ବାଲେଶ୍ୱରରେ ଶ୍ରଦ୍ଧାର ସହ ସମ୍ପନ୍ନ ଲକ୍ଷ୍ମୀପୂଜା
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ସହର ସମେତ ସମଗ୍ର ଜିଲ୍ଲାରେ ଶ୍ରଦ୍ଧା ଓ ଭକ୍ତିର ସହ ଅନୁଷ୍ଠିତ ହୋଇଯାଇଛି ମା ଲକ୍ଷ୍ମୀଙ୍କ ପୂଜା । ଘରୋଇ ପୂଜା ଠାରୁ ଆରମ୍ଭ କରି ସାର୍ବଜନୀନ ମଣ୍ଡପ ଗୁଡିକରେ ବୈଦିକ ରୀତିନୀତି ଅନୁସାରେ ମା ଲକ୍ଷ୍ମୀଙ୍କୁ ଅର୍ଚ୍ଚନ କରାଯାଇଛି । ଶାରଦୀୟ ଦୂର୍ଗାପୂଜା ପରେ ଶୂନ୍ୟତା ବିରାଜମାନ କରୁଥିବା ବେଳେ ମା ଲକ୍ଷ୍ମୀଙ୍କ ପୂଜା ପାଇଁ ପୁଣି ଚଳ ଚଂଚଳ ହୋଇ ଉଠିଛି ବାଲେଶ୍ୱର ସହର । ମାଆ ଦୁର୍ଗାଙ୍କୁ ମେଲାଣି ଦେବା ପରେ ଅଧିକାଂଶ ସାର୍ବଜନନୀନ ମଣ୍ଡପରେ ମାଆ ଲକ୍ଷ୍ମୀଙ୍କର ପୂଜା କରାଯାଇଥିବା ଦେଖିବାକୁ ମିଳିଛି । ପୂଜା ମଣ୍ଡପମାନଙ୍କରେ ମାଆଙ୍କ ମୃଣ୍ମୟ ମୂର୍ତି ସାଙ୍ଗକୁ ତୋରଣ ଓ ଆଲୋକସଜ୍ଜା ବେଶ ଆକର୍ଷଣୀୟ ହୋଇଛି । ମା ଲକ୍ଷ୍ମୀଙ୍କ ପୂଜା ପାଇଁ ଆବାଳ ବୃଦ୍ଧ ବନୀତା ବେଶ୍ ତତ୍ପର ଥିବା ଦେଖିବାକୁ ମିଳିଛି । ଶାସ୍ତ୍ରୀୟ ବିଧି ଅନୁସାରେ ରବିବାର କୁମାର ପୂର୍ଣ୍ଣମୀ ରାତିରେ ମା ଲକ୍ଷ୍ମୀଙ୍କ ପୂଜା କରାଯାଇଥିଲା । ମା’ଙ୍କର ଷୋଡ଼ଶ ଉପଚାର ପୂଜାରେ ବେଦଜ୍ଞ ବ୍ରାହ୍ମଣଙ୍କ ମନ୍ତ୍ର ଧ୍ୱନିରେ ପୂଜା ମଣ୍ଡପରେ ଭକ୍ତମୟ ପରିବେଶ ସୃଷ୍ଟି ହୋଇଥିଲା । ଭକ୍ତମାନେ ଶ୍ରଦ୍ଧାର ସହ ସଂକଳ୍ପ କରି ନିଜ ପରିବାରର ଶୁଭ ମନାସୀ ମାଆଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ରାତି ପ୍ରାୟ ୧୦ଟା ପରେ ଘରୋଇ ଓ ର୍ସାଜନୀନ ମଣ୍ଡପଗୁଡ଼ିକ ପକ୍ଷରୁ ଧାର୍ଯ୍ୟ ସମୟ ନିର୍ଘଂଟ ଅନୁସାରେ ଘଟ ଉତ୍ତୋଳନ ପରେ ମାଆଙ୍କ ଶୋଡ଼ଷ ଉପଚାର ପୂଜା ଆରମ୍ଭ ହୋଇଥିଲା । ପୂଜା ସମୟରେ ଘଂଟଘଂଟା, ଶଂଖ ହୁଳହୁଳି ଓ ବିଭିନ୍ନ ପ୍ରକାର ବାଜାର ଧ୍ୱନିରେ ପୂଜାସ୍ଥଳ ଗୁଡ଼ିକରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା । ମାଆଙ୍କୁ ଡାଲା ଅର୍ପଣ ପାଇଁ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ବିଭିନ୍ନ ପୂଜା ମଣ୍ଡପରେ ବ୍ରତଧାରୀଙ୍କ ବେଶ୍ ଭିଡ଼ ଲାଗିଥିବା ପରିଲକ୍ଷିତ ହୋଇଥିଲା ।


