କେନ୍ଦ୍ର ସରକାରଙ୍କ ଖାଦ୍ୟ ସବ୍ସିଡି, ପରିବହନ ଓ ଡିଲର ଖର୍ଚ୍ଚ ବାବଦରେ ୪୬,୦୬୧ କୋଟି ଟଙ୍କା ଅନ୍ତର୍ଭୁକ୍ତ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ସଂପ୍ରସାରଣ ଚଳିତବର୍ଷ ନଭେମ୍ବର ଶେଷ ପର୍ଯ୍ୟନ୍ତ ଚାଲୁ ରହିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଘୋଷଣା କରିଥିଲେ । ସେ କହିଥିଲେ ଯେ ଜୁନ୍ରେ ଶେଷ ହୋଇଥିବା ଏହି ଯୋଜନାର ମିଆଦକୁ ଆଉ ୫ମାସ ବଢାଇ ଦିଆଯାଇଛି ଏବଂ ଜୁଲାଇ ମାସରୁ ଏହି ପରିବର୍ଦ୍ଧିତ ବ୍ୟବସ୍ଥା ଲାଗୁ ହେବ । ଏହି ୫ମାସ ମଧ୍ୟରେ ୮୦ କୋଟିରୁ ଅଧିକ ଲୋକଙ୍କୁ ମୁଣ୍ଡପିଛା ପ୍ରତି ମାସରେ ୫କେଜି ଗହମ କିମ୍ବା ଚାଉଳ ଓ ଏକ କେଜି ଡାଲି ପରିବାର ପିଛା ଯୋଗାଇ ଦିଆଯିବ । କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ଏ ସଂପର୍କରେ ଏହି ଯୋଜନାରେ ଯୋଗାଇ ଦିଆଯାଉଥିବା ଖାଦ୍ୟଶସ୍ୟର ବ୍ୟୟ ଆକଳନ କରିଛି । ତଦନୁସାରେ ମୁଣ୍ଡପିଛା ୫କେଜି ଗହମ/ଚାଉଳ ଗତ ୩ମାସ ମଧ୍ୟରେ ଏପ୍ରିଲ, ମେ, ଜୁନ୍ ଯାହା ଯୋଗାଇ ଦିଆଯାଇଛି, ସେଥିରେ କେବଳ ସବ୍ସିଡି ବାବଦରେ ସରକାରଙ୍କର ୪୪,୧୩୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଚାଉଳ ବାବଦରେ ମେଟ୍ରିକ ଟନ ପିଛା ମୋଟ ଆର୍ଥିକ ଖର୍ଚ୍ଚ ୩୭,୨୬୭.୬୦ ଟଙ୍କା ଓ ଗହମ ବାବଦରେ ୨୬,୮୩୮.୪୦ ଟଙ୍କା ହିସାବ କରାଯାଇଛି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଯେଉଁ ଖାଦ୍ୟଶସ୍ୟ ବିଭିନ୍ନ ରାଜ୍ୟକୁ ପଠାଯାଉଛି ତାହାର ପରିବହନ ଓ ବୋଝେଇ ଖଲାସ ବାବଦ ଖର୍ଚ୍ଚ ଏବଂ ଡିଲର କମିସନ ବାବଦ ବ୍ୟୟକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବହନ କରିବା କଥା । ଏଥିପାଇଁ ଖାଦ୍ୟ ନିରାପତ୍ତା ଆଇନରେ ଅନୁପାତ ନିର୍ଦ୍ଧାରିତ ହୋଇଛି । ତେବେ କେନ୍ଦ୍ର ସରକାର ଏହି ଯୋଜନାରେ ବାବଦ ସମସ୍ତ ବ୍ୟୟ ବହନ କରୁଛନ୍ତି । ତେଣୁ ସେଥିପାଇଁ ୧,୯୩୦ କୋଟି ଟଙ୍କା କେନ୍ଦ୍ର ସରକାରଙ୍କୁ ପରିବହନ ଓ ଅନ୍ୟାନ୍ୟ ବାବଦରେ ଖର୍ଚ୍ଚ କରିବାକୁ ପଡିବ । ତେଣୁ ଏସବୁକୁ ମିଶାଇ ଖାଦ୍ୟଶସ୍ୟ ସବ୍ସିଡି ଏହାର ପରିବହନ, ଡିଲର ଦେୟ ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ କେନ୍ଦ୍ର ସରକାର ମୋଟ ୪୬,୦୬୧ କୋଟି ଟଙ୍କା ଖର୍ଚ୍ଚ କରିବେ । ଏହି ହିସାବରେ ଏପ୍ରିଲରୁ ଜୁନ୍ ତଥା ଜୁଲାଇରୁ ନଭେମ୍ବର ମୋଟ ୩୨ନିୟୁତ ଟନ ଚାଉଳ ଓ ଗହମ ସଂପୃକ୍ତ ହିତାଧିକାରୀଙ୍କୁ ବିନା ମୂଲ୍ୟରେ ଦିଆଯାଉଥିବାରୁ ସେ ବାବଦରେ ସରକାର ପ୍ରାୟ ୧,୨୨,୮୨୯ କୋଟି ଟଙ୍କା ଖର୍ଚ୍ଚ କରିବେ । ଖାଉଟି ବ୍ୟାପାର ବିଭାଗର ହିସାବ ଅନୁସାରେ ଏପ୍ରିଲ-ଜୁନ୍ ମଧ୍ୟରେ ଯୋଗାଇ ଦିଆଯାଇଥିବା ଡାଲି ମୂଲ୍ୟ 5 ହଜାର କୋଟି ଟଙ୍କା ହୋଇଥିବାବେଳେ ଜୁଲାଇରୁ ନଭେମ୍ବର ଶେଷଯାଏଁ ଯେଉଁ ଡାଲି ଦିଆଯିବ ତାହା ୬,୮୦୦ କୋଟି ଟଙ୍କା ବୃଦ୍ଧି ପାଇ ମୋଟ ୧୧,୮୦୦ କୋଟି ଟଙ୍କାରେ ପହଞ୍ଚିବ । ଏହା ସହିତ ପ୍ରବାସୀ ଶ୍ରମିକଙ୍କୁ ସରକାର ଦୁଇମାସ ପାଇଁ ଯେଉଁ ଖାଦ୍ୟଶସ୍ୟ ମାଗଣାରେ ଯୋଗାଇ ଦେଇଛନ୍ତି ସେ ବାବଦରେ ମୋଟ ୩,୧୦୯.୫୨ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ହିସାବ କରାଯାଇଛି । କେନ୍ଦ୍ରୀୟ ଭଣ୍ଡାରରୁ ଏ ବାବଦ ଉଠାଯାଇଥିବା ଖାଦ୍ୟଶସ୍ୟର ମୂଲ୍ୟ ମାସିକ ୧,୪୦୦ କୋଟି ଟଙ୍କା ଥିବାବେଳେ ତାହା ଉପରେ ୧୧,୨୦୦ କୋଟି ଟଙ୍କାର ଖର୍ଚ୍ଚ ମାସିକ ଅତିରିକ୍ତ ପଡୁଛି । ତେଣୁ ଖାଦ୍ୟଶସ୍ୟ ଏବଂ ଡାଲି ବଣ୍ଟନ ବାବଦରେ ମୋଟ ଖର୍ଚ୍ଚ ପରିମାଣ ୧,୪୮,୯୩୮ କୋଟି ଟଙ୍କା ହିସାବ କରାଯାଇଛି ।


