ଓଡ଼ିଶା ସୂଚନା ଅଧିକାର ଅଭିଯାନର ଦ୍ୱାଦଶ ସମ୍ମିଳନୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : କଟକ ଜିଲ୍ଲାର କୁରାଙ୍ଗ ଶାସନ ନିକଟସ୍ଥ ଅମ୍ରାପଲି ରିସୋର୍ଟ୍ଟରେ ଅନୁଷ୍ଠିତ ଓଡ଼ିଶା ସୂଚନା ଅଧିକାର ଅଭିଯାନର ୧୭ତମ ସମ୍ମିଳନୀକୁ ଉଦ୍‌ଘାଟନ କରି ସୂଚନା ଅଧିକାର ଆନ୍ଦୋଳନର ପ୍ରବକ୍ତା ତଥା ବିଶିଷ୍ଟ ସମାଜସେବୀ ଶ୍ରୀମତୀ ଅରୁଣା ରାୟ କହିଥିଲେ, ବର୍ତ୍ତମାନ ସମ୍ବିଧାନ କ୍ଷତାକ୍ତ । ସାମ୍ବିଧାନିକ ବ୍ୟବସ୍ଥା ଉପରେ ପ୍ରଚଣ୍ଡ ଆକ୍ରମଣ ହେଉଛି । ଦେଶରେ ଗଣତାନ୍ତ୍ରିକ ବ୍ୟବସ୍ଥା ମଧ୍ୟ ବିପନ୍ନ । ତେଣୁ ସମ୍ବିଧାନକୁ ସୁରକ୍ଷିତ ରଖିବା ଅତ୍ୟନ୍ତ ଜରୁରୀ । ସମ୍ବିଧାନ ଯଦି ନଥାନ୍ତା, ତେବେ ଆମ୍ଭେ ଆଜି ନଥାନ୍ତୁ । ତେଣୁ ସମ୍ବିଧାନ ଗଣତନ୍ତ୍ରର ଆତ୍ମା । ସାମ୍ବିଧାନିକ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ ସୂଚନା ଅଧିକାର ଆଇନ ହୋଇଛି । ସୂଚନା ଅଧିକାର ଆଇନ ସୁରକ୍ଷିତ ନ ରହିଲେ ଗଣତନ୍ତ୍ର ମଧ୍ୟ ବଂଚିବ ନାହିଁ । ବର୍ତ୍ତମାନ ଦେଶରେ ସମ୍ବିଧାନ, ଗଣତନ୍ତ୍ର ଓ ସୂଚନା ଅଧିକାର ଆଇନ୍ ଉପରେ ହେଉଥିବା ଆକ୍ରମଣକୁ ସମସ୍ତସ୍ତରରେ ବିରୋଧ କରିବା ପାଇଁ ସେ ସୂଚନାଧିକାର କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । ଅଭିଯାନର ରାଜ୍ୟ ଆବାହକ ଶ୍ରୀ ପ୍ରଦୀପ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍‌ଘାଟନୀ ସଭାରେ ରାଜ୍ୟ ମୁଖ୍ୟ ସୂଚନା କମିଶନର ଶ୍ରୀ ଜଳଦ ତ୍ରିପାଠୀ, ପୂର୍ବତନ କେନ୍ଦ୍ରୀୟ ସୂଚନା କମିଶନର ପ୍ରଫେସର ଶ୍ରୀଧର ଆଚାରୁଲ, ପୂର୍ବତନ ରାଜ୍ୟ ମୁଖ୍ୟ ସୂଚନା କମିଶନର ଶ୍ରୀ ସୁନିଲ କୁମାର ମିଶ୍ର, ଅଭିଯାନର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ଶ୍ରୀ ରବି ଦାସ, ସତ୍ୟପ୍ରକାଶ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ପୂର୍ବତନ କେନ୍ଦ୍ରୀୟ ସୂଚନା କମିଶନର ଶ୍ରୀ ଆଚାରୁଲ ସମଗ୍ର ଦେଶରେ ସୂଚନା ଅଧିକାର ଆଇନକୁ ଖତମ କରିବା ପାଇଁ ଚାଲିଥିବା ସରକାରୀ ଷଡ଼ଯନ୍ତ୍ର, ସୂଚନା କମିଶନଙ୍କ ନିର୍ଦ୍ଦେଶ ସତ୍ତ୍ୱେ ବିଭିନ୍ନ ଜନ କର୍ତ୍ତୃପକ୍ଷ ତଥ୍ୟ ପ୍ରଦାନ ନକରିବା, ସୂଚନା କମିଶନଙ୍କ ନିର୍ଦ୍ଦେଶ ଉପରେ ଉପଯୁକ୍ତ ଶୁଣାଣୀ ନକରି ହାଇକୋର୍ଟ ବା ସୁପ୍ରିମକୋର୍ଟ ରହିତାଦେଶ ଜାରି କରିବା ଇତ୍ୟାଦି ସମ୍ପର୍କରେ ଆଲୋକପାତ କରିଥିଲେ । ଦେଶରେ ମାତ୍ର ଏକଭାଗ ଲୋକ ସୂଚନା ଆଇନ୍‌କୁ ବ୍ୟବହାର କରୁଛନ୍ତି । ପୂର୍ବତନ ମୁଖ୍ୟ ସୂଚନା କମିଶନର ଶ୍ରୀ ସୁନିଲ ମିଶ୍ର ତାଙ୍କ ସମୟକାଳରେ କମିଶନ ଦେଇଥିବା ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଯଥା ସ୍ୱୟଂ ପ୍ରକଟନୀୟ ସୂଚନାଗୁଡ଼ିକୁ ଓଡ଼ିଆ ଓ ଇଂରାଜୀ ଭାଷାରେ ପ୍ରକାଶ କରିବା, ବେସରକାରୀ ସଂସ୍ଥା ଯଥା-କିଟ୍ ସଂସ୍ଥା, ଓଡ଼ିଶା ଅଲିମ୍ପିକ ଆସୋସିଏସନ, ଆପୋଲୋ ହସ୍ପିଟାଲ ପ୍ରମୁଖଙ୍କୁ ସୂଚନା ଆଇନ୍‌ର ପରିସରଭୁକ୍ତ କରିବା ଇତ୍ୟାଦି ସମ୍ପର୍କରେ ଆଲୋକପାତ କରିବା ସହ ସୂଚନା ଆଇନକୁ କ୍ରିୟାଶୀଳ କରିବା ପାଇଁ ସମସ୍ତସ୍ତରରେ ଉଦ୍ୟମ ହବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ଆଲୋଚନାରେ ଭାଗ ନେଇ ଶ୍ରୀ ରବି ଦାସ ରାଜ୍ୟରେ ଦୁର୍ନୀତି ବିରୋଧରେ ଲଢେଇ କରୁଥିବା ସୂଚନାଧିକାର କର୍ମୀମାନଙ୍କ ଉପରେ ଲଗାତର ଆକ୍ରମଣ, ହତ୍ୟା, ମିଥ୍ୟା କେସ୍ କରି ଜେଲ୍ ପଠାଇବା ଇତ୍ୟାଦି ଦେଖିବାକୁ ମିଳୁଛି ବୋଲି କହିଥିଲେ । ରାଜ୍ୟରେ ବିରୋଧୀ ଦଳ ଶାସକ ଦଳର ଗୋଡ଼ାଣିଆ ହେଉଥିବା ଯୋଗୁଁ ସୂଚନାଧିକାର କର୍ମୀମାନେ ବିରୋଧୀ ଦଳର କାର୍ଯ୍ୟ କରୁଛନ୍ତି ବୋଲି କହିଥିଲେ । ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକ ‘ସୂଚନା ଆଇନ୍ ଓ ମିଡ଼ିଆ’ ଉପରେ ବକ୍ତବ୍ୟ ଦେଇ ସୂଚନା ଆଇନରେ ପଦାକୁ ଆସୁଥିବା ବିଭିନ୍ନ ତଥ୍ୟକୁ ଭିତ୍ତି କରି ସେ କିପରି ଗଣମାଧ୍ୟମରେ ଖବର ପ୍ରସାରଣ କରିଛନ୍ତି, ଏହାର ଅନୁଭୂତି ବର୍ଣ୍ଣନା କରିଥିଲେ । ମୁଖ୍ୟ ସୂଚନା କମିଶନର ଶ୍ରୀ ଜଳଦ ତ୍ରିପାଠୀ ଏହି ସମ୍ମିଳନୀରେ ‘ସୂଚନା ଆଇନ୍‌ର ସଫଳ କାହାଣୀ’ର ପୁସ୍ତକ ଉନ୍ମୋଚନ କରିଥିଲେ । ବିଭିନ୍ନ ଜନସଂଗଠନର ପ୍ରତିନିଧି ତଥା ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶ୍ରୀ ଶେଷଦେବ ନନ୍ଦ ଚିଟ୍‌ଫଣ୍ଡ ଜମାକାରୀ ସଂଘର ସଂଯୋଜକ ଶ୍ରୀ ମଧୁସୂଦନ ବିଶ୍ୱାଳ ଓ ଅନୁରାଧା ସୁବୁଦ୍ଧି, ଶିକ୍ଷକ ନେତା ଶ୍ରୀ ବିରଞ୍ôଚ ନାରାୟଣ ଦାସ, ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚର ସାଧାରଣ ସମ୍ପାଦକ ଜଗବନ୍ଧୁ ଷଡ଼ଙ୍ଗୀ ପ୍ରମୁଖ ଯୋଗଦେଇ ସୂଚନାଧିକାର କର୍ମୀମାନଙ୍କର ଦୁର୍ନୀତି ବିରୋଧୀ ଲଢେଇକୁ ପ୍ରଶଂସା କରିବା ସହ ସୂଚନା ଅଧିକାର ଅଭିଯାନକୁ ଆହୁରି ସଂଗଠିତ କରିବାକୁ ପରାମର୍ଶ ଦେଇଥିଲେ । ସମ୍ମିଳନୀର ଶେଷଦିନରେ ସୂଚନା ଆଇନକୁ ବ୍ୟବହାର କରି ଦୁର୍ନୀତିର ଖୋଲାସା କରୁଥିବା ଯୋଗୁଁ ଏବଂ ମିଥ୍ୟା କେସ୍‌ରେ ଫସି ଜେଲ୍ ଯାଇଥିବା ଆଠଜଣ ସୂଚନାଧିକାର କର୍ମୀ କଳାହାଣ୍ଡିର ବିନ୍ଦୁ ମହାନନ୍ଦ, ଧୋବା ସାହୁ, ମୟୁରଭଞ୍ଜର ମହେଶ୍ୱର ମହାନ୍ତ, ଢେଙ୍କାନାଳର ମହେଶ୍ୱର ମହାନ୍ତି, ଗଞ୍ଜାମର ସୀମାଞ୍ଚଳ ଜେନା, ଯାଜପୁର ଜିଲ୍ଲାର ସର୍ବେଶ୍ୱର ବେହୁରା ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ରାଜ୍ୟରେ ସୂଚନା ଅଧିକାର ନିୟମାବଳୀକୁ ସଂଶୋଧନ କରି ଲୋକାଭିମୁଖୀ କରାଇବା, ସ୍ୱୟଂ ପ୍ରକଟନୀୟ ସୂଚନାଗୁଡ଼ିକୁ ଓଡ଼ିଆଭାଷାରେ ପ୍ରକାଶନ, ସୂଚନା କମିଶନରେ ଭିଡ଼ିଓ, ଅଡ଼ିଓ ଦ୍ୱାରା ଶୁଣାଣୀ କରିବା, ଅନଲାଇନରେ ସୂଚନା ଆବେଦନ ବ୍ୟବସ୍ଥାକୁ ସୁସଂଗଠିତ କରିବା, ସୂଚନାଧିକାର କର୍ମୀମାନଙ୍କୁ ସୁରକ୍ଷା ପ୍ରଦାନ, ସେମାନଙ୍କ ବିରୁଦ୍ଧରେ ମିଥ୍ୟା ମୋକଦ୍ଦମାର ପ୍ରତ୍ୟାହାର ପାଇଁ ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହିତ ହୋଇଥିଲା । ଡ଼ିସେମ୍ବର ୩ରୁ ୫ ତିନିଦିନ ବ୍ୟାପୀ ଏହି ସମ୍ମିଳନୀରେ ପ୍ରତିକୂଳ ପାଗ ସତ୍ତ୍ୱେ ଓଡ଼ିଶାର ୧୭ଟି ଜିଲ୍ଲାରୁ ୨୦୦ରୁ ଉର୍ଦ୍ଧ୍ୱ ସୂଚନାଧିକାର କର୍ମୀ ଯୋଗ ଦେଇଥିଲେ । ଏହି ସମ୍ମିଳନୀକୁ ଅଭିଯାନର ସଦସ୍ୟ ଶ୍ରୀ ଶ୍ରୀକାନ୍ତ ପାକଳ, ସଚ୍ଚିକାନ୍ତ ପ୍ରଧାନ, ସୌମ୍ୟରଞ୍ଜନ ପ୍ରଧାନ, ଜିତେନ୍ଦ୍ର ସାହୁ, ସଂଯୁକ୍ତା ପାଣିଗ୍ରାହୀ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ