କମ୍ୟୁନିଷ୍ଟ ପାର୍ଟିର ଜିଲ୍ଲା ପରିଷଦ ବୈଠକ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ବିପୁଳ ପ୍ରାକୃତିକ ସମ୍ପଦ ଥିବା ସତ୍ୱେ ଓଡିଶା ଦେଶର ଅନ୍ୟତମ ଦରିଦ୍ର ରାଜ୍ୟ । ଏଥିପାଇଁ ଦୀର୍ଘ ୨୩ ବର୍ଷ ଧରି ଓଡିଶାକୁ ବୁଝାମଣା ଭିତ୍ତିରେ ଶାସନ କରୁଥିବା ଉଭୟ ବିଜେଡି ଓ ବିଜେପିର ଜନ ବିରୋଧି ଦିଶାହୀନ ରାଜନୀତି ଦାୟୀ । ଏଥିରେ ପରିବର୍ତ୍ତନ ଆଣି ଏକ ବିକଳ୍ପ ରାଜନୀତି ଠିଆ କରିବାକୁ ହେବ । ଏହି ଲକ୍ଷ୍ୟରେ ଆସନ୍ତା ମାର୍ଚ୍ଚ ୨୩ ସହୀଦ ଦିବସ ଅବସରରେ ଭୁବନେଶ୍ୱରରେ ହେବାକୁ ଥିବା ବିକଳ୍ପ ସମାବେଶକୁ ସଫଳ କରିବା ନିମନ୍ତେ କେନ୍ଦ୍ରାପଡା ଗସ୍ତରେ ଆସି ପାର୍ଟିର ଜିଲ୍ଲା ପରିଷଦ ବୈଠକରେ ଉପସ୍ଥିତ କର୍ମକର୍ତ୍ତାମାନଙ୍କୁ ସି.ପି.ଆଇ ରାଜ୍ୟ ସମ୍ପାଦକ ଅଭୟ ସାହୁ ଓ ଡା. ପ୍ରଶାନ୍ତ ମିଶ୍ର ଆହ୍ୱାନ ଦେଇଛନ୍ତି । ଏଥିସହିତ ଜିଲ୍ଲାବାସୀଙ୍କ ମୌଳିକ ସମସ୍ୟାର ସମାଧାନ ନିମନ୍ତେ ଜିଲ୍ଲାବାସୀଙ୍କ ଦ୍ୱାରା କରାଯାଇଥିବା ମେଡିକାଲ କଲେଜ ପ୍ରତିଷ୍ଠା, ସହରାଞ୍ଚଳ ବାସୀଙ୍କୁ ସହଜ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା, କେନ୍ଦ୍ରାପଡାକୁ ଯାତ୍ରୀବାହୀ ରେଳ ଚଳାଚଳ ବ୍ୟବସ୍ଥା ନିମନ୍ତେ ହେଉଥିବା ଜନଆନ୍ଦୋଳନକୁ ପାର୍ଟି ପକ୍ଷରୁ ନୈତିକ ସମର୍ଥନ ଦେବା ସହ ଏହିସବୁ ଜନଦାବୀକୁ ତୁରନ୍ତ ସମାଧାନ କରିବା ନିମନ୍ତେ ସରକାରଙ୍କଠାରେ ଦାବୀ କରିଥିଲେ । ଶ୍ରମିକ ନେତା ସାଥୀ ବାବାଜୀ ଧଳଙ୍କ ସଭାପତିତ୍ୱରେ ଗରାପୁରଠାରେ ଅନୁଷ୍ଠିତ ଏହି ଜିଲ୍ଲା ପରିଷଦ ବୈଠକରେ ଜିଲ୍ଲା ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ସହ ସମ୍ପାଦକ ଆଦିକଦ ରାଉଳ, ଅଧ୍ୟାପକ ଅଜୟ ସାମଲ, ବାବାଜୀ ଧଳ, ବିକାଶ ଚନ୍ଦ୍ର ବେଉରା, ସୋହାନା ବେଗମ, ରବୀନ୍ଦ୍ର ପରିଡା, ସୀତାକାନ୍ତ ନାୟକ, ସଞ୍ଜୟ ବସନ୍ତିଆ ପ୍ରମୁଖ ଉପସ୍ଥିତ ଥିଲେ ।


