କିଷାନ ରଥ ମୋବାଇଲ ଆପ ଶୁଭାରମ୍ଭ କଲେ କେନ୍ଦ୍ର କୃଷିମନ୍ତ୍ରୀ

ନୂଆଦିଲ୍ଲୀ : କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଆଜି ନୂଆଦିଲ୍ଲୀର କୃଷି ଭବନଠାରେ କୃଷକମାନଙ୍କ ପାଇଁ ସହାୟକ ଯୋଗ୍ୟ ଏକ ମୋବାଇଲ୍ ଆପ୍ “କିଷାନ ରଥ” ଶୁଭାରମ୍ଭ କରିଛନ୍ତି । ନ୍ୟାସନାଲ ଇନଫର୍ମାଟିକ୍ସ ସେଣ୍ଟର (ଏନଆଇସି) ଦ୍ୱାରା ଏହି ଆପ୍ ର ବିକାଶ ଘଟାଯାଇଛି ଯାହା କୃଷକ ଓ ବ୍ୟବସାୟୀମାନଙ୍କୁ ସେମାନଙ୍କର ପ୍ରାଥମିକ ଓ ପରୋକ୍ଷ ସାମଗ୍ରୀ ପରିବହନ ସକାଶେ ସହାୟକ ହେବ । ଲକଡାଉନ ସମୟରେ ଏଭଳି ପରିବହନ ଯାନ ଯୋଗାଡ଼ କରିବା ସେମାନଙ୍କ ପାଇଁ ସମସ୍ୟା ହେଉଥିଲା । ଏହି ଆପ୍ ଜରିଆରେ ଏବଂ କିଷାନ ରଥରେ ସେମାନେ କୃଷି ଓ ଉଦ୍ୟାନକୃଷି ଜାତ ସାମଗ୍ରୀର ସହଜରେ ପରିବହନ କରିପାରିବେ । ପ୍ରାଥମିକ ପରିବହନରେ କୃଷିକ୍ଷେତ ଠାରୁ ମଣ୍ଡି, ଏଫପିଓ ସଂଗ୍ରହ କେନ୍ଦ୍ର ଓ ୱେର ହାଉସ ପର୍ଯ୍ୟନ୍ତ କୃଷି ଉତ୍ପାଦନକୁ ପରିବହନ କରିବା ବିବେଚନା କରାଯାଉଥିବା ବେଳେ ସେକେଣ୍ଡାରୀ ପରିବହନରେ ମଣ୍ଡିଠାରୁ ଆନ୍ତଃ-ରାଜ୍ୟ ଏବଂ ରାଜ୍ୟ ଭିତରେ ଥିବା ବିଭିନ୍ନ ମଣ୍ଡି, ପ୍ରୋସେସିଂ ୟୁନିଟ, ରେଳ ଷ୍ଟେସନ, ୱେର ହାଉସ ଏବଂ ହୋଲସେଲରମାନଙ୍କ ନିକଟରେ ସେଭଳି ସାମଗ୍ରୀ ପହଞ୍ଚାଯିବାର ବ୍ୟବସ୍ଥା କରାଯାଇଛି । ଏହି ଅବସରରେ ଉଦବୋଧନ ଦେଇ କହିଲେ ଯେ ଲକଡାଉନ ସତ୍ତ୍ୱେ କୃଷି କାର୍ଯ୍ୟ ଯଥା ରୀତି ସ୍ୱାଭାବିକ ଭାବେ ଜାରି ରହିବ । କୃଷି କ୍ଷେତ୍ରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶ କ୍ରମେ ଅନେକ ପ୍ରକାର ରିହାତି ଯୋଗାଇ ଦିଆଯାଇଛି । ଏବେ ରବି ଫସଲ ଅମଳ ଏବଂ ବୁଣା କାର୍ଯ୍ୟ ଜାରି ରହିଛି । ତେଣୁ କୃଷକ ତଥା ବ୍ୟବସାୟୀମାନଙ୍କୁ ଏଭଳି କୃଷକ ରଥ ଆପ୍ ବିଶେଷ ଭାବେ ସହାୟକ ହେବ । ସେମାନେ ଏଥିରେ ସେମାନଙ୍କର ଉତ୍ପାଦନକୁ ସାରା ଦେଶରେ ମଣ୍ଡିରୁ ମଣ୍ଡିକୁ ସହଜରେ ପରିବହନ କରିପାରିବେ । ବର୍ତ୍ତମାନ କୋଭିଡ ମହାମାରୀ ଯୋଗୁ ସାରା ଦେଶ ଏକ ଜଟିଳ ପରିସ୍ଥିତି ଦେଇ ଗତି କରୁଛି । ଏଭଳି ସମୟରେ କିଷାନ ରଥ କୃଷକ, ଏଫପିଓ ଏବଂ ଦେଶର ବିଭିନ୍ନ ସମବାୟ ସଂସ୍ଥାମାନଙ୍କୁ ସହାୟତା କରିବା ନିମନ୍ତେ ବିକାଶ କରାଯାଇଛି । ସେମାନେ ଏଭଳି ସହଜ ପରିବହନ ବ୍ୟବସ୍ଥା ପାଇବା ଯୋଗୁ ସେମାନଙ୍କର ଉତ୍ପାଦକୁ ଫାର୍ମ ଗେଟ ନିକଟରୁ ବଜାର ପର୍ଯ୍ୟନ୍ତ ସାରା ଦେଶରେ ପହଞ୍ଚାଇପାରିବେ । ଏହି ମୋବାଇଲ ଆପ୍ ର ନାମ “କିଷାନ ରଥ” ବୋଲି ରଖାଯାଇଛି, କାରଣ କୃଷକ ଓ ବ୍ୟବସାୟୀମାନେ ଏହାକୁ ସହଜରେ ଚିହ୍ନିପାରିବେ ଏବଂ ସେମାନଙ୍କର ବିଭିନ୍ନ ଉତ୍ପାଦନ ସାମଗ୍ରୀ ଯଥା ଖାଦ୍ୟଶସ୍ୟ, ଫଳ ଓ ପନିପରିବା, ତୈଳବୀଜ, ମସଲା, ଫାଇବର କ୍ରପ୍, ଫୁଲ, ବାଉଁଶ, କାଠ ଓ ଲଘୁ ବନଜାତ ଉତ୍ପାଦ, ନଡ଼ିଆ ଇତ୍ୟାଦିକୁ ସହଜରେ ପରିବହନ କରିପାରିବେ । ଏହି ଆପ୍ ମଧ୍ୟ ବ୍ୟବସାୟୀମାନଙ୍କୁ ପଚନଯୋଗ୍ୟ ବିଭିନ୍ନ ସାମଗ୍ରୀକୁ ରିଫର୍ ଯାନ ମାଧ୍ୟମରେ ପରିବହନ କରିବାର ବ୍ୟବସ୍ଥା କରାଯାଇଛି । କୃଷି ଉତ୍ପାଦନର ପରିବହନ ଏକ ଜଟିଳ ଏବଂ ଜରୁରି ପ୍ରକ୍ରିୟା ଏବଂ ତାହା ଯୋଗାଣ ଚେନକୁ ଅବ୍ୟାହତ ରଖିବ । ଦେଶରେ ଏବେ ସୃଷ୍ଟ ଅତି ବିଶେଷ ପରିସ୍ଥିତ ଯୋଗୁ ଲକଡାଉନ ଜାରି କରାଯାଇଛି । ତେଣୁ “କିଷାନ ରଥ” କୃଷକ, ୱେର ହାଉସ୍, ଏଫପିଓ, ଏପିଏମସି ମଣ୍ଡି ଏବଂ ରାଜ୍ୟ ଭିତରେ ଥିବା ଓ ଆନ୍ତଃରାଜ୍ୟ କ୍ରେତାଙ୍କ ମଧ୍ୟରେ ଏକ ସେତୁ ଭାବେ କାର୍ଯ୍ୟ କରି ସେସବୁ ସାମଗ୍ରୀକୁ ସହଜରେ ପହଞ୍ଚାଇପାରିବ । ଏହାଦ୍ୱାରା ଖାଦ୍ୟଶସ୍ୟ ନଷ୍ଟ ହେବନାହିଁ ଏବଂ ନିର୍ଦ୍ଦିଷ୍ଟ ସମୟରେ ସେସବୁ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବ । ବିଶେଷ କରି ପଚରଯୋଗ୍ୟ ସାମଗ୍ରୀକୁ ଉତ୍ତମ ମୂଲ୍ୟରେ ଏହାଦ୍ୱାରା ବିକ୍ରି କରାଯାଇପାରିବ । କନସାଇନର (କୃଷକ, ଏଫପିଓ, କ୍ରେତା/ ବ୍ୟବସାୟୀ) ଏଭଳି ପରିବହନ ସକାଶେ ସେମାନଙ୍କର ଆବଶ୍ୟକତା ଅର୍ଡ଼ର ଏହି ଆପ୍ ରେ ପେଶ୍ କରିବେ ଯାହାକି ବଜାରରେ ପରିବହନ ଠୂଳକାରୀଙ୍କ ନିକଟରେ ଏହି ସୂଚନା ପହଞ୍ଚାଇବ । ସେମାନେ ଏହାପରେ ବିଭିନ୍ନ ଟ୍ରକ ଓ ଫ୍ଲିଟ୍ ମାଲିକଙ୍କ ସହ ଯୋଗାଯୋଗ କରି ପ୍ରତିଯୋଗିତାମୂଳକ କୋଟେସନ୍ ଜରିଆରେ ସେମାନଙ୍କର ଆବଶ୍ୟକତା ଅନୁସାରେ ପରିବହନ ଯାନ ସଂଗ୍ରହ କରିପାରିବେ । ଏହି ସୂଚନା କନସାଇନରଙ୍କୁ ପ୍ରଦାନ କରାଯିବ । ଏହା ପରେ କନସାଇନର ସିଧାସଳଖ ଟ୍ରକରଙ୍କ ସହ ଅଫ୍ ଲାଇନ୍ ମୂଲଚାଲ କରିବେ ଏବଂ ଭଡ଼ା ମୂଲ୍ୟ ନିର୍ଦ୍ଧାରଣ କରିବେ । ଥରେ ଏହି ପ୍ରକ୍ରିୟା ଶେଷ ହୋଇଯିବା ପରେ ବ୍ୟବହର୍ତ୍ତାମାନେ ଟ୍ରକରଙ୍କର ରେଟିଂ/ ଫିଡ଼ବ୍ୟାକ ଆପ୍ ରେ ଦେଇପାରିବେ ଯାହା ସମୟକ୍ରମେ ପରିବହନକାରୀମାନଙ୍କୁ ଫିଡ଼ବ୍ୟାକ୍ ମେକାନିଜମ୍ ଜରିଆରେ ସେମାନଙ୍କର ସେବାକାର୍ଯ୍ୟରେ ଉନ୍ନତି ଘଟାଇପାରିବେ । ଏହାଦ୍ୱାରା କନସାଇନରମାନଙ୍କୁ ଭବିଷ୍ୟତରେ ସେମାନଙ୍କର ଲଜିଷ୍ଟିକ୍ସ ସେବା ଯୋଗାଣକାରୀଙ୍କୁ ଚୟନ କରିବା ସହଜସାଧ୍ୟ ହେବ । “କିଷାନ ରଥ”ମୋବାଇଲ ଆପ ଆନ୍ତଃ ରାଜ୍ୟ ମଣ୍ଡି ଏବଂ ରାଜ୍ୟ ଭିତରେ କୃଷିଜାତ ସାମଗ୍ରୀ ତଥା ଦେଶରେ ଉଦ୍ୟାନକୃଷିଜାତ ସାମଗ୍ରୀର ବାଣିଜ୍ୟ କାରବାରକୁ ତ୍ୱରାନ୍ୱିତ କରିବ । ଏହି ଆପ୍ ରେ ‘କିଷାନ କା ଅପନା ବାହନ’ଟ୍ୟାଗଲାଇନ ରଖାଯାଇଛି ଯାହାକି କୃଷି ଉତ୍ପାଦନ ପରିବହନ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଷ୍ଟୋନ । ଏହି ଅବସରରେ କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ପୁରୁଷୋତ୍ତମ ରୂପାଲା,  ସଚିବ (ଏସି ଏଣ୍ଡ ଏଫଡ଼ବ୍ଲୁ) କୈଳାଶ ଚୌଧୁରୀ, ସଚିବ (ଇଲେକ୍ଟ୍ରୋନିକ୍ସ ଏଣ୍ଡ ଆଇଟି) ଅଜୟ ପ୍ରକାଶ ଶାହାନୀ, ଏନଆଇସିର ମହା ନିର୍ଦ୍ଦେଶକ ଡକ୍ଟର ନୀତା ବର୍ମା, ଏବଂ ସଂପୃକ୍ତ ମନ୍ତ୍ରଣାଳୟର ବହୁ ବରିଷ୍ଠ ଅଧିକାରୀ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲେ ।  ମୋବାଇଲ ଆପ ୮ଟି ଭାଷାରେ ଆଣ୍ଡ୍ରଏଡ଼ ଭର୍ସନରେ ପ୍ରାଥମିକ ପର୍ଯ୍ୟାୟରେ ଉପଲବ୍ଧ ହେବ ଏବଂ ତାହା ସାରା ଭାରତରେ ବ୍ୟବହାର ପାଇଁ ଉପଲବ୍ଧ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ