କୃଷକଙ୍କୁ ଅବହେଳା ବରଦାସ୍ତ କରାଯିବନି : ଜନଶକ୍ତି ପାର୍ଟି

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ବନ୍ୟା, ବାତ୍ୟା ଓ ମରୁଡି ଭଳି ପ୍ରାକୃତିକ ବିପର୍ଯ୍ୟୟରେ ସର୍ବଦା ଚାଷୀ କ୍ଷତିଗ୍ରସ୍ଥ ହୋଇଥାଏ । ବିଶେଷ କରି ଭାଗଚାଷୀଟି ଅଧିକ କ୍ଷତିଗ୍ରସ୍ଥ ହେବାର ଦେଖାଯାଇଥାଏ । ଚାଷୀଟି ମୁଣ୍ଡ ଝାଳ ତୁଣ୍ଡରେ ମାରି ଭୋକ ଉପାସରେ ଚାଷ କରି ଆମର ଅନ୍ନଦାତା ତଥା ବର୍ଷକ ପାଇଁ ନିଜର ଗୁଜୁରାଣ, ପିଲାଙ୍କ ପାଠପଢା, ଔଷଧ, ବିବାହ ବ୍ରତ ପ୍ରଭୃତି କରିଥାଏ ଉତ୍ପାଦିତ ଫସଲକୁ ବିକ୍ରୀ କରି । ମାତ୍ର ହାତ ଉଧାର ଓ କରଜ କରି ଚାଷ କରିଥିବା ଚାଷୀଟି ଫସଲ ଅମଳ ପାଇଁ ଅପେକ୍ଷା କରିଥିବା ବେଳେ ଜୱାଦ ବାତ୍ୟା ଜନିତ ଲଗାଣ ବର୍ଷାରେ ଉଜୁଡି ଯାଇଥିବା ଫସଲକୁ ଦେଖି ମୁଣ୍ଡରେ ହାତ ଦେଇ ବସିଛି । ଏଭଳି ସମୟରେ କ୍ଷତିଗ୍ରସ୍ଥ ଚାଷୀଙ୍କୁ କୃଷି ଋଣ ଛାଡ କରାଯିବା, ଖଜଣା ଜଳକର ଛାଡ ସହିତ ରବି ଫସଲ ଓ ଦାଳୁଅ ଧାନ ଚାଷ ପାଇଁ ତୁରନ୍ତ ବିନା ସୁଧରେ ଋଣ ଯୋଗାଇ ଦେବାକୁ ଜନଶକ୍ତି ପାର୍ଟିର ରାଜ୍ୟ ସଭାପତି ଆଇନଜୀବି ପ୍ରଦୀପ କୁମାର ଦାଶ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି । ଯଦି ସରକାର ଏଥିରେ ଟାଳଟୁଳ ନୀତି ଅବଲମ୍ବନ କରନ୍ତି ତେବେ କୃଷକଙ୍କ ପ୍ରତି ଅବହେଳାକୁ ବରଦାସ୍ତ କରାନଯାଇ ଜନଶକ୍ତି ପାର୍ଟି କୃଷକଙ୍କ ସ୍ୱାର୍ଥ ପାଇଁ ରାଜରାସ୍ତାକୁ ଓହ୍ଲାଇବ ବୋଲି ସଭାପତି ଶ୍ରୀ ଦାଶ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ