କୁତୁରଙ୍ଗ ପଂଚାୟତ ହାଇସ୍କୁଲ ପରିଦର୍ଶନ କଲେ ଏବିଡିଓ
କେନ୍ଦ୍ରାପଡା,((ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୁତୁରଙ୍ଗ ପଂଚାୟତ ହାଇସ୍କୁଲକୁ ଆଜି ପରିଦର୍ଶନରେ ଯାଇ ସ୍କୁଲର ଭଙ୍ଗା ଶ୍ରେଣୀଗୃହରେ କିଭଳି ଭାବରେ ଛାତ୍ରଛାତ୍ରୀମାନେ ବସି ଅଧ୍ୟୟନ କରୁଛନ୍ତି ତାହା ଦେଖିବା ସହ ସେ ସମ୍ପର୍କରେ ଉପସ୍ଥିତ ଶିକ୍ଷକ,ଶିକ୍ଷୟତ୍ରୀ,ସରପଂଚ ଓ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଛନ୍ତି କେନ୍ଦ୍ରାପଡା ବ୍ଲକର ଏବିଡିଓ ଅନିରୁଦ୍ଧ ବେହେରା । ଭଙ୍ଗା ଦଦରା ଆଜବେଷ୍ଟସ ଛାତ ତଳେ ଓ କାନ୍ଥ ଭଗ୍ନାବସ୍ଥାରେ ଥିବା ଶ୍ରେଣୀଗୃହ ଛାତ୍ରଛାତ୍ରୀମାନଙ୍କ ପାଇଁ ବିପଦ ସୃଷ୍ଟି କରୁଥିବା ବେଳେ ଆବଶ୍ୟକତା ଅନୁଯାଇ ଅଧିକ ଶ୍ରେଣୀଗୃହର ଆବଶ୍ୟକତା ରହିଥିବା ସମ୍ପର୍କରେ ସ୍ଥାନୀୟ ସରପଂଚ ସୀତାସୁନ୍ଦରୀ ମଲ୍ଲିକ,ଶିକ୍ଷକ,ଶିକ୍ଷୟତ୍ରୀ,ଗ୍ରାମବାସୀ ଓ ଯୁବନେତା ନରୋତ୍ତମ ମଲ୍ଲିକ ପ୍ରମୁଖ ଏବିଡିଓ ଶ୍ରୀ ବେହେରାଙ୍କୁ ଅବଗତ କରାଇଥିଲେ । ଏହି ବିଦ୍ୟାଳୟର ଭିତ୍ତିଭୂମୀର ବିକାଶ ହେବା ନିତ୍ୟାନ୍ତ ଆବଶ୍ୟକ ବୋଲି ଏବିଡିଓ ଶ୍ରୀ ବେହେରା ନିଜେ ଅନୁଭବ କରିଥିବା କହିଛନ୍ତି । ପ୍ରାୟ ବର୍ଷକ ତଳେ ଜିଲ୍ଲାପାଳ ଏହି ବିଦ୍ୟାଳୟକୁ ପରିଦର୍ଶନକରି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ଏକ ୨୧ଲକ୍ଷ ଟଙ୍କାର ଅଟ୍ଟକଳ ଆର୍ଥିକ ଅନୁଦାନ ମଞ୍ଜୁର ପାଇଁ ସୁପାରିଶ କରିଥିଲେ ମଧ୍ୟ ଅଦ୍ୟାବଧି କୈାଣସି ଅନୁଦାନ ବିଦ୍ୟାଳୟ ଶ୍ରେଣୀଗୃହ ମରାମତି ବା ନିର୍ମାଣ ପାଇଁ ମିଳିନଥିବା ସୂଚନା ମିଳିଛି ।


