କୁମାରୀ ମାନେ ଆଞ୍ଜୁଳି ଟେକି ପାଳିଲେ କୁମାରୋତ୍ସବ
ନିମାପଡା, (ସନ୍ତୋଷ ଦାଶ):ଆଜି ଆଶ୍ୱିନ ମାସର ପବିତ୍ର ପୂର୍ଣ୍ଣିମା ତିଥି । ଗାଁ ଗାଁ ରେ କୁମାରୀମାନେ ପାଳନ କରିଛନ୍ତି କୁମାରୋତ୍ସବ । ପ୍ରାତଃ ରୁ ଉଠି କୁମାରୀ ମାନେ ସ୍ନାନ କରି ନବ ବସ୍ତ୍ର ପରିଧାନ କରି ଜ୍ୟେଷ୍ଠ ମାନଙ୍କ ଠାରୁ ଆଶ୍ରିବାଦ ନେଇ ଉଦୟ ହେଉଥିବା ବାଳ ସୂର୍ଯ୍ୟଙ୍କୁ ଆଞ୍ଜୁଳି ଟେକିଥିଲେ। ଅଛଡା ଲିଆ, ନଡ଼ିଆ, ଗୋଟା ଗୁଆ,ଆଖୁ, ଫୁଲ ଲଗା କାକୁଡି କସି, ଜହ୍ନି କସି କୁ ହାତ ପାପୁଲି ରେ ଧରି ସୂର୍ଯ୍ୟ ଦେବତା ଙ୍କୁ ଅର୍ପଣ କରିଥିଲେ । ଦିନ ସାରା ଉପବାସ ରହି ବ୍ରତ/ଓଷା ରଖି ଥିବା କୁମାରୀ ମାନେ ଚନ୍ଦ୍ରଗ୍ରହଣ ପାଇଁ ସଂଧ୍ୟା ପୂର୍ବରୁ ତୁଳସୀ ଚଉରା ମୂଳରେ ଏକାଠି ହୋଇଥିଲେ । ଝୋଟି, ମୁରୁଜ, ଫୁଲରେ ଚଉରା ମୂଳ ସଜାଇ ପୂଜା ଥାଳି ରେ ଉଖୁଡା, କଦଳୀ, ବିଭିନ୍ନ ଫଳ ମୂଳ, ଗୁଡ଼, ଛେନା, ଦହି, ନଡ଼ିଆ ଥୋଇ ପୂଜା କରିଥିଲେ। ସଂଧ୍ୟା ରେ ଆକାଶ ରେ ପୂର୍ଣ୍ଣମୀ ଜହ୍ନ ଦେଖି କେବଳ ମୁଣ୍ଡିଆ ମାରିଥିଲେ ଆଉ ଗାଇଥିଲେ କୁଆଁର ପୁନେଇଁ ଜହ୍ନଗୋ ଫୁଲ ବଉଳବେଣୀ ଗୀତ। ଜହ୍ନ ଙ୍କୁ ଚଉରା ମୂଳରେ ଚନ୍ଦ୍ର ଗ୍ରହଣ କାରଣ ରୁ ପୂଜା କରି ନ ପାରି ଦୁଖିତଃ ହୋଇଥିଲେ। ଚଉରା ମୂଳରେ ହୋଇଥିବା ଭୋଗ କୁ ଚକଟି ଚକଟା ପ୍ରସ୍ତୁତ କରାଯାଇଥିଲା। ଭୋଗ ଚକଟା କୁ ଖାଇ କୁମାରୀ ମାନେ ଓଷା ପୂର୍ଣ୍ଣ କରିଥିଲେ। ଏହି ପରମ୍ପରା ଆମ ଓଡ଼ିଆ ସଂସ୍କୃତି ରେ ରହି ଆସିଛି କାହିଁ କେତେ କାଳରୁ । କୁଆଁର ପୁନେଇଁ ଜହ୍ନ ଗୋ ଫୁଲ ବଉଳବେଣୀ ଗୀତ ରେ କମ୍ପି ଉଠିଥିଲା ପ୍ରାୟ ପ୍ରତ୍ୟେକ ଗାଁ ଦାଣ୍ଡ ଓ ଚଉରା ମୂଳ । ତେବେ ଚନ୍ଦ୍ର ଗ୍ରହଣ କାରଣ ରୁ ପୂଜା ଫିକା ପଡ଼ିଥିଲା।


