କୋଣାର୍କରେ ନ୍ୟାୟିକ ଭିତ୍ତିଭୂମିକୁ ନୂଆ ଦିଗ : ନବନିର୍ମିତ ଟ୍ରାନ୍ଜିଟ୍ ହାଉସ୍ ଉଦ୍ଘାଟିତ
କୋଣାର୍କ : କୋଣାର୍କରେ ନବନିର୍ମିତ ଟ୍ରାନ୍ଜିଟ୍ ହାଉସ୍ର ଆଜି ଶୁଭ ଉଦ୍ଘାଟନ ହୋଇଛି। ଓଡ଼ିଶା ହାଇକୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ଭର୍ଚୁଆଲ୍ ମାଧ୍ୟମରେ ଏହି ନବନିର୍ମିତ ଟ୍ରାନ୍ଜିଟ୍ ହାଉସ୍ର ଉଦ୍ଘାଟନ କରିଥିଲେ। ଉଦ୍ଘାଟନ ସମାରୋହରେ ହାଇକୋର୍ଟର ମାନ୍ୟବର ସହଯୋଗୀ ବିଚାରପତିମାନେ ମଧ୍ୟ ଯୋଗଦେଇଥିଲେ। ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟକ୍ରମଟି ଭର୍ଚୁଆଲ୍ ମୋଡ୍ରେ ଆୟୋଜିତ ହୋଇଥିଲା। ଏହି ଅବସରରେ ପୁରୀ ଜିଲ୍ଲା ଓ ଦୌରା ଜଜ୍ ଶ୍ରୀ ଆନନ୍ଦ ମହାରଣା, ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଶ୍ରୀ ସୈକତ୍ ପାତ୍ର, ରେଜିଷ୍ଟ୍ରାର ଶ୍ରୀ ସୋଭନ କାନୁନଗୋ ଏବଂ କୋଣାର୍କ ସିଭିଲ୍ ଜଜ୍ ଶ୍ରୀ ସିତେଶ ମହାନ୍ତିଙ୍କ ସମେତ ବହୁ ନ୍ୟାୟିକ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।କୋଣାର୍କରେ ଏହି ଟ୍ରାନ୍ଜିଟ୍ ହାଉସ୍ ନିର୍ମାଣ ନ୍ୟାୟିକ ଭିତ୍ତିଭୂମିର ବିକାଶ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ନ୍ୟାୟିକ ଅଧିକାରୀମାନଙ୍କ କୋଣାର୍କ ଗସ୍ତ ସମୟରେ ରହଣି ଓ ଆବଶ୍ୟକ ସୁବିଧା ପ୍ରଦାନରେ ଏହା ସହାୟକ ହେବ। ଉଦ୍ଘାଟନୀ ସମାରୋହରେ ସ୍ଥାନୀୟ ନ୍ୟାୟିକ ଅଧିକାରୀ, କୋଣାର୍କ ବାର୍ ଆସୋସିଏସନ୍ର ପ୍ରତିନିଧି ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ। ନବନିର୍ମିତ ଟ୍ରାନ୍ଜିଟ୍ ହାଉସ୍ କୋଣାର୍କର ନ୍ୟାୟିକ ପ୍ରଶାସନକୁ ଅଧିକ ସୁଦୃଢ଼ କରିବା ସହ ନ୍ୟାୟିକ ଅଧିକାରୀ ଓ କର୍ମଚାରୀମାନଙ୍କ ପାଇଁ ଉପଯୋଗୀ ଆବାସିକ ସୁବିଧା ଯୋଗାଇଦେବ ବୋଲି ଆଶା ପ୍ରକାଶ ପାଇଛି।


