କଟକ ଦୁର୍ଗାପୂଜା ପାଇଁ ଆଜିଠୁ ଖାେଲିଲା ସିଙ୍ଗଲ୍ ୱିଣ୍ଡୋ
କଟକ, (ଓ୍ବାଇଏନଏସ): କଟକରେ ଦୁର୍ଗାପୂଜା ପାଇଁ ଆଜିଠୁ ସିଙ୍ଗଲ୍ ୱିଣ୍ଡୋ ବ୍ୟବସ୍ଥା । ବାରବାଟୀ ପ୍ୟାଲେସରେ ସକାଳ ୧୦ଟାରୁ ୫ଟା ପର୍ଯ୍ୟନ୍ତ ଆବେଦନ। ଶାରଦୀୟ ଦୁର୍ଗାପୂଜା–୨୦୨୬କୁ କଟକ ସହରରେ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ସୁଗମ ଭାବେ ପାଳନ ନିମନ୍ତେ ବାରବାଟୀ ପ୍ୟାଲେସଠାରେ ଆଜି ଠାରୁ ସିଙ୍ଗଲ୍ ୱିଣ୍ଡୋ ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବ । ପ୍ରଥମ ୪ଦିନରେ ସମସ୍ତ ପୂଜା କମିଟି ଏନ୍ଓସି ଓ ଆବଶ୍ୟକ ଅନୁମତିପତ୍ର ପାଇଁ ଆବେଦନ କରିପାରିବେ । ପୂଜା କମିଟିଗୁଡ଼ିକୁ ତ୍ୱରିତ ଭାବେ ଏନ୍ଓସି ଓ ଆବଶ୍ୟକ ଅନୁମତି ପ୍ରଦାନ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି । ତହସିଲ କାର୍ଯ୍ୟାଳୟ, ଆର୍ଟିଓ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗର ଆବଶ୍ୟକ ଅନୁମତି ପ୍ରମାଣପତ୍ର ପାଇଁ ଆବଶ୍ୟକ ଫି ମଧ୍ୟ ଗୋଟିଏ ସ୍ଥାନରେ ଦାଖଲ କରାଯାଇପାରିବ । ବାରବାଟୀ ପ୍ୟାଲେସ୍ଠାରେ ସମ୍ପୃକ୍ତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ପୂଜା କମିଟିଗୁଡ଼ିକର ଆବେଦନ ଗ୍ରହଣ କରିବା ସହ ଆବଶ୍ୟକ ପ୍ରକ୍ରିୟା ସମ୍ପାଦନ କରିବେ । ଅତିରିକ୍ତ ଜିଲ୍ଲାପାଳ କମଲଜିତ ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହେବ । ଉପଜିଲ୍ଲାପାଳ, କଟକ ସଦର, ଶ୍ରୀ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ସିଂ ସିଙ୍ଗଲ୍ ୱିଣ୍ଡୋ ସିଷ୍ଟମ୍ର ନୋଡାଲ ଅଧିକାରୀ ଅଛନ୍ତି ।


