କର୍ମଜୀବୀ ସାମ୍ବାଦିକମାନଙ୍କୁ ମାସକୁ ଦଶ ହଜାର ଟଙ୍କା ପେନସନ ମିଳିବ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଉତ୍କଳ ଦିବସ ଅବସରରେ ଓଡ଼ିଶା ପ୍ରେସ୍ ଏକାଡ଼େମୀ ପକ୍ଷରୁ ରାଜ୍ୟରେ କାର୍ଯ୍ୟରତ ଦଶ ହଜାର ସାମ୍ବାଦିକମାନଙ୍କୁ ମାସିକ ୧୦ ହଜାର ଟଙ୍କା ଅବସରକାଳୀନ ଭତ୍ତା ମିଳିବ ବୋଲି ଘୋଷଣା ହୋଇଛି । ଓଡ଼ିଶାର ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ଘଡ଼ାଇ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଓଡ଼ିଶା କର୍ମଜୀବୀ ସାମ୍ବାଦିକ ପେନସନ ଯୋଜନା ନିୟମାବଳୀ ପୁସ୍ତକକୁ ଆନୁଷ୍ଠାନିକ ଭାବରେ ଉନ୍ମୋଚନ କରିଛନ୍ତି । ଶ୍ରୀ ଘଡ଼ାଇ କହିଲେ ଯେ, ଗଣତନ୍ତ୍ରରେ ସାମ୍ବାଦିକମାନେ ସାଧାରଣ ଲୋକମାନଙ୍କ ପାଇଁ ସେତୁ ଭଳି କାର୍ଯ୍ୟ କରିଛନ୍ତି । ସେମାନଙ୍କର କର୍ତ୍ତବ୍ୟନୀଷ୍ଠ ସମାଜ ଗଠନରେ ବହୁ ଅବଦାନ ରହିଅଛି ।ଓଡ଼ିଶା ପ୍ରେସ୍ ଏକାଡ଼େମୀର ଉପସଭାପତି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କହିଲେ ଯେ, ସାମ୍ବାଦିକମାନେ ଘୋର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଅବସର ପରେ ସେମାନଙ୍କର ଅବସ୍ଥା ବହୁତ ଶୋଚନୀୟ ହୋଇପଡୁଛି । ଏସବୁକୁ ଦୃଷ୍ଟିରେ ରଖି ସାମ୍ବାଦିକମାନଙ୍କୁ ମାସିକ ଅବସରକାଳୀନ ଭତ୍ତା ବାବଦରେ ୧୦ ହଜାର ଟଙ୍କା ଦେବା ପାଇଁ ବିଧିବଦ୍ଧ ଭାବରେ ଘୋଷଣା କରାଯାଇଛି । ପ୍ରେସ୍ ଏକାଡ଼େମୀର ଏଭଳି ଅଭିନବ ନିଷ୍ପତ୍ତିରେ ଆର୍ଥିକ ସ୍ୱଚ୍ଛଳତା ଥିବା ବ୍ୟକ୍ତିମାନେ ସାହାଯ୍ୟ ଓ ସହଯୋଗ କରିବା ପାଇଁ ଓଡ଼ିଶା ପ୍ରେସ୍ ଏକାଡ଼େମୀର ଅଧ୍ୟକ୍ଷ ଶ୍ରୀ ସଞ୍ଜୟ କୁମାର ପ୍ରଧାନ ନିବେଦନ କରିଛନ୍ତି । ତେବେ ଏହି ଯୋଜନାରେ ସାମିଲ ହେବା ପାଇଁ ଇଚ୍ଛୁକ ସାମ୍ବାଦିକମାନେ ନିଜର ନାମ ପଞ୍ଜିକୃତ କରିବା ପାଇଁ ଅନୁରୋଧ କରାଯାଇଛି ।
ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ପତ୍ରକାର ସଂଘର ସଭାପତି ଅବିନାଶ ମିଶ୍ର, ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘର ସଭାପତି ଶ୍ରୀ ସୁଜ୍ଞାନ ଚୌଧୁରୀ, ଭୁବନେଶ୍ୱର ସାମ୍ବାଦିକ ୟୁନିୟନର ସମ୍ପାଦକ ଶ୍ରୀ ବଳରାମ ନନ୍ଦ, ଭୁବନେଶ୍ୱର ପ୍ରେସ୍ କ୍ଲବର ସାମ୍ପାଦକ ଶ୍ରୀ ଜୟଦେବ ବେହେରା, ଓଡ଼ିଶା ସାମ୍ବାଦିକ ପେନସନ ଫଣ୍ଡର ସହ ସଂଯୋଜକ ଶ୍ରୀ ରମେଶ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଓଡ଼ିଶା ପ୍ରେସ୍ ଏକାଡ଼େମୀର ସମ୍ପାଦିକା ରିତାଞ୍ଜଳୀ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ