କୋଭିଡର ମୁକାବିଲା କରୁଥିବା ସ୍ଵାସ୍ଥ୍ୟକର୍ମୀଙ୍କ ପାଇଁ ପିଏମଜିକେପି ଘୋଷିତ ବୀମା ଯୋଜନାର ସମୀକ୍ଷା

ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ଭିଡିଓ କନଫରେନ୍ସ ଜରିଆରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ପିଏମଜିକେପି ଅନ୍ତର୍ଗତ କୋଭିଡ-୧୯ର ମୁକାବିଲା କରୁଥିବା ସ୍ଵାସ୍ଥ୍ୟକର୍ମୀଙ୍କ ପାଇଁ ଘୋଷଣା କରାଯାଇଥିବା ବୀମା ଯୋଜନାର କାର୍ଯ୍ୟକାରିତା ସମୀକ୍ଷା କରିଛନ୍ତି । ଏହି ବୈଠକରେ ଅର୍ଥ ସେବା ବିଭାଗ, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ କମ୍ପାନୀ ଲିମିଟେଡର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଏହି ଯୋଜନାର ବିଶେଷତ୍ଵ ଏବଂ ବର୍ତ୍ତମାନସୁଦ୍ଧା କାର୍ଯ୍ୟକାରିତାର ସ୍ଥିତି ସମ୍ପର୍କରେ ଏକ ବିସ୍ତୃତ ଉପସ୍ଥାପନା କରିଥିଲେ। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଅଧିକାରୀମାନେ ଦାବିଗୁଡ଼ିକ ତ୍ଵରାନ୍ୱିତ କରିବା ନିମନ୍ତେ ରାଜ୍ୟ ନୋଡାଲ ଏଜେନ୍ସିଗୁଡ଼ିକ ସହିତ ପାଳନ କରାଯାଉଥିବା ମେକାନିଜିମ ଉପରେ ଆଲୋକପାତ କରିଥିଲେ। ଏଥିସହିତ ମୃତକଙ୍କ ପରିବାର ନିକଟରେ ପହଞ୍ଚିବା ତଥା ଆଇନଗତ ଉତ୍ତରାଧିକାରୀ ପ୍ରମାଣପତ୍ର ହାସଲ କରିବା କ୍ଷେତ୍ରରେ ଦେଖାଦେଉଥିବା ସମସ୍ୟା ଉପରେ ଆଲୋକପାତ କରିଥିଲେ। ବର୍ତ୍ତମାନସୁଦ୍ଧା ୧୪୭ଟି ଆବେଦନ ହସ୍ତଗତ ହୋଇଛି, ୮୭ଟି ଆବେଦନର ଦାବି କାଗଜପତ୍ର ଦାଖଲ କରାଯାଇଥିବା ବେଳେ ଏଥିମଧ୍ୟରୁ ୧୫ଟି ଦାବିର ବୀମା ରାଶି ପ୍ରଦାନ କରାଯାଇଛି। 4ଟି ଆବେଦନ ଅନୁମୋଦନ ଲାଭ କରିଥିବା ବେଳେ ୧୩ଟି ଯାଞ୍ଚ ପ୍ରକ୍ରିୟାରେ ରହିଛି। ଆହୁରି, ୫୫ଟି ଦାବି ଅବୈଧ ବୋଲି ଜଣାପଡ଼ିଛି। ଏଥିମଧ୍ୟରୁ ୩୫ଟି ଦାବି ବୀମା ଯୋଜନାର ନିୟମ ବହିର୍ଭୂତ। ଏସବୁ ଦାବି ପୋଲିସ କର୍ମଚାରୀ, ପୌରପାଳିକା କର୍ମଚାରୀ, ଶିକ୍ଷା କ୍ଷେତ୍ର, ରାଜସ୍ଵ ବିଭାଗର ଆଦିର କର୍ମଚାରୀଙ୍କ ଠାରୁ ମିଳିଛି ଯେଉଁମାନେ ଡାକ୍ତରଖାନା ସହିତ ଜଡ଼ିତ ନୁହନ୍ତି। ଅନ୍ୟପକ୍ଷରେ ୨୦ଟି ଦାବିରେ ମୃତ୍ୟୁ କୋଭିଡ-୧୯ ନୁହେଁ ବରଂ ହୃଦଘାତ ଆଦି କାରଣରୁ ହୋଇଛି। ଏହି ବୈଠକରେ, ଦ୍ରୁତ ସମାଧାନ ଏବଂ ଯଥାଶୀଘ୍ର ଲାଭାର୍ଥୀମାନଙ୍କୁ ଲାଭ ପହଞ୍ଚାଇବା ଉପରେ ଅର୍ଥମନ୍ତ୍ରୀ ଗୁରୁତ୍ଵାରୋପ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ