କଂଚୁରୁ ଗ୍ରାମପଂଚାୟତ ୫ ଦିନ ପାଇଁ ସଟଡ଼ାଉନ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : କରୋନା ପ୍ରବଣ ଗଞ୍ଜାମ ଜିଲ୍ଲାର ସ୍ଥିତି ସମ୍ପୁର୍ଣ୍ଣ ଅଣାୟତ । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାରରୁ ଅଧିକ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୨୧ ରହିଛି । ଏଭଳି ସ୍ଥିତିରେ ଗଞ୍ଜାମ ଜିଲ୍ଲାର ୨ୟ ବୃହତମ ସହର ଭାବେ ପରିଗଣିତ ତଥା ଜିଲ୍ଲାର ଏକମାତ୍ର ପୌରପାଳିକା ହିଞ୍ଜିଳିକାଟୁ ସହର ମଧ୍ୟ ଏଥିରୁ ବାଦ୍ ପଡ଼ିନି ।ସ୍ଥାନୀୟ ପୌରାଂଚଳ ସମେତ ବ୍ଳକର ବିଭିନ୍ନ ଗ୍ରାମାଂଚଳରେ ମଧ୍ୟ ବହୁ ବ୍ୟକ୍ତିଙ୍କ ଶରୀରରେ କରୋନା ଲକ୍ଷଣ ରହିଥିବା ଏବଂ ସଂକ୍ରମିତ ରହିଥିବା ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସୁତ୍ରରୁ ସୂଚନା ମିଳିଛି । ସ୍ଥାନୀୟ ବ୍ଳକର ବିଭିନ୍ନ ପଂଚାୟତରେ ସ୍ଥିତି ନିୟନ୍ତ୍ରାଣଧିନ ରହିଥିବା କୁହାଯାଉଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ସଂକ୍ରମିତଙ୍କ ସଂଖ୍ୟା ବହୁ ଅଧିକ ରହିଥିବା ଏବଂ କିଛି ବ୍ୟକ୍ତି ଜାଣିଶୁଣି ରୋଗକୁ ଲୁଚାଉଥିବା ନେଇ ଅଂଚଳରେ ଚର୍ଚ୍ଚା ଜୋର ଧରିଛି । ସ୍ଥାନୀୟ ବ୍ଳକ କଂଚୁରୁୀ ନିକଟବର୍ତି ସମରଝୋଳ, ବଡ଼ଖଣ୍ଡି ଓ ନିକଟବର୍ତି କୁକୁଡ଼ାଖଣ୍ଡି ବ୍ଳକରେ କରୋନା ସଂକ୍ରମତିଙ୍କ ସଂଖ୍ୟା ହୁ ହୁ ହୋଇ ବଡି ଚାଲିଥିବା ବେଳେ ସଂପୃକ୍ତ ଗ୍ରାମ ପଂଚାୟତରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା କରି ସରଂପଚ ପି. ବାସନ୍ତି ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରି ସଂପୃକ୍ତ ପଂଚାୟତକୁ ସୋମବାର ଠାରୁ ୫ ଦିନ ସକାଣେ ଅର୍ଥାତ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ସଟଡ଼ାଉନ ଘୋଷଣା କରିଥିଲେ । ପଂଚାୟତର ସରଂପଚ ପି. ବାସନ୍ତି, ହିଞ୍ଜିଳିକାଟୁ ବିଡ଼ିଓ ପ୍ରସନ କୁମାର ପାତ୍ରଙ୍କ ସହ ଏ ନେଇ ଆଲୋଚନା କରିଛନ୍ତି । ପରିସ୍ଥିତିରେ ସୁଧାର ନଆସିଲେ ଆଗାମୀ ଦିନରେ ସଂପୃକ୍ତ ପଂଚାୟତକୁ କଂଟେନମେଂଟ ଜୋନ ଭାବେ ଘୋଷଣା କରାଯିବ ବୋଲି ସରଂପଚ କହିଛନ୍ତି । ଏହାର ଏକାକିତା ନକଲ ସ୍ଥାନୀୟ ତହସିଲଦାର ଓ ଥାନା ଅଧିକାରୀଙ୍କ ନିକଟକୁ ପ୍ରେରଣ କରାଯାଇଛି ।


