କୁମାର ପୂର୍ଣ୍ଣମୀରେ ଆଖଡ଼ା ପ୍ରତିଯୋଗିତା ଓ ପୁରସ୍କାର ବିତରଣ ଉତ୍ସବ

ବାଲେଶ୍ୱର, (ସରୋଜ ପଣ୍ଡା):କୁମାର ପୂର୍ଣ୍ଣିମା ଅବସରରେ ମହାବୀର ଆଖଡ଼ା ସଂଘ ଓ ରାଜ୍ୟ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୁଲ୍ୟରେ ଆଖଡ଼ା ପ୍ରତିଯୋଗିତା ଏବଂ ଦଶହରା ଆଖଡ଼ା ପୁରସ୍କାର ବିତରଣ ଉତ୍ସବ ରବିବାର ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ସହରର ମାକଲପୁରସ୍ଥିତ ମହାବୀର ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଉତ୍ସବରେ ସଦର ବିଧାୟକ ସ୍ୱରୂପ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାବୀର ଆଖଡ଼ା ସଂଘ ସମେତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଅନ୍ୟାନ୍ୟ ଆଖଡ଼ା ଦଳର କର୍ମକର୍ତ୍ତା ତଥା ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଲୁପ୍ତପ୍ରାୟ ପୁରାତନ ଉତ୍କଳୀୟ ସମରକଳା ଉଜ୍ଜୀବିତ ରଖିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ବେଶ ସ୍ୱାଗତ ଯୋଗ୍ୟ ବୋଲି ସେ କହିଥିଲେ ।ଏନେଇ ସେ ପୂର୍ବରୁ ରାଜ୍ୟ ସଂସ୍କୃତି ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଆଖଡ଼ା ଖେଳ ପାଇଁ ସରକାର ପ୍ରୋତ୍ସାହନ ଯୋଗାଇ ଦେଉଥିବା ବେଳେ ଆଗାମୀ ଦିନରେ ବାଲେଶ୍ୱର ଜିଲାର ଅଧିକରୁ ଅଧିକ ଆଖଡ଼ା ଦଳ ଖେଳ ପ୍ରଦର୍ଶନ ନିମନ୍ତେ ଉଚିତ ପଦକ୍ଷେପ ନେବା ପାଇଁ ବିଧାୟକ ଶ୍ରୀ ଦାସ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ମହାନ ଉତ୍କଳୀୟ ସଂସ୍କୃତିରେ ଆଖଡ଼ା ଖେଳ ତଥା ପ୍ରାଚୀନ ସମର କଳା ପ୍ରଦର୍ଶନ ଏକ ନିଆରା ପରମ୍ପରା ବୋଲି କହିଥିଲେ । ଏହି ପରମ୍ପରାର ପୁନରୁଦ୍ଧାର ପାଇଁ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସେ ସୂଚନା ଦେଇଥିଲେ । ପୌରାଧ୍ୟକ୍ଷା ସବିତା ସାହୁ, ରେବତୀ ପତ୍ରିକାର ସମ୍ପାଦିକା ସମାଜସେବୀ ସୁବାସିନୀ ଜେନା, ଜିଲା ସଂସ୍କୃତି ଅଧିକାରୀ ଆଶିଷ କୁମାର ସାହୁ, ପୂର୍ବତନ ପୌରପାଳ ଆଲୋକ କୁମାର ସାହୁ ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଏହି ପରମ୍ପରାକୁ ବଞ୍ଚାଇ ରଖିବାରେ ମହାବୀର ଆଖଡ଼ା ସଂଘର ଉଦ୍ୟମକୁ ଅତିଥିମାନେ ଭୂୟସୀ ପ୍ରଶଂସା କରିଥିଲେ ।ଏବେ ରାଜ୍ୟ ସରକାର ପ୍ରୋତ୍ସାହନ ଯୋଗାଇ ଦେଉଥିବା ବେଳେ ଆଗାମୀ ଦିନରେ ଏହାକୁ ବ୍ୟାପକ ଆକାରରେ ଆୟୋଜନ ପାଇଁ ସେମାନେ ସଂଘର କର୍ମକର୍ତ୍ତାଙ୍କୁ ସେମାନେ ପରାମର୍ଶ ଦେଇଥିଲେ । ମହାବୀର ଆଖଡ଼ା ସଂଘର ସଭାପତି ଗୋପୀନାଥ ଶତପଥୀ ଏହି ଉତ୍ସବରେ ସଭାପତିତ୍ୱ କରିଥିବା ବେଳେ ସାଧାରଣ ସମ୍ପାଦକ ମନୋଜ କୁମାର ଦାସ ବିବରଣୀ ଉପସ୍ଥାପନ କରିଥିଲେ । ଆଖଡ଼ା ଖେଳ ଉଜ୍ଜୀବିତ ରଖିବା ପାଇଁ ପ୍ରୋତ୍ସାହନ ପ୍ରଦାନ ଆରମ୍ଭ କରିଥିବା ରାଜ୍ୟ ସରକାରଙ୍କୁ ସଂଘର କର୍ମକର୍ତ୍ତାମାନେ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି ଅବସରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପୁରୁଣା ବାଲେଶ୍ୱର ଆଖଡ଼ା ଦଳକୁ ୧୦ ହଜାର, ଦ୍ୱିତୀୟ ସ୍ଥାନରେ ଥିବା ଭୀମପୁର ଆଖଡ଼ା ଦଳକୁ ୮ ହଜାର ଓ ତୃତୀୟ ସ୍ଥାନ ଅଧିକାର କରିଥିବା ମଠସାହି ମହାବୀର ଆଖଡ଼ା ଦଳକୁ ୪ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଅତିଥିମାନେ ଆଖଡ଼ା ଦଳ କର୍ମକର୍ତ୍ତାଙ୍କୁ ପୁରସ୍କାର ରାଶି ଓ ଟ୍ରଫି ପ୍ରଦାନ କରିଥିଲେ । ସେହିଭଳି ଚଳିତବର୍ଷ ଖେଳରେ ଅଂଶଗ୍ରହଣ କରିଥିବା ପ୍ରତ୍ୟେକ ଦଳକୁ ୩ ହଜାର ଲେଖାଏଁ ଏବଂ ପ୍ରତ୍ୟେକ ମହିଳା ଖେଳାଳିଙ୍କୁ ହଜାରେ ଲେଖାଏଁ ଟଙ୍କା ପ୍ରଦାନ କରାଯାଇଥିଲା । ସେହିଭଳି ରଭର୍ସ ସାଇଡ ଫିଲିଂ ଷ୍ଟେସନ ପକ୍ଷରୁ ମଧ୍ୟ ଶ୍ରେଷ୍ଠ ଦଳ ଓ ଖେଳାଳିଙ୍କୁ ପରୁସ୍କାର ପ୍ରଦାନ କରାଯାଇଛି । ମହାବୀର ଆଖଡ଼ା ସଂଘର ଉପ-ସଭାପତି ମନୋଜ ରାଉତ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ