କରୋନା ନିୟନ୍ତ୍ରଣ ଦିଗରେ ଲୋକେ କେତେ ସଚେତନ

ସୁବାସ କୁମାର ତାରଣିଆଁ
ମୋ : ୮୩୨୮୮୪୦୨୧୪

ବର୍ତ୍ତମାନ ମହାମାରୀ କରୋନା ସବୁଠାରୁ ଭୟଙ୍କର ପରିସ୍ଥିତି ଦେଇ ଗତି କରୁଛି ଯାହାକୁ ନେଇ ସମଗ୍ର ମାନବ ଜାତି ଆଜି ଆତଙ୍କିତ । ଦୀର୍ଘ ୭ ମାସ ବିତି ଯାଇଥିଲେ ମଧ୍ୟ କରୋନାର ପ୍ରକୋପ କମୁନାହିଁ । ବରଂ ଦିନକୁ ଦିନ ସମୟ ଯେତେ ଅତିବାହିତ ହେଉଛି, କରୋନାର କରାଳ ରୂପ ସେତେ ଉଗ୍ରରୂପ ଧାରଣ କରୁଛି । ସାରା ବିଶ୍ୱକୁ କରୋନା କବଳିତ କରି ରଖିଥିଲେ ମଧ୍ୟ କୌଣସି ରାଷ୍ଟ୍ର ଏହାକୁ ମୁକାବିଲା କରିବାରେ ସଫଳ ହୋଇପାରି ନାହାଁନ୍ତି । ବର୍ତ୍ତମାନ କରୋନା ସଂକ୍ରମିତ ରାଷ୍ଟ୍ର୍ରଗୁଡିକୁ ଅନୁଧ୍ୟାନ କଲେ ଜଣାଯାଏ ଯେ, ଆମେରିକା ପରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି ଯାହାକୁ ନେଇ ବୁଦ୍ଧିଜୀବୀ ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମୁଣ୍ଡବିନ୍ଧାର କାରଣ ସାଜିଛି । ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ସମସ୍ତେ ଚାହିଁ ରହିଛନ୍ତି କେବେ ବାହାରିବ କରୋନା ପ୍ରତିଶେଧକ ଟୀକା, କେବେ ଫେରିବ ପୂର୍ବଭଳି ସ୍ୱାଭାବିକ ଅବସ୍ଥା? ଇତି ମଧ୍ୟରେ ଦେଶରେ କରୋନା ଆକ୍ରାନ୍ଥଙ୍କ ସଂଖ୍ୟା ୬୪ ଲକ୍ଷ ୭୩ ହଜାର ୫୪୪କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ହଜାର ୮୪୨କୁ ବୃଦ୍ଧି ପାଇଛି । ସେହିପରି ଓଡ଼ିଶାରେ କରୋନା ଆକ୍ରାନ୍ଥଙ୍କ ସଂଖ୍ୟା ୨ ଲକ୍ଷ ୨୯ ହଜାର ୩୮୭କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୮୯୨କୁ ବୃଦ୍ଧି ପାଇଛି । ଏହି କରୋନା ମହାମାରୀ କେବେ ବିଶ୍ୱରୁ ବିଦାୟ ନେବ, ତାର ସଠିକ୍ ଉତ୍ତର ଆଜି ପର୍ଯ୍ୟନ୍ତ କୌଣସି ଡ଼ାକ୍ତର, ସ୍ୱାସ୍ଥ୍ୟ ବିଶେଷଜ୍ଞ ବା ବୈଜ୍ଞାନିକମାନେ କେହି ଦେଇପାରି ନାହାଁନ୍ତି । କେବଳ ସଚେତନ ରହି ସାମାଜିକ ଦୂରତା ରକ୍ଷା କରିପାରିଲେ କରୋନା ଆମ ଠାରୁ ଦୂରେଇ ରହିବ ।
ଓଡ଼ିଶାରେ ପ୍ରଥମେ ମାର୍ଚ୍ଚ ମାସରେ ପ୍ରବେଶ କରିଥିଲା ମହାମାରୀ କରୋନା । ସରକାର କରୋନାକୁ ନିୟନ୍ତ୍ରଣ କରିବାକୁ ଯାଇ ଲୋକମାନଙ୍କୁ ଘରେ ରୁହନ୍ତୁ ଓ ସୁସ୍ଥ ରୁହନ୍ତୁ ବୋଲି ବାରମ୍ବାର ଲକ୍‌ଟାଉନ ଓ ସଟ୍‌ଡ଼ାଉନ୍ ଘୋଷଣା କଲେ । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ତଥା ଲୋକମାନଙ୍କ ସୁରକ୍ଷା ଦୃଷ୍ଟିରୁ ସ୍କୁଲ୍‌, କଲେଜ, ଦୋକାନବଜାର, ମନ୍ଦିର, ମସଜିଦ୍ ଓ ମଲ୍‌ସବୁ ବନ୍ଦ ରହିଲା । କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀକୁ ଛାଡ଼ି ବାକି ସବୁ ବନ୍ଦ ରହିଲା । ଏହି ନିୟମକୁ କଡ଼ାକଡ଼ି ପାଳନ କରିବା ପାଇଁ ଦୋକାନ, ବଜାର ଓ ଛକମାନଙ୍କରେ ପୋଲିସ୍ ପଇଁତରା ମାରିଲେ । ଲୋକମାନେ ଘରେ ଥିଲେ, ସୁସ୍ଥରେ ଥିଲେ । ଅନ୍ୟପଟେ ଦୀର୍ଘ ମାସ ଧରି ଲକ୍‌ଡ଼ାଉନ୍ ଓ ସଟ୍‌ଡ଼ାଉନ ଜାରି ରହିବା ଫଳରେ ବେପାର ବାଣିଜ୍ୟ କ୍ଷେତ୍ରରେ ମାନ୍ଦାବସ୍ଥା ଦେଖାଦେଲା, ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଲେ । ଦୀର୍ଘ ଦିନ ଧରି ଦୋକାନ ବଜାର ବନ୍ଦ ରହିବା ଫଳରେ ଲୋକମାନଙ୍କର ଆର୍ଥିକ ମେରୁଦଣ୍ଡ ଏକ ପ୍ରକାର ଦୁର୍ବଳ ହୋଇପଡ଼ିଲା । ଏପରିକି ନିଜର ପରିବାର ପ୍ରତିପୋଷଣ ପାଇଁ ଲୋକମାନେ ଅସମର୍ଥ ହୋଇପଡ଼ିଲେ । ଦେଶର ଅର୍ଥନୀତିରେ ଭୟଙ୍କର ସଙ୍କଟ ଦେଖାଦେଲା । ଜୀବନ ଜୀବିକା ବିପନ୍ନ ହୋଇପଡ଼ିଲା । ଲୋକମାନଙ୍କ ଏହିସବୁ ସମସ୍ୟାକୁ ହୃଦୟଙ୍ଗମ କରି ରାଜ୍ୟ ସରକାର ଲକ୍‌ଡ଼ାଉନ ଓ ସଟ୍‌ଡ଼ାଉନକୁ କୋହଳ କରିଦେଲେ । କିନ୍ତୁ ସାମାଜିକ ଦୂରତା ବଜାୟ ରଖିବା, ନିୟମିତ ମାସ୍କ ବ୍ୟବହାର କରିବା, ବାରମ୍ବାର ସାବୁନ୍‌ରେ ହାତ ଧୋଇବା, ଜନଗହଳିପୂର୍ଣ୍ଣ ସ୍ଥାନକୁ ନଯିବା, ଜରୁରୀ କାମ ନଥିଲେ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଗଲା । ହେଲେ ସରକାରଙ୍କ ଏହି ପରାମର୍ଶ ପ୍ରଭାବ ଲୋକମାନଙ୍କ ଉପରେ ପଡ଼ିଲା ନାହିଁ । ଲକ୍‌ଡ଼ାଉନ୍ ଓ ସଟଡ଼ାଉନ୍ କୋହଳ ହେବା ଫଳରେ ଲୋକମାନଙ୍କ ମଧ୍ୟରେ ସଚେତନତାର ଅଭାବ ଦେଖାଦେଲା । ଲୋକମାନେ ବିନା ମାସ୍କରେ ଖୁଲାମଖୁଲା ବୁଲିଲେ । ବିଶେଷକରି ରାଜଧାନୀରେ ରହୁଥିବା ଶିକ୍ଷିତ ଜନସାଧାରଣଙ୍କ କ୍ଷେତ୍ରରେ ଏହା ବେଶୀ ପରିଲକ୍ଷିତ ହୋଇଛି । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ରାଜଧାନୀର ହୋଟେଲ, ରେଷ୍ଟୁରାଣ୍ଟ ଓ ସପିଂ ମଲ୍‌, ଫାଷ୍ଟଫୁଡ୍ ଓ ଥଣ୍ଡାପାନୀୟ ଦୋକାନମାନଙ୍କରେ ଭିଡ଼ ଜମାଇବା କାରଣରୁ ଏହାର ଭୟଙ୍କର ପରିଣତି ସାଧାରଣ ଲୋକମାନଙ୍କ ଉପରେ ପଡିଲା । ଏହିଭଳି ଘନିସନ୍ଧି ମୁହୂର୍ତ୍ତରେ ରାଜଧାନୀର ମାଛ ଓ ମାଂସ ଦୋକାନରେ ହେଉଥିବା ଗହଳିକୁ ଦେଖିଲେ ଲୋକମାନଙ୍କ ମଧ୍ୟରେ କେତେ ଯେ ସାମାଜିକ ଦୂରତା ରକ୍ଷା କରାଯାଉଛି ତାହା ସ୍ପଷ୍ଟ ଅନୁମେୟ ହୁଏ । ଏବେ ଦେଖାଯାଉଛି ଯେ, ଲକ୍‌ଡ଼ାଉନ, ସଟ୍‌ଡ଼ାଉନ ସମୟରେ କରୋନା ସଂକ୍ରମିତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ଅଧିକ ସଂଖ୍ୟକ ଚିହ୍ନଟ ହେଉଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ଖୁବ୍ କମ୍ ସଂଖ୍ୟାରେ ଚିହ୍ନଟ ହେଉଥିଲେ, କିନ୍ତୁ ଲକ୍‌ଟାଉନ, ସଟଡ଼ାଉନ କୋହଳ ପରେ, ସଙ୍ଗରୋଧ କେନ୍ଦ୍ରରୁ କମ୍ ସଂଖ୍ୟକ ଚିହ୍ନଟ ହେଉଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ମାତ୍ରାଧିକ ସଂକ୍ରମିତ ଚିହ୍ନଟ ହେଲେ । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ଲୋକମାନଙ୍କ ମଧ୍ୟରେ ସଚେତନତାର ଅଭାବ ଏହାର ମୁଖ୍ୟ କାରଣ । ଯାହାର ପରିଣତିସ୍ୱରୂପ କେବଳ ରାଜଧାନୀ ଭୁବନେଶ୍ୱରରେ ୨୨ ହଜାର ୮୭୬ଜଣ କରୋନାରେ ଆକ୍ରାନ୍ଥ ହୋଇଥିବା ବେଳେ ୧୦୦ ଜଣଙ୍କର ମୃତ୍ୟୁ ଘଟିଛି । ଏହି କାରୋନା ସଂକ୍ରମିତଙ୍କ ମଧ୍ୟରେ ବହୁ ବିଧାୟକ, ମନ୍ତ୍ରୀ, ପ୍ରଶାସନିକ ଅଧିକାରୀ ଓ କରୋନା ଯୋଦ୍ଧା ମଧ୍ୟ ସାମିଲ୍ ହୋଇଛନ୍ତି । କରୋନା ନିୟମକୁ ଉଲଂଘନ କରୁଥିବା ବ୍ୟକ୍ତିମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିଲେ ମଧ୍ୟ ଲୋକମାନଙ୍କ ମଧ୍ୟରେ କୌଣସି ପରିବର୍ତ୍ତନ ଘଟିଲା ନାହିଁ । ଏପରିକି ଅନେକ ବ୍ୟକ୍ତି ଏକାଧିକଥର ଜୋରିମାନା ଦେଇ ସାରିଲେଣି, ଫଳ କିନ୍ତୁ ଶୂନ । ସେହିପରି ରାଜ୍ୟ ସରକାର କରୋନା କଟକଣା ସମୟରେ ବିବାହ ଉତ୍ସବ, ପର୍ବପର୍ବାଣୀ ଓ ଜନ ସମାଗମ ଉପରେ କଟକଣା ଜାରି କରିଥିଲେ ମଧ୍ୟ ଲୋକମାନେ ଏହାକୁ ଉଲଘଂନ କରି ଏହି ସଙ୍କଟ ସମୟରେ ବିଭିନ୍ନ ସଭା ସମିତି ଓ ଜନ୍ମ ବାର୍ଷିକୀ ପାଳନ କରି ଜନ ସମାଗମ କରିବା ଫଳରେ ଏହାର ପ୍ରଭାବ ମଧ୍ୟ ସାଧାରଣ ଲୋକମାନଙ୍କ ଉପରେ ପଡ଼ିଲା । କଥାରେ ଅଛି ‘ଉଚ୍ଚ ହେବା ପାଇଁ କର ଯେବେ ଆଶା, ଉଚ୍ଚ କର ଆଗେ ନିଜ ମାତୃଭାଷା’ । ଅର୍ଥାତ୍ ନିଜେ ସଚେତନ ରହିଲେ ଏ ସମାଜ, ଏ ଦେଶ, ଏ ଜାତି ସଚେତନ ହେବ । କିନ୍ତୁ ଏ କଥା ନ ବୁଝି ସବୁ କଥାରେ ରାଜ୍ୟ ସରକାରଙ୍କୁ ଦାୟୀ କରିବା ନିଜର ବିର୍ବୋଧତାର ପରିଚୟ ନୁହେଁ କି? ଯେଉଁ ଅମାନିଆ ବ୍ୟକ୍ତିବିଶେଷ ଦିନେ କରୋନା ସଂକ୍ରମଣକୁ ନେଇ ଉପହାସ କରୁଥିଲେ, ଆଜି ସେହିମାନେ ହିଁ କରୋନାରେ ସଂକ୍ରମିତ ।
ଏହି କିଛିଦିନ ହେବ ଓଡ଼ିଶାରେ ଯେଉଁଭଳି ଭାବରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି, ସେହି ତୁଳନାରେ ଆବଶ୍ୟକୀୟ ସଂଖ୍ୟକ କ୍ୱାରେଣ୍ଟାଇନ୍ ସେଣ୍ଟର ନଥିବାରୁ ଏବେ କରୋନା ସଂକ୍ରମିତମାନଙ୍କୁ ନିଜ ଘରେ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି । ବର୍ତ୍ତମାନ ଓଡ଼ିଶାରେ କରୋନା ସଂକ୍ରମିତ ଦୃଷ୍ଟିରୁ ରାଜଧାନୀ ରହିଛି ପ୍ରଥମ ସ୍ଥାନରେ । କରୋନାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ରାଜଧାନୀ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଉଥିବା ବେଳେ କରୋନା ସଂକ୍ରମିତମାନେ ଅନେକ ସମୟରେ ବାହାରେ ବୁଲୁଥିବାର ଦେଖିବାକୁ ମିଳୁଛି । ଏମାନେ ସହର ବଜାରର ବିଭିନ୍ନ ସ୍ଥାନମାନଙ୍କରେ ବୁଲିବା, ଦୋକାନରୁ ଜିନିଷ କିଣିବା ଫଳରେ ଏମାନଙ୍କ ସଂସ୍ପର୍ଶରେ ଆସି ସାଧାରଣ ଲୋକମାନେ ମଧ୍ୟ କରୋନାର ଶିକାର ହେଲେ । ଏବେ ରାଜଧାନୀର ପ୍ରତ୍ୟେକ ସାହି, ବସ୍ତି, କଲୋନୀ ଓ ଅଫିସ୍‌ମାନଙ୍କରେ କରୋନା ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବଢିବାରେ ଲାଗିଲା । ଯେଉଁଥିପାଇଁ ରାଜଧାନୀରେ ଦୈନିକ ୪୦୦ରୁ ଉର୍ଦ୍ଧ୍ୱ କରେନା ସଂକ୍ରମିତ ଚିହ୍ନଟ ହେଉଛନ୍ତି ଯାହା ରାଜଧାନୀବାସୀଙ୍କ ନିଦ ହଜାଇ ଦେଇଛି ।
ନିକଟରେ ରାଜ୍ୟ ସରକାର ସମସ୍ତ ହୋଟେଲ ଓ ରେଷ୍ଟୁରାଣ୍ଟ ଖୋଲିବାକୁ ଅନୁମତି ଦେଲେ, ଏଥିପାଇଁ କିଛି କଟକଣା ମଧ୍ୟ ଜାରି କଲେ । ଯେଉଁମାନେ କଟକଣାକୁ ଅବମାନନା କରିବେ, ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଘୋଷଣା ମଧ୍ୟ କଲେ । ସବୁ ହୋଟେଲ ଓ ରେଷ୍ଟୁରାଣ୍ଟ ଖୋଲିଲା, କିନ୍ତୁ କୌଣସି ହୋଟେଲ ଓ ରେଷ୍ଟୁରାଣ୍ଟର ମାଲିକମାନେ ରାଜ୍ୟ ସରକାରଙ୍କ କଟକଣାକୁ କାର୍ଯ୍ୟକାରୀ କଲେ ନାହିଁ । ଏକ ସର୍ଭେରୁ ଜଣାପଡ଼ିଛି ଯେ, ହୋଟେଲ, ରେଷ୍ଟୁରାଣ୍ଟ ବନ୍ଦ ଥିବା ସମୟରେ ରାଜଧାନୀରେ ଯେତିକି ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହେଉଥିଲେ, ହୋଟେଲ, ରେଷ୍ଟୁରାଣ୍ଟ ଖୋଲିବା ପରେ ଏହି ସଂଖ୍ୟା ବହୁ ଗୁଣରେ ବୃଦ୍ଧି ପାଉଛି ।
ତେଣୁ କରୋନା ଦୂର ହେବ । କିନ୍ତୁ ଏବେ ସଚେତନ ହେବାକୁ ପଡ଼ିବ । ମାସ୍କ ପିନ୍ଧିବା, ଶରୀରିକ ଦୂରତା ରଖିବା ଓ ନିୟମିତ ହାତ ଧୋଇବା । ସର୍ବୋପରି ରାଜ୍ୟ ସରକାରଙ୍କୁ ପୂର୍ଣ୍ଣ ସହଯୋଗ କରିପାରିଲେ, ତେବେ ଯାଇ କରୋନା ହାରିବ, ଆମେ ନିଶ୍ଚୟ ଜିତିବା । ଆମେ ଯଦି ହେବା ସଚେତନ, କରୋନା ହୋଇବ ଅନ୍ତର୍ଦ୍ଧାନ ।

କଣ୍ଟି, ବାହାରଣା,

ବାଲିକୁଦା, ଜଗତସିଂହପୁର

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ