କରୋନା ଭାଇରସକୁ ମାରିବ ‘ବ୍ୟାଟମ୍ୟାନ’ ପୋଷାକ
ସମଗ୍ର ବିଶ୍ୱରେ କରୋନା ଭାଇରସର ଦ୍ରୁତ ପ୍ରସାର ଏବେ ଚିନ୍ତାର ବିଷୟ ହୋଇଛି । ଏହି ଭାଇରସ ବାଦୁଡ଼ିଠାରୁ ଆସିଥିବା ଚର୍ଚ୍ଚା ହେଉଥିବା ବେଳେ ଚୀନର ସ୍ଥପତିମାନେ ଏହି ପକ୍ଷୀଠାରୁ ପ୍ରେରିତ ହୋଇ ଏକ ରକ୍ଷା କବଚ ପ୍ରସ୍ତୁତ କରିଛନ୍ତି । ଏହା ଲୋକଙ୍କୁ ରୋଗରୁ ରକ୍ଷା କରିବ ବୋଲି ସେମାନେ ଦାବି କରୁଛନ୍ତି । ଦି ଏ ବ୍ୟାଟମ୍ୟାନ ନାମକ ଏହି ପୋଷାକକୁ ଡେୟଙ୍ଗ ସୁନ ଡିଜାଇନ କରିଛନ୍ତି । ଏହା ଫାଇବର ଫ୍ରେମଯୁକ୍ତ, ଯାହାର ଆକାର ବାଦୁଡ଼ି ଡେଣା ଭଳି । ଲୋକେ ଏହାକୁ ବ୍ୟାକପ୍ୟାକ ଭଳି ଅର୍ଥାତ କାନ୍ଧ ଝୁଲା ବ୍ୟାଗ ପିଠି ପଟେ ଲାଗିଥିବା ପ୍ଲାଷ୍ଟିକ ପଟାର ସହାୟତାରେ ଆଗକୁ ବେଲୁନ ଭଳି ସମ୍ପ୍ରସାରିତ ହୋଇଥାଏ । ଏହାକୁ ପିନ୍ଧିଥିବା ବ୍ୟକ୍ତି ବ୍ୟାଟମ୍ୟାନ ଭଳି ଦିଶିଥାନ୍ତି । ଏହି ପୋଷାକ ପିନ୍ଧିବା ଦ୍ୱାରା ବ୍ୟକ୍ତି କରୋନା ଭାଇରସ ସଂକ୍ରମଣରୁ ରକ୍ଷା ପାଇପାରିବେ । ପୋଷାକରେ ଲାଗିଥିବା ପଟିରୁ ଅଲଟ୍ରାଭାଓଲେଟ ରଶ୍ମି ବିକିରିତ ହୋଇଥାଏ । ଯେଉଁ ଉତ୍ତାପ କରୋନା ଭୂତାଣୁ ସମେତ ପବନରେ ଘୂରି ବୁଲୁଥିବା ଅନ୍ୟ ରୋଗ ସୃଷ୍ଟିକାରୀ ଭୂତାଣୁଙ୍କୁ ମାରିବାରେ ସକ୍ଷମ । ବିଶ୍ୱ ସ୍ୱାସ୍ଥା ସଂଗଠନ ଅନୁସାରେ ଅଲଟ୍ରାଭାଇଲେଟ ରଶ୍ମି ତ୍ୱଚା ସଂସ୍ପର୍ଶରେ ଆସିବା ଉଚିତ ନୁହେଁ । ଏହାର ବିକିରଣରୁ ତ୍ୱଚା ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ଥାଏ । ତଥାପି କରୋନା ଭାଇରସର ଭୟାବହତାକୁ ଦୃଷ୍ଟିରେ ରଖି ଏଭଳି ରକ୍ଷା କବଚ ଡିଜାଇନ କରାଯାଇଛି । ଏହି ପ୍ରୋଜେକ୍ଟ ପାଇଁ ଡେୟଙ୍ଗ ଫିଲ୍ମର ସୁପରହିରୋ ବ୍ୟାଟମ୍ୟାନ ଓ ବାଦୁଡ଼ିଠାରୁ ପ୍ରେରିତ ହୋଇଛନ୍ତି । ଏହି ଅବଧାରଣାକୁ ବଜାରରେ ଉପଲବ୍ଧ କରିବା ପାଇଁ ସେ ବର୍ତ୍ତମାନ ନିବେଶକଙ୍କ ଅନ୍ୱେଷଣରେ ଅଛନ୍ତି ।


