କୃଷି କାର୍ଯ୍ୟାଳୟରେ ରାସାୟନିକ ବିଶୋଧକ ସିଞ୍ଚନ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ):ମହାମାରୀ କରୋନା କବଳରେ ଓଡ଼ିଶା ସମେତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନ କବଳିତ ହୋଇଛି।ଗତ ପ୍ରାୟ ୬ ମାସ ଧରି ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ଘଟି ଏକ ଅଜଣା ଆତଙ୍କ ସୃଷ୍ଟି କରିଥିଲା ବେଳେ ଏବେ କ୍ରମଶଃ ହ୍ରାସ ପାଇଛି।ଜିଲ୍ଲାକୁ କରୋନା ମୁକ୍ତ କରିବା ଲକ୍ଷ୍ୟରେ ପ୍ରଶାସନ ପକ୍ଷରୁ ସ୍ଥାନୀୟ ବ୍ଲକର ଗ୍ରାମାଞ୍ଚଳରେ ଜିରୋ ଆକ୍ଟିଭ କେଶ କୁ ଗୁରୁତ୍ୱ ପ୍ରଦାନ କରାଯାଇଛି।କିନ୍ତୁ ସାଧାରଣ ଲୋକଙ୍କ ଜୀବନ ସହ ପ୍ରତ୍ୟକ୍ଷ ଭାବେ ସଂସ୍ପର୍ଶରେ ଆସୁଥିବା କିଛି ସରକାରୀ କର୍ମଚାରୀ କିମ୍ବା ଅଧିକାରୀ ସଂକ୍ରମିତ ହେବା ଦେଖାଯାଇଛି।ଏଭଳି ଭାବେ ସ୍ଥାନୀୟ କୃଷି ବିଭାଗରେ କାର୍ଯ୍ୟରତ ହିଞ୍ଜିଳି ସହକାରୀ କୃଷି ଅଧିକାରୀ ପ୍ରଶାନ୍ତ କୁମାର ନାଥ କରୋନା ସଂକ୍ରମିତ ହେବା ଜଣାପଡିଛି।କୋଭିଡ ପରୀକ୍ଷଣ ବେଳେ ନମୁନାରୁ ପଜିଟିଭ ରିପୋର୍ଟ ଆସିବା ପରେ ସେ ସଂପ୍ରତି ଚିକିତ୍ସାଧୀନ ଅବସ୍ଥାରେ ଥିବା ସୂଚନା ମିଳିଛି।ଫଳରେ ଲୋକ ତଥା କର୍ମଚାରୀଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତି ଗୁରୁତ୍ୱ ପ୍ରଦାନ କରି ବ୍ଲକ ପ୍ରଶାସନ ପକ୍ଷରୁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି।ବିଡ଼ିଓ ପ୍ରସନ୍ନ କୁମାର ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ଅଗ୍ନିଶମ ବିଭାଗ ପକ୍ଷରୁ ସୋମବାର ସମ୍ପୃକ୍ତ କୃଷି କାର୍ଯ୍ୟାଳୟକୁ ରାସାୟନିକ ବିଶୋଧକ ସିଞ୍ଚନ କରି ସମ୍ପୂର୍ଣ୍ଣ ବିଶୋଧିତ କରାଯାଇଛି।ସ୍ଥାନୀୟ ହିଞ୍ଜିଳି ଅଗ୍ନିଶମ ବିଭାଗର ଷ୍ଟେସନ ଅଧିକାରୀ ଗୌତମ ସାହୁ,ସନ୍ତୋଷ କୁମାର ଗୌଡ଼ ଓ ବିଭୁତି ଭୂଷଣ ଜେନା ପ୍ରମୁଖ ସିଞ୍ଚନ ପ୍ରକ୍ରିୟାରେ ସାମିଲ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ