କାଠଯୋଡ଼ି ନଦୀକୂଳ ହତ୍ୟାକାଣ୍ଡ: ଟାଟୁରୁ ମିଳିଲା ଯୁବତୀଙ୍କ ପରିଚୟ
କଟକ, (ଓ୍ବାଇଏନଏସ): କଟକ କାଠଯୋଡ଼ି ନଦୀକୂଳରେ ଯୁବତୀଙ୍କୁ ନିର୍ମମ ହତ୍ୟା ଘଟଣାରେ ତଦନ୍ତକୁ ନୂଆ ଦିଗ ମିଳିଛି। ମୃତଦେହରେ ଥିବା ଟାଟୁକୁ ଆଧାର କରି ପୁଲିସ ଯୁବତୀଙ୍କ ପରିଚୟ ଜାଣିବାକୁ ପାଇଥିବା ସୂଚନା ମିଳିଛି। ଏହି ହତ୍ୟାକାଣ୍ଡରେ ୪ରୁ ୫ ଜଣ ଯୁବକଙ୍କ ସମ୍ପୃକ୍ତି ଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି। ଘଟଣା ସହ ଜଣେ ସ୍ଥାନୀୟ ଯୁବକଙ୍କ ସମ୍ପର୍କ ଥିବା ନେଇ ମଧ୍ୟ ତଦନ୍ତ ଚାଲିଛି। ସୂଚନା ଅନୁଯାୟୀ, ସିଟି କଲେଜ ସମ୍ମୁଖ କାଠଯୋଡ଼ି ନଦୀକୂଳରେ ମୃତଦେହ ମିଳିବାର ପ୍ରାୟ ୩ରୁ ୪ ଘଣ୍ଟା ପୂର୍ବରୁ ସେଠାରେ ୪ରୁ ୫ ଜଣ ଯୁବକ ଏକାଠି ହୋଇଥିଲେ। ସେମାନେ ଦୁଇଚକିଆ ଯାନରେ ରିଂବନ୍ଧ ଦେଇ ନଦୀକୂଳକୁ ଯାଇଥିବା ଜଣାପଡ଼ିଛି।ଘଟଣାସ୍ଥଳଠାରୁ କିଛି ଦୂରରେ ବସିଥିବା ଏକ କଲେଜର ତିନି ଜଣ ଛାତ୍ର କିଛି ସନ୍ଦେହଜନକ ଦୃଶ୍ୟ ଦେଖିଥିବା ସୂଚନା ମିଳିଛି। ସେମାନଙ୍କ କହିବା ଅନୁସାରେ, ଯୁବତୀଙ୍କ ସହ ପ୍ରାୟ ପାଞ୍ଚ ଜଣ ଯୁବକ ସେଠାରେ ବସି ଭୋଜିର ଆୟୋଜନ କରିଥିଲେ। ଏହି ସମୟରେ ଯୁବତୀ ଜଣକ ଜଣେ ଯୁବକଙ୍କ ସହ ଦୀର୍ଘ ସମୟ ଧରି କଥା ହେଉଥିଲେ। ଉକ୍ତ ଯୁବକ ଜଣକ ନିକଟସ୍ଥ ଏକ ସାହିର କାଳିଆ ନାମକ ଯୁବକ ବୋଲି ତଦନ୍ତରୁ ଜଣାପଡ଼ିଥିବା କୁହାଯାଉଛି। ପୁଲିସ ତାଙ୍କୁ ଧରି ଘଟଣାର ତଦନ୍ତ ଆଗକୁ ବଢ଼ାଇଥିବା ସୂଚନା ମିଳିଛି। ତେବେ ହତ୍ୟାକାଣ୍ଡ ଘଟିବା ସମୟରେ କାଳିଆ ଘଟଣାସ୍ଥଳରେ ଉପସ୍ଥିତ ଥିଲେ କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ। ଅନ୍ୟ ସନ୍ଦିଗ୍ଧଙ୍କ ସମ୍ପୃକ୍ତି ଏବଂ ହତ୍ୟା ପଛର କାରଣ ଜାଣିବା ପାଇଁ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି।ଅନ୍ୟପକ୍ଷରେ, ମୃତ ଯୁବତୀଙ୍କ ଶେଷକୃତ୍ୟ ପାଇଁ ଏପର୍ଯ୍ୟନ୍ତ କେହି ଦାବିଦାର ନମିଳିଲେ ସୋମବାର ଦିନ ଶେଷକୃତ୍ୟ କରାଯିବ ବୋଲି ଜଣାପଡ଼ିଛି। ଏହି ଜଘନ୍ୟ ହତ୍ୟାକାଣ୍ଡର ପ୍ରକୃତ ରହସ୍ୟ ଉନ୍ମୋଚନ ସହ ଅନ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ଏବେ ପୁଲିସ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ ହୋଇଛି।


