ଚୋର ସନ୍ଦେହରେ ୩ ଜଣଙ୍କୁ ପିଟିପିଟି ହତ୍ୟା
ମୁମ୍ବାଇ: ବର୍ତ୍ତମାନ ସମଗ୍ର ବିଶ୍ବରେ କୋରୋନା ଭୂତାଣୁଜନିତ ଦୁଃସ୍ଥିତି ଜାରି ରହିଥିବା ବେଳେ ଭାରତରେ ସବୁଠାରୁ ଆଗରେ ରହିଛି ମହାରାଷ୍ଟ୍ର। ଏହି ରାଜ୍ୟରେ ଅଦ୍ୟାବଧି ୩ ହଜାରରୁ ଊର୍ଦ୍ଧ୍ବ ଆକ୍ରାନ୍ତ ଠାବ ହୋଇସାରିଥିବା ବେଳେ ପାଖାପାଖି ୨ ଶହ ଲୋକ ଜୀବନ ହରାଇସାରିଛନ୍ତି। ତେବେ କୋରୋନା ସମ୍ପର୍କିତ ଘଟଣା ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ଗୁରୁବାର ରାଜ୍ୟରେ ଆଉ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ସ୍ଥାନୀୟ ଲୋକେ ୩ ଜଣ ଯୁବକଙ୍କୁ ପିଟିପିଟି ହତ୍ୟା କରିଛନ୍ତି। ଉକ୍ତ ୩ ଜଣ ଯୁବକଙ୍କୁ ଚୋର ସନ୍ଦେହ କରି ଗ୍ରାମବାସୀ ମାଡ଼ ମାରିବା ଫଳରେ ସେମାନଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଏପରିକି ଉକ୍ତ ଗ୍ରାମବାସୀ ଯୁବକମାନଙ୍କୁ ସେମାନଙ୍କ କବଳରୁ ରକ୍ଷା ପାଇଁ ଉଦ୍ୟମ କରିଥିବା ପୋଲିସ୍ କର୍ମଚାରୀଙ୍କୁ ମଧ୍ୟ ଛାଡ଼ି ନ ଥିଲେ। ଗୁରୁବାର ଭୋର୍ ସମୟରେ ଦାଭାଡି ଖାନବେଲ୍ ରୋଡ ନିକଟସ୍ଥ ଗ୍ରାମରେ ଏହି ଅଘଟଣ ଘଟିଛି। ଗ୍ରାମବାସୀଙ୍କ ମାଡ଼ରେ ମୃତ୍ୟୁବରଣ କରିଥିବା ଯୁବକମାନଙ୍କ ପରିଚୟ ମଧ୍ୟ ମିଳିଛି। ସେମାନେ ହେଲେ ସୁଶିଲଗିରି ମହାରାଜ, ନୀଲେଶ ତେଲଗାଡେ ଓ ଜୟେଶ ତେଲଗାଡେ। ଏହି ୩ ଜଣ ଯୁବକ ନାଶିକ୍ ଯାଉଥିବା ବେଳେ ଏପରି ଅଘଟଣର ଶିକାର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ପେସାରେ ଡ୍ରାଇଭର୍ ଥିବା ବେଳେ ଅନ୍ୟ ୨ ଜଣ ମୁମ୍ବାଇ ନିବାସୀ ବୋଲି ମଧ୍ୟ ଜଣାପଡ଼ିଛି। ସେମାନେ ଗୋଟିଏ ଗାଡ଼ିରେ ଯାଉଥିବା ବେଳେ ଉକ୍ତ ଗ୍ରାମର ବାସିନ୍ଦା ସେମାନେ ଚୋରି କରିବା ଉଦ୍ଦେଶ୍ୟରେ ଆସିଥିବା ସନ୍ଦେହ କରିଥିଲେ। ପରେ ପରେ ପାଖାପାଖି ୨ ଶହ ଗ୍ରାମବାସୀ ସେମାନଙ୍କ ଉପରକୁ ପଥର ମାଡ଼ କରିଥିଲେ। ଏଥିରେ ଯୁବକମାନେ ଗାଡ଼ି ଅଟକାଇବାରୁ ସେମାନଙ୍କୁ ଗାଡ଼ିରୁ ଭିଡ଼ି ଆଣି ଗ୍ରାମବାସୀ ରଡ୍ ଓ ବାଡ଼ିରେ ପିଟିବା ଆରମ୍ଭ କରିଦେଇଥିଲେ। ଏ ସମ୍ପର୍କରେ ଖବର ପାଇ ସ୍ଥାନୀୟ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। କିନ୍ତୁ କାସା ପୋଲିସର କର୍ମଚାରୀମାନେ ଗ୍ରାମବାସୀଙ୍କୁ ରୋକିବା ସକାଶେ ଉଦ୍ୟମ କରିଥିଲେ ହେଁ ସେମାନେ ଥମି ନ ଥିଲେ। ବରଂ ସେମାନେ ପୋଲିସ୍ କର୍ମଚାରୀମାନଙ୍କୁ ମାଡ଼ ମାରିବା ସହ ପୋଲିସ୍ ଗାଡ଼ିକୁ ମଧ୍ୟ ଭାଙ୍ଗିରୁଜି ପକାଇଥିଲେ। ଗ୍ରାମବାସୀଙ୍କ ମାଡ଼ରେ ୪ ଜଣ ପୋଲିସ୍ କର୍ମଚାରୀ ଓ ଜଣେ ବରିଷ୍ଠ ଅଧିକାରୀ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ ଯେ ତିନି ଦିନ ତଳେ ଏହି ଗ୍ରାମବାସୀ ଚୋର ବୋଲି ସନ୍ଦେହ କରି ଜଣେ ଅତିରିକ୍ତ ପୋଲିସ୍ ଇନ୍ସପେକ୍ଟର ଆନନ୍ଦ କାଲେ ଓ ତାଙ୍କର ୩ ଜଣ ସହଯୋଗୀ ଏବଂ ଜଣେ ଡାକ୍ତରଙ୍କୁ ମାଡ଼ ମାରିଥିଲେ। ଗୁରୁବାର ମାମଲାରେ ପୋଲିସ୍ ପଚରାଉଚରା କରିବା ସହ ସନ୍ଦେହରେ କେତେକ ଲୋକଙ୍କୁ ଅଟକ ରଖି ତଦନ୍ତ ଚଳାଇଥିବା ଜଣାପଡ଼ିଛି।


