କରୋନା ସଂକ୍ରମକ ଯୋଗୁଁ ବନ୍ଦ ହେଲା ମେରୁ ଯାତ୍ରା
କୋଦଳା,(ଗୁଲସନ୍ କୁମାର କର): ପ୍ରତିବର୍ଷ ଧୁମଧାମରେ ଓଡ଼ିଆ ନବବର୍ଷ ଏବଂ ମହାବିଷୁବ ସଂକ୍ରାନ୍ତି ତଥା ପଣାସଂକ୍ରାନ୍ତି ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ କରୋନା ଲକ୍ ଡାଉନ୍ କୁ ନେଇ ଫିକା ହୋଇଯାଇଛି। ଚଳିତ ବର୍ଷ ଦଣ୍ଡଯାତ୍ରା କୁ ମଧ୍ୟ ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଥିଲା। ଦଣ୍ଡଯାତ୍ରାର ଶେଷ ଦିନ ଅର୍ଥାତ୍ ପଣାସଂକ୍ରାନ୍ତି ଦିନ ମେରୁ ଯାତ୍ରା ଭାବରେ ପାଳନ କରାଯାଇଥାଏ। ତେବେ ଏହି ଯାତ୍ରାରେ ହଜାର ହଜାର ସଂଖ୍ୟାରେ ଜନସମାଗମ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସଂପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି।ବିଶ୍ୱବ୍ୟାପୀ କରୋନାର କରାଳ ପ୍ରକୋପରେ ସାରା ବିଶ୍ୱ ତଥା ଆମ ଦେଶରେ ହଲଚଲ ସୃଷ୍ଟି ହୋଇଛି । ଏହାସହ କରୋନା ମୁକାବିଲା ପାଇଁ ଦେଶ ତଥା ରାଜ୍ୟବ୍ୟାପୀ ଲକ୍ ଡାଉନ ଜାରି ରହିଥିବାରୁ ଗଞ୍ଜାମର ପ୍ରସିଦ୍ଧ ମେରୁଯାତ୍ରା ହେବନି ବୋଲି ସୂଚନା ମିଳିଛି । କରୋନା ସଂକ୍ରମଣ ଆଶଙ୍କାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହିପରି ନିଷ୍ପତ୍ତି ନିଆଯାଇଛି । ଫଳରେ କୋଦଳା ଅଞ୍ଚଳର ବିଭିନ୍ନ ଯାତ୍ରା ପୀଠ କାଳିମେଘି, ଶାଳବଣ, ମର୍ଦକୋଟ, ଚିଙ୍ଗୁଡିଖୋଲ, ନୂଆଁ ଗାଁ ବୁରୁଝୁରୀ, ମିରିଗିଲେଣ୍ଡି, ଚନ୍ଦନପୁର, ଷଣ୍ଢମୂଳ, ମାଳ ବେଲପଡ଼ା, ତାଳସର ପ୍ରଭୃତି କାଳୀ ମନ୍ଦିର ଗୁଡିକରେ ଖାଲି ପୂଜାର୍ଚ୍ଚନାରେ ସୀମିତ ରହିବ ବୋଲି ସୂଚନା ମିଳିଛି।


