ଓଡ଼ିଶା ସମେତ ୬ଟି ରାଜ୍ୟକୁ ପ୍ରାକୃତିକ ବିପର‌୍ୟ୍ୟୟ କ୍ଷୟକ୍ଷତି ପାଇଁ ୪୩୮୧.୮୮ କୋଟି ଟଙ୍କାର ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର

ନୂଆଦିଲ୍ଲୀ: ଓଡ଼ିଶା ସମେତ ୬ଟି ରାଜ୍ୟକୁ ଚଳିତବର୍ଷ ବାତ୍ୟା, ବନ୍ୟା ଓ ଭୂସ୍ଖଳନଜନିତ କ୍ଷୟକ୍ଷତି ବାବଦରେ କେନ୍ଦ୍ର ସରକାର ଅତିରିକ୍ତଭାବେ ମୋଟ ୪୩୮୧.୮୮ କୋଟି ଟଙ୍କାର ସହାୟତା ଯୋଗାଇ ଦେବେ । ସ୍ୱରାଷ୍ଟମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ କମିଟି ବୈଠକରେ ଏହା ଅନୁମୋଦନ ଲାଭ କରିଛି । ଏହି ଅର୍ଥ ଜାତୀୟ ବିପର‌୍ୟ୍ୟୟ ମୁକାବିଲା ପାଣ୍ଠି ବା ଏନ୍‌ଡିଆରଫ୍‌ରୁ ଯୋଗାଇ ଦିଆଯିବ । ଯେଉଁସବୁ ରାଜ୍ୟ ଏହି ଅତିରିକ୍ତ ସହାୟତା ପାଇବେ ସେଗୁଡିକ ହେଲା- ଓଡ଼ିଶା, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, କର୍ଣ୍ଣାଟକ, ମଧ୍ୟପ୍ରଦେଶ ଓ ସିକ୍କିମ । ଚଳିତବର୍ଷ ମେ ମାସରେ ଅମ୍ଫନ ବାତ୍ୟା ଯୋଗୁଁ ଓଡିଶା ଓ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଏହା ପରେ ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଓ ପଶ୍ଚିମବଙ୍ଗ ଗସ୍ତ କରି ତତ୍କାଳ କେନ୍ଦ୍ରୀୟ ସହାୟତା ଘୋଷଣା କରିଥିଲେ । ସର୍ବାଧିକ କ୍ଷତିଗ୍ରସ୍ତ ପଶ୍ଚିମବଙ୍ଗକୁ ୧୦୦୦ କୋଟି ଏବଂ ଆଂଶିକ କ୍ଷତିଗ୍ରସ୍ତ ଓଡିଶାକୁ ୫୦୦ କୋଟି ଟଙ୍କାର ସହାୟତା ପ୍ରଧାନମନ୍ତ୍ରୀ ଘୋଷଣା କରିବା ପରେ କେନ୍ଦ୍ର ସରକାର ଅଗ୍ରୀମ ଆକାରରେ ମେ ମାସ ୨୩ ତାରିଖରେ ଦୁଇ ରାଜ୍ୟକୁ ଏହି ଅର୍ଥ ପ୍ରଦାନ କରିଥିଲେ । ଏହାଛଡା ଏହି ବାତ୍ୟାରେ ପ୍ରାଣ ହରାଇଥିବା ଲୋକମାନଙ୍କ ସଂପର୍କୀୟଙ୍କୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ରାଜ୍ୟ ସରକାର ଯୋଗାଇ ଦେଉଥିବା ଅନୁକମ୍ପାମୂଳକ ସହାୟତା ରାଶି ବାହାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି କ୍ଷତିପୂରଣ ରାଶି ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଆଧାରରେ ପ୍ରଦାନ କରାଯାଇଥିଲା । ଉଚ୍ଚସ୍ତରୀୟ କମିଟିଦ୍ୱାରା ଆଜି ଅନୁମୋଦିତ ହୋଇଥିବା ସ୍ୱତନ୍ତ୍ର ସହାୟତା ବ୍ୟବସ୍ଥାରେ ଅମ୍ଫନ ବାତ୍ୟା ପାଇଁ ଓଡିଶା ଆଉ ୧୨୮.୩୨ କୋଟି ଟଙ୍କା ଏବଂ ପଶ୍ଚିମବଙ୍ଗ ୨୭୦୭.୭୭ କୋଟି ଟଙ୍କା ପାଇବେ । ସେହିଭଳି ଚଳିତବର୍ଷ ନିସର୍ଗ ବାତ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ମହାରାଷ୍ଟ୍ର ନିମନ୍ତେ ଅତିରିକ୍ତଭାବେ ୨୬୮.୫୯ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ଅନୁମୋଦନ କରାଯାଇଛି । ଚଳିତବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀବାୟୁ ପ୍ରବାହ କାଳରେ ବନ୍ୟା ଓ ଭୂସ୍ଖଳନ ଯୋଗୁଁ କର୍ଣ୍ଣାଟକ, ମଧ୍ୟପ୍ରଦେଶ ଏବଂ ସିକ୍କିମ ବିଶେଷ କ୍ଷତିଗ୍ରସ୍ତ ହୋଇଥିଲା । ସେଥିପାଇଁ ଏହି ୩ ରାଜ୍ୟକୁ ମଧ୍ୟ ସ୍ୱତନ୍ତ୍ର ଅନୁଦାନ କେନ୍ଦ୍ର ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛି । କର୍ଣ୍ଣାଟକ ଏ ବାବଦରେ ୫୭୭.୮୪ କୋଟି, ମଧ୍ୟପ୍ରଦେଶ ୬୧୧.୬୧ କୋଟି ତଥା ସିକ୍କିମ ୮୭.୮୪ କୋଟି ଟଙ୍କା ପାଇବେ । ଏ ସଂକ୍ରାନ୍ତ ପ୍ରସ୍ତାବ କମିଟିର ଅନୁମୋଦନ ଲାଭ କରିଛି । ପ୍ରାକୃତିକ ବିପର‌୍ୟ୍ୟୟ ଯୋଗୁଁ ଓଡ଼ିଶା ସମେତ ଏହି ୬ଟି ରାଜ୍ୟ କ୍ଷତିଗ୍ରସ୍ତ ହେବା ଫଳରେ କେନ୍ଦ୍ର ସରକାର ତୁରନ୍ତ କ୍ଷୟକ୍ଷତିର ଆକଳନ କରିବା ପାଇଁ ଆନ୍ତଃ ମନ୍ତ୍ରଣାଳୟ କେନ୍ଦ୍ରୀୟ ଦଳ ସଂପୃକ୍ତ ପ୍ରଦେଶଗୁଡିକୁ ପଠାଇଥିଲେ । ପ୍ରଭାବିତ ହୋଇଥିବା ରାଜ୍ୟଗୁଡିକ ପକ୍ଷରୁ କ୍ଷୟକ୍ଷତି ସଂକ୍ରାନ୍ତ ରିପୋର୍ଟ ପାଇବାକୁ ଅପେକ୍ଷା ନ କରି କେନ୍ଦ୍ରୀୟ ଦଳ ସଂପୃକ୍ତ ରାଜ୍ୟ ଗସ୍ତ କରିଥିଲେ । ଚଳିତ ଆର୍ଥିକବର୍ଷ (୨୦୨୦-୨୧)ରେ ଏ ପର‌୍ୟ୍ୟନ୍ତ କେନ୍ଦ୍ର ସରକାର ଦେଶର ୨୮ଟି ରାଜ୍ୟକୁ କେନ୍ଦ୍ରୀୟ ବିପର‌୍ୟ୍ୟୟ ମୁକାବିଲା ପାଣ୍ଠି (ଏନ୍‌ଡିଆରଏଫ୍‌)ରୁ ୧୫,୫୨୪.୪୩ କୋଟି ଟଙ୍କା ଯୋଗାଇ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ