କୁସୁମ କବିଙ୍କ ସ୍ମୃତିରେ କୁସୁମାଞ୍ଜଳି ଉନ୍ମୋଚିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଜନମଙ୍ଗଳ କ୍ଲବ ପକ୍ଷରୁ ଆୟୋଜିତ ଓ ଷ୍ଟୁଡ଼ିଓ ମାଟ୍ରିକ୍ସ ସହଯୋଗରେ ଜି-୨୦ ଶିଖର ସମ୍ମିଳନୀ ପରିପ୍ରେଷୀରେ ଭାରତୀୟ ବିଦ୍ୟାଭବନରେ ଆୟୋଜିତ ‘ଗଣତନ୍ତ୍ର ଏବଂ ସରକାରରେ ଆଜିର ଯୁବଗୋଷ୍ଠୀଙ୍କ ଭୁମିକା’ ଶୀର୍ଷକ ଆଲୋଚନାଚକ୍ର ତଥା କୁସୁମ କବି ସ୍ୱର୍ଗତ ଫକୀର ମୋହନ ଶତପଥିଙ୍କ ସ୍ମରଣରେ ଏକ ସ୍ମରଣୀକା ‘କୁସୁମାଞ୍ଜଳି’ ଉନ୍ମୋଚିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପୂର୍ବତନ ମନ୍ତ୍ରୀ ତଥା ମାନ୍ୟବର ବାଲେଶ୍ୱର ସାଂସଦ ପ୍ରତାପଚନ୍ଦ୍ର ଷଡଙ୍ଗୀ, ସମ୍ମାନିତ ଅତିଥି ଭାବେ ସେଣ୍ଟ ଜନ ଆମ୍ବୁଲାନ୍ସ ସଚିବ ଶ୍ରୀଯୁକ୍ତ ନିଧି କୁମାର ରାଉତରାୟ, ବରେଣ୍ୟ ଅତିଥି ଭାବେ ଭାରତ ସ୍କାଉଟ ଏବଂ ଗାଇଡର ପ୍ରଶାସନିକ ଅଧିକାରିଣୀ ଶ୍ରୀମତୀ ଅନାମିକା ଦାସ, ମୁଖ୍ୟ ବକ୍ତା ଭାବେ ଜି-୨୦ ୟୁଥର କୋଷାଧକ୍ଷ ଓମ ପ୍ରିୟଦର୍ଶୀ ଛୋଟରାୟ, ଜନମଙ୍ଗଳ କ୍ଲବର ସଭାପତି ତଥା ସମାଜସେବୀ ସୁକାନ୍ତ କିଶୋର ସାମନ୍ତରାୟ ଯୋଗଦେଇ ସରକାର ଏବଂ ଗଣତନ୍ତ୍ରରେ ଯୁବଗୋଷ୍ଠୀଙ୍କ ଭୂମିକା, ଦୁର୍ନିତୀମୁକ୍ତ ଓ ପ୍ରଦୂଷଣମୁକ୍ତ ଭାରତ ତଥା ଭାରତ ବିଶ୍ୱଗୁରୁ ହେବାପାଇଁ ଆଜିର ଆହ୍ୱାନ ବୋଲି ମାନ୍ୟବର ସାଂସଦ ତଥା ଅନ୍ୟ ଅତିଥିମାନେ ମତବ୍ୟକ୍ତ କରିବା ସହିତ ବୈଷୟିକ ସଙ୍କଟ ଗୁଡ଼ିକରେ ଭାରତର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ବିଶ୍ୱଶାନ୍ତି ସ୍ଥାପନ, ଗଣତନ୍ତ୍ର ତଥା ରାଜନୀତିରେ ଯୁବଗୋଷ୍ଠୀଙ୍କ ଭୂମିକା ଏବଂ ଭାରତ ଜି-୨୦ର ସଭାପତି ହେବା ବେଶ ଗୌରବର ବିଷୟ ବୋଲି ଶ୍ରୀଯୁକ୍ତ ଷଡଙ୍ଗୀ ମତ ରଖିଥିଲେ ।
ଏହି ଅବସରରେ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ବିଦ୍ୟାର୍ଥୀମାନଙ୍କ ଦ୍ୱାରା କରାଯାଇଥିଲା । ଏଥିରେ ପ୍ରାୟ ୨୦୦ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରୁ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ବିଶ୍ୱର ସମସ୍ୟା ସହିତ ଆନ୍ତର୍ଜାତୀୟ ସମସ୍ୟା ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ରାଷ୍ଟ୍ର ଗଠନରେ ଭୁମିକା ପ୍ରମୁଖର ପ୍ରାସଙ୍ଗିକତା ରହିଛି ବୋଲି ମତପ୍ରକାଶ ପାଇଥିଲା । କୁସୁମ କବି ଫକୀର ମୋହନ ଶତପଥୀଙ୍କ ଓଡିଆ ଭାଷା ସାହିତ୍ୟ ପ୍ରତି ଥିବା ଅବଦାନକୁ ସ୍ମରଣ କରାଯିବା ସହିତ ସେ ଶିକ୍ଷକ ଥିବାବେଳେ କଣାସ ବିଦ୍ୟାଳୟ ପ୍ରତିଷ୍ଠା ସହିତ ବହୁ ସାମାଜିକ କାର୍ଯ୍ୟମାନ ହାତକୁ ନେଇଥିଲେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବହୁ ବିଦ୍ୟାର୍ଥୀ, ଯୁବଗୋଷ୍ଠୀ, ସମାଜସେବୀ ତଥା ବିଭିନ୍ନ ବ୍ୟକ୍ତିତ୍ୱମାନେ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ