କାହା ଉପରେ ବାଜିଛି କ୍ୟାବିନେଟ ମୋହର
ଭୁବନେଶ୍ୱର: ଶୁକ୍ରବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୨୨ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି । ବୈଠକ ପରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି । କ୍ୟାବିନେଟରେ କ’ଣ କ’ଣ ନିଷ୍ପତ୍ତି ନିଆଯାଇଛି ସେ ସମ୍ପର୍କରେ ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି । ତାଙ୍କ ସୂଚନା ଅନୁଯାୟୀ-
— କ୍ୟାବିନେଟରେ ୨୨ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇଛି ।
— ପର୍ଯ୍ୟଟନ ପ୍ରକଳ୍ପ ଲାଗି ଇଡକୋ ଜମି ଯୋଗାଇ ଦେବ ।
— ହୋଟେଲ, ରେଷ୍ଟୁରାଣ୍ଟ ଲାଗି ଇଡକୋ ଏହି ଜମି ଯୋଗାଇଦେବ ।
— ଅଣ୍ଟର ଗ୍ରାଜୁଏଟ କୋର୍ସକୁ ପ୍ରଫେସନାଲ କୋର୍ସର ମାନ୍ୟତା ମିଳିବ ।
— ମାଳତୀ ଦେବୀ ପ୍ରାକ ବିଦ୍ୟାଳୟ କାର୍ଯ୍ୟକ୍ରମରେ ପିଲାଙ୍କୁ ସହାୟତା ମିଳିବ ।
— ଅଙ୍ଗନବାଡ଼ି ପିଲାଙ୍କୁ ମାଗଣାରେ ଜୋତା ଓ ସ୍ୱେଟର ଯୋଗାଇ ଦିଆଯିବ
— ଆସ୍କା ସୁଗାର କୋଅପରେଟିଭ ସୋସାଇଟିକୁ ୧୫ କୋଟିର ସହାୟତା । କ୍ୟାସ୍ କ୍ରେଡିଟ୍ ଆକାରରେ ଋଣ ନେବାକୁ କ୍ୟାବିନେଟ ଅନୁମୋଦନ । ଏହି ଟଙ୍କା ଆଖୁ ଚାଷୀଙ୍କୁ ପ୍ରଦାନ କରିବ ଆସ୍କା କୋପରେଟିଭ ସୁଗାର ଲି.।
— ଶକ୍ତି ବିଭାଗ ଅଧୀନକୁ ଆସିବ ‘ଓରେଡ଼ା’
— ସୋସାଇଟି ଆକ୍ଟରେ ପରିବର୍ତ୍ତନ ନେଇ ମୁଖ ସଚିବ ସୂଚନା ଦେଇଛନ୍ତି । ଏଣିକି ସବୁ ସୋସାଇଟି ୫ ବର୍ଷରେ ଥରେ ନବୀକରଣ କରିବେ । ଅଡିଟିର ମଧ୍ୟ ବ୍ୟବସ୍ଥା କରାଗଲା । ଏବଂ ଯଦି କୌଣସି ବିବାଦ ହୁଏ ତେବେ ଏନେଇ ଏକ ସ୍ୱତନ୍ତ୍ର ଫୋରମରେ ଅଭିଯୋଗ କରିପାରିବେ ଅଭିଯୋଗକାରୀ ।
— ଇ-ମାର୍କେଟ ଜରିଆରେ ନିଜ ଉତ୍ପାଦକୁ ଚାଷୀ ବିକିପାରିବେ ।
— ପେଟ୍ରୋଲ ଓ ଡିଜେଲ ଉପରେ ଭାଟ ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ।
— କେନ୍ଦ୍ରୀୟ ଓ ନବୋଦୟ ବିଦ୍ୟାଳୟକୁ ୧ ଟଙ୍କା ଭଡ଼ାରେ ଜମି ଦିଆଯିବ ।
— ଗ୍ରାମାଞ୍ଚଳ ଲୋକଙ୍କ ଆର୍ଥିକ ଅବସ୍ଥାର ଉନ୍ନତି ଲାଗି ପ୍ରସ୍ତାବ ଗୃହୀତ ।
— ରାଜ୍ୟରେ ପ୍ରତିଷ୍ଠା ହେବ ୨ଟି ଇଣ୍ଡଷ୍ଟ୍ରିଆଲ ପାର୍କ: ଧାମରାରେ ଟେକ୍ସଟାଇଲ ଓ ଢେଙ୍କାନାଳରେ ହେବ ମେଡିକାଲ ପାର୍କ । ଉଭୟ ପାର୍କ ପାଇଁ ୬ରୁ ୭ ହଜାର କୋଟି ଖର୍ଚ୍ଚ ହେବ । ଧାମରାରେ ୨୦ ହଜାର ଓ ଢେଙ୍କାନାଳରେ ୧୬ ହଜାରଙ୍କୁ ମିଳିବ ନିଯୁକ୍ତି ସୁଯୋଗ ।
— ପ୍ରବାସୀଙ୍କୁ ଜୀବିକା ଯୋଗାଇବେ ସରକାର: ପ୍ରବାସୀଙ୍କୁ ଜୀବିକା ଯୋଗାଇବାକୁ ୧୭ ହଜାର କୋଟି ଖର୍ଚ୍ଚ ହେବ । ଜୁନ ୨୦୨୦ରୁ ମାର୍ଚ୍ଚ ୨୦୨୧ ମଧ୍ୟରେ ଏହି ଟଙ୍କା ଖର୍ଚ୍ଚ ହେବ । ଯୁଦ୍ଧକାଳୀନ ଭିତ୍ତିରେ ପ୍ରବାସୀଙ୍କୁ ଜୀବିକା ଯୋଗାଇବାକୁ ଯୋଜନା ରହିଛି ।
— ବାଲେଶ୍ୱରରେ ଏନଡିଆରଏଫର ଏକ ୟୁନିଟ ପ୍ରତିଷ୍ଠା ହେବ । ବାଲେଶ୍ୱର ଜିଲ୍ଲା ସଦର ତହସିଲରେ ହିଡିଗାଁରେ ୩ ଏକର ୫୦ ଡେସିମିଲ ଜାଗାରେ ଏନଡିଆରଏଫର ଗୋଟିଏ କଂପାନୀର ଏକ ହେଡକ୍ୱାର୍ଟର କରାଯିବା ନେଇ ଅନୁମତି ।
ପ୍ରକାଶ ଯେ, କରୋନା ଯୋଗୁଁ ତାଲାବନ୍ଦ ପରିସ୍ଥିତି ରାଜ୍ୟର ସମ୍ବଳ ସଂଗ୍ରହକୁ ପ୍ରଭାବିତ କରିଛି । ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଓଡ଼ିଶା ସରକାର କେବଳ ସ୍ୱାସ୍ଥ୍ୟ ସେବା ଛାଡ଼ି ଦେଲେ ଅନ୍ୟ ସମସ୍ତ ବିଭାଗର ଖର୍ଚ୍ଚକୁ ସଂକୁଚିତ କରିଛନ୍ତି । ଏପରି ସ୍ଥିତିରେ ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ରୀୟ ଯୋଜନା ବାବଦରେ ମିଳିବାକୁ ଥିବା ଅର୍ଥ ଆସିବା ନେଇ ମଧ୍ୟ ଅନିଶ୍ଚିତତା ଲାଗି ରହିଛି । ତୁରନ୍ତ ଆର୍ଥିକ ସ୍ଥିତିକୁ ସମ୍ଭାଳିବା ପାଇଁ କିଛି ନୂତନ ବାଟ ବାହାର କରିବା ଲାଗି ଯୋଜନା ସରକାର ଯୋଜନା କରୁଛନ୍ତି । ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ନବୀନ ସରକାରଙ୍କ ପଞ୍ଚମ ପାଳିର ପ୍ରଥମ ବର୍ଷ ପୂର୍ତିରେ ଆଜି ବସିଥିଲା ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ କରୋନାଗ୍ରସ୍ତ ଅର୍ଥନୀତିକୁ ସୁଧାରିବା ପାଇଁ ବିଭନ୍ନ ଆଲୋଚନା ହେବା ସହ ଏହି ବୈଠକରେ ୨୨ଟି ପ୍ରସ୍ତାବ ଉପରେ ଲାଗିଛି କ୍ୟାବିନେଟ ମୋହର । ଅର୍ଥ, ରାଜସ୍ୱ,ଖାଦ୍ୟ ଯୋଗାଣ, ସମବାୟ,ସଂସ୍କୃତି ବିଭାଗର ପ୍ରସ୍ତାବକୁ ଅନୁମୋଦନ ମିଳିବା ସହ ରାଜ୍ୟ ସରକାର ପର୍ୟ୍ୟଟନ କ୍ଷେତ୍ରକୁ ଚଳଚଂଳଚ କରିବା ପାଇଁ ୨୦୧୬ ପର୍ୟ୍ୟଟନ ନୀତିରେ ସଂଶୋଧନ ଆଣିଛନ୍ତି ରାଜ୍ୟ ସରକାର ।


