କେମିକାଲ ପାଣିରେ କ୍ଷତିଗ୍ରସ୍ତ କୃଷକ ମାନଙ୍କ ଥାନା ସମ୍ମୁଖରେ ଧାରଣା
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ଥାନା ଅଧିନସ୍ଥ ମହଲପଡା ଗ୍ରାମପଞ୍ଚାୟତର ଚିତ୍ରା ଗ୍ରାମର ଅଏଲ ଇଣ୍ଡିଆ କମ୍ପାନୀ ପକ୍ଷରୁ ଖନନ କାର୍ଯ୍ୟ ସମୟରେ ନିର୍ଗତ କେମିକାଲ ଯୁକ୍ତ ପାଣିରେ କ୍ଷତିଗ୍ରସ୍ତ କୃଷକ ମାନଙ୍କ ପକ୍ଷରୁ ସରକାରୀ ସହାୟତା ପ୍ରଦାନ ଦାବିରେ ଗତ ଶନିବାର ପୂର୍ବାହ୍ନ ୧୦ ଘଟିକା ସମୟରେ କୋଣାର୍କ ଥାନା ସମ୍ମୁଖରେ ଆରମ୍ଭ ହୋଇଥିବା ଧାରଣା ରବିବାର ଅପରାହ୍ନ ୩ଘଟିକା ସମୟରେ ପ୍ରତ୍ଯାହୃତ ହୋଇଛି। ଖବରରୁ ପ୍ରକାଶ ଯେ ମହଲପଡା ଗ୍ରାମପଞ୍ଚାୟତର ଚିତ୍ରା ଗ୍ରାମରେ ପ୍ରାକୃତିକ ଗ୍ୟାସ ସନ୍ଧାନରେ ଖନନ କାର୍ଯ୍ୟ ସମୟରେ ନିର୍ଗତ ପ୍ରଦୂଷିତ କେମିକାଲ ଯୁକ୍ତ ପାଣିରେ ୫୦ରୁ ଉର୍ଦ୍ଧ୍ବ କୃଷକମାନଙ୍କ ପ୍ରାୟ ୧୦ ଏକର ରୁ ଉର୍ଦ୍ଧ୍ବ ଧାନ ଫସଲ କ୍ଷୟକ୍ଷତି ଘଟଣାରେ ବିଭାଗର ଅଧିକାରୀ ମାନଙ୍କ କୌଣସି ପଦକ୍ଷେପ ଗ୍ରହଣ ନ ହେବା ଫଳରେ ନ୍ୟାୟ ପାଇଁ କୃଷକ ମାନେ ଗତ ଏପ୍ରିଲ ୧୫ ତାରିଖରେ କୋଣାର୍କ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମାତ୍ର ଏହି ଅଭିଯୋଗକୁ କୋଣାର୍କ ଥାନା ପକ୍ଷରୁ ଟାଳଟୁଳ ନୀତି ଅବଲମ୍ବନ ପୂର୍ବକ କୌଣସି ଠୋସ ପଦକ୍ଷେପ ଗ୍ରହଣ କରି ନ ଥିଲେ। କେମିକାଲ ପାଣିରେ କ୍ଷତିଗ୍ରସ୍ତ କୃଷକ ମାନଙ୍କୁ ସହାୟତା ପ୍ରଦାନ କରିବା ସହ କୋଣାର୍କ ପୋଲିସର ପକ୍ଷପାତିତା ନୀତି ବିରୁଦ୍ଧରେ କୋଣାର୍କ ଥାନା ସମ୍ମୁଖରେ ଗତ ଶନିବାର ପୂର୍ବାହ୍ନ ସମୟରେ ଗଣଧାରଣା ଅନୁଷ୍ଠିତ ହୋଇଥିଲା। ଏହି ଅଭିଯୋଗକୁ ଗୁରୁତ୍ବାରୋପ କରି ପୁରୀ ଜିଲ୍ଲାପାଳ ଓ ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ନିର୍ଦ୍ଦେଶ କ୍ରମେ ଗୋପ ତହସିଲଦାର ରଞ୍ଜନ କୁମାର ପରିଡା ଓ ପିପିଲି ଏସଡିପିଓ ବିରଞ୍ଚି ପାଣି ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଧାରଣକାରୀ ସହ ଆଲୋଚନା କରିଥିଲେ। ଆସନ୍ତା ୩ଦିନ ମଧ୍ୟରେ କେମିକାଲ ପାଣିରେ କ୍ଷତିଗ୍ରସ୍ତ କୃଷକ ମାନଙ୍କ କ୍ଷୟକ୍ଷତି ଆକଳନ କରାଯିବା ସହ ୭ଦିନ ମଧ୍ୟରେ ଧାନ ଫସଲ କ୍ଷତିଗ୍ରସ୍ତ କୃଷକ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୋପ ତହସିଲଦାର ରଞ୍ଜନ କୁମାର ପରିଡା ପ୍ରକାଶ କରିଛନ୍ତି।


