ଶିବିରରେ ସାମାଜିକ ଦ୍ୱରତ୍ୱ ଓ ମୁହଁରେ ମାସ୍କ ପିନ୍ଧିବା କଟକଣାକୁ ଅଣଦେଖା
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : କଳପଡା ସରକାରୀ ହାଇସ୍କୁଲ ପରିସରରେ କୋଭିଡ -୧୯ ଅନ୍ତର୍ଗତ କରୋନା ଭୂତାଣୁ ସଂକ୍ରମଣ ସମ୍ପର୍କରେ ସଚେତନ ହେବା ଓ ନିଜଠାରେ ସେହି ଭୂତାଣୁ ସଂକ୍ରମିତ ହୋଇଛିକି ନାହିଁ ତାହା ଜାଣିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଗଣା ସ୍କ୍ୱାବ ସଂଗ୍ରହ ଶିବିର ଅନୁଷ୍ଠିତ ହୋଇଯାଇଛି । କୋଭିଡ-୧୯ର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ନୋଡାଲ ଅଧିକାରୀ ଡା.ନୃପେନ ଶତପଥୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସ୍କ୍ୱାବ ସଂଗ୍ରହ ଶିବିରରେ ଅଣୁଜୀବ ବିଶେଷଜ୍ଞ ସତ୍ୟନାରାୟଣ ସିଂ, ଲାବୋରୋଟୋରୀ ଟେକନିସିଆନ ସଶ୍ମିତା ସ୍ୱାଇଁ, ଫିନିଲତା ସୁନ୍ଦରରାୟ ଓ ରଜନୀକାନ୍ତ ସେନାପତି ପ୍ରମୁଖ ଯୋଗଦେଇ ପଞ୍ଜିକୃତ ବଗଡା ଓ କଳପଡା ଗ୍ରାମପଂଚାୟତର ୨୫୫ଜଣ ସାଧାରଣ ଲୋକଙ୍କ ଠାରୁ ସ୍କ୍ୱାବ ସଂଗ୍ରହ କରିଥିଲେ । ଏହି ସଂଗୃହିତ ସ୍କ୍ୱାବ ଗୁଡିକୁ ପରୀକ୍ଷା ପାଇଁ ଭୂବନେଶ୍ୱରକୁ ପଠାଯିବ ବୋଲି ନୋଡାଲ ଅଧିକାରୀ ଡା. ଶତପଥୀ ସୂଚନା ଦେଇଛନ୍ତି । ଏହି ଶିବିରରେ ଆଶାକର୍ମୀ, ଅଙ୍ଗନୱାର୍ଡିକର୍ମୀ, ଶିକ୍ଷକ, ଶିକ୍ଷୟତ୍ରୀ, କଳପଡା ସରପଂଚ ନିତ୍ୟାନନ୍ଦ ସେଠୀ, ଜିଲ୍ଲା ପରିଷଦ ସଭ୍ୟ ଜ୍ୟୋସ୍ôନାରାଣୀ ଜେନା, ପୂର୍ବତନ ବଗଡା ସମିତିସଭ୍ୟ ଦିଲ୍ଲିପ କୁମାର ସାହୁ, ବଗଡା ପଂଚାୟତ ସଭାପତି ଦେବପ୍ରସାଦ ପାଣି, ସୁଧିର କୁମାର ସ୍ୱାଇଁ, ଉମାକାନ୍ତ ପତି ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ । କେନ୍ଦ୍ରାପଡା ବିଡିଓ ସୁଧିର କୁମାର ସିଂ ଶିବିର ସ୍ଥଳରେ ପହଁଚି ଶିବିର ପରିଚାଳନା ସମ୍ପର୍କରେ ପଚାରି ବୁଝିଥିଲେ । ଏହି ଶିବିରରେ ସ୍କ୍ୱାବ ପରୀକ୍ଷା ପାଇଁ ଆସୁଥିବା ଲୋକମାନଙ୍କ ଭିତରେ ସାମାଜିକ ଦ୍ୱରତ୍ୱ ରକ୍ଷା ଓ ମୁହଁରେ ମାସ୍କ ପିନ୍ଧିବା କଟକଣାକୁ ସଂପୂର୍ଣ୍ଣ ଅଣଦେଖା କରାଯାଇଥିବା ଦେଖିବାକୁ ମିଳିଥିଲା ।


