା ଇପିଏଫ୍ ପେନସନ ଆସୋସିଏସନର ବରିଷ୍ଠ ଉପଦେଷ୍ଟା ନଟବର ଆଚାର୍ଯ୍ୟ କହିଛନ୍ତି । ସେହିପରି ଆମ ଦାବି ପ୍ରତି ସରକାର ସୁବିଚାର ନ କରିବା ପର୍ଯ୍ୟନ୍ତ ଆମେ ଏହି ଆନ୍ଦୋଳନରୁ ଉଠିବୁ ନାହିଁ ଏବଂ ଏଠାରେ ପଡ଼ି ମରିବୁ ବୋଲି ଅଲ ଓଡ଼ିଶା ଇପିଏଫ୍ ପେନସନ ଆସୋସିଏନର ରାଜ୍ୟ ସାଧାରଣ ସମ୍ପାଦକ ଭାଗ୍ୟଧର ବ୍ରହ୍ମା ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ