କନ୍ଧମାଳରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ୨୦୨୩ ଆରମ୍ଭ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ଜାନୁଆରୀ ୦୧ ତାରିଖକୁ ଯୋଗ୍ୟତା ତାରିଖ ଭାବେ ଗ୍ରହଣ କରି ଭାରତର ନିର୍ବାଚନ ଆୟୋଗ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ୨୦୨୩ ଆରମ୍ଭ ହୋଇଛି । ଏହି କ୍ରମରେ, କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଦ୍ଭାବନା ସଭାଗୃହରେ ଜାତୀୟ ଓ ରାଜ୍ୟ ସ୍ତରର ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ମୁଖ୍ୟମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ବୈଠକରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ, ନାଗରିକମାନଙ୍କର ବୟସ ୦୧ ଜାନୁଆରୀ, ୨୦୨୩, ୦୧ ଏପ୍ରିଲ, ୨୦୨୩, ୦୧ ଜୁଲାଇ, ୨୦୨୩ କିମ୍ବା ୦୧ ଅକ୍ଟୋବର ୨୦୨୩ ପୂର୍ବରୁ ୧୮ ବର୍ଷ ହେଉଛି ସେମାନେ ଏହି ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମରେ ସାମିଲ୍ ହୋଇ ଜଣେ ଜଣେ ଭୋଟର ଭାବରେ ପଞ୍ଜିକରଣ ପାଇଁ ଆଗୁଆ ଆବେଦନ କରିପାରିବେ ବୋଲି ପ୍ରକାଶ କରିଥିଲେ । ଭୋଟର ମାନଙ୍କ ସୁବିଧା ଦୃଷ୍ଟିରୁ ନଭେମ୍ବର ୧୨ ,୧୩ ଏବଂ ୨୬ ଓ ୨୭ ତାରିଖ ଦିନ ସବୁ ବୁଥ୍ ରେ ସ୍ୱତନ୍ତ୍ର ଅଭିଯାନ କାର୍ଯ୍ୟକାରୀ କରିବାକୁ ଗୋଷ୍ଠୀ ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ନାଗରିକମାନେ ଭୋଟର ତାଲିକାରେ ସେମାନଙ୍କର ନାମ ଯୋଗ ବା ବାଦ୍ ଦେବା କିମ୍ବା ତ୍ରୁଟି ସଂଶୋଧନ ନିମନ୍ତେ ଦାବି ଓ ଆପତ୍ତି ସଂପୃକ୍ତ ଭୋଟ୍ ପଞ୍ଜିକରଣ ଅଧିକାରୀଙ୍କୁ ନିର୍ଦ୍ଧାରିତ ଫର୍ମରେ ଜଣାଇପାରିବେ । ଏତଦ୍ ବ୍ୟତିତ ବୁଥ୍ ସ୍ତରରେ ନିଯୁକ୍ତ ହୋଇଥିବା ବୁଥ୍ ସ୍ତରୀୟ ଅଧିକାରୀଙ୍କୁ ମଧ୍ୟ ନିର୍ଦ୍ଧାରିତ ଫର୍ମରେ ଜଣାଇପାରିବେ । ତେବେ ଏହି ସବୁ କାର୍ଯ୍ୟ ନିର୍ଭୁଲ ଏବଂ ସହଜରେ ଅନଲାଇନ ମାଧ୍ୟମରେ ହୋଇପାରିବ ଏବଂ ନାଗରିକମାନେ ଘରେ ବସି ଆବେଦନ ଓ ସଂଶୋଧନ କରିପାରିବେ । ସେହିପରି ଭୋଟ୍ ପଞ୍ଜିକରଣ ଅଧିକାରୀ ତଥା କନ୍ଧମାଳ ଉପ ଜିଲ୍ଲାପାଳ ଶେଷଦେବ ମିଶ୍ର ପ୍ରକାଶ କରିଥିଲେ ଯେ , ଭୋଟର ତାଲିକାରେ ନୂତନଭାବେ ନାମ ପଞ୍ଜିକରଣ ନିମନ୍ତେ ଫର୍ମ -୬, ଭୋଟର ତାଲିକାରେ ଥିବା ପୂର୍ବର ତଥ୍ୟକୁ ସଂଶୋଧନ କରିବା ପାଇଁ ଫର୍ମ-୮, ଭୋଟର ତାଲିକାରୁ ନାମ ବାଦ୍ ଦେବା ନିମନ୍ତେ ଫର୍ମ-୭ ଏବଂ ଭୋଟର ପରିଚୟ ପତ୍ରକୁ ଆଧର କାର୍ଡ ସହିତ ସଂଯୋଗ କରିବା ପାଇଁ ଫର୍ମ-୬ଖ ରେ ଆବେଦନ କରିପାରିବେ ବୋଲି ପ୍ରକାଶ କରିବା ସହିତ ଆଧାର ଲିଙ୍କ୍ କଲେ ଜଣେ ଅନ୍ୟ ଜଣଙ୍କର ନାମରେ ଭୋଟ ଦେଇପାରିବ ନାହିଁ ବୋଲି ପ୍ରକାଶ କରିଥିଲେ । ଚୁଡ଼ାନ୍ତ ଭୋଟର ତାଲିକା ଜାନୁଆରି ୫ ତାରିଖରେ ପ୍ରକାଶ ପାଇବ ବୋଲି ସୂଚନା ଦିଆଯାଇଛି । ଉକ୍ତ ବୈଠକରେ ଡେପୁଟି କଲେକ୍ଟର (ନିର୍ବାଚନ) ବୁନା ପ୍ରଧାନ, ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳମାନଙ୍କର ମୁଖ୍ୟ, ବିଭାଗୀୟ ପଦାଧିକାରୀ ମାନେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ