କୋଭିଡ୍ ନିୟନ୍ତ୍ରଣ ପାଇଁ ନୋ ଏଣ୍ଟ୍ରୀ ଜୋନ୍ରେ ବାଉଁଶ ବେରିକେଡିଂ ନାମରେ ଲକ୍ଷ ଲକ୍ଷ ଟଙ୍କା ହଡପ,ଉଚ୍ଛସ୍ତରୀୟ ତଦନ୍ତ ପାଇଁ ପାରଳା ବିଧାୟକଙ୍କ ଦାବି
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ କୋଭିଡ୍କୁ ନିୟନ୍ତ୍ରଣ କରିବା ନାମରେ ବହୁ ଅର୍ଥ ହଡପ ହୋଇଛି ବୋଲି ପାରଳା ବିଧାୟକ କେ.ନାରାୟଣ ରାଓ ଅଭିଯୋଗ କରିବା ସହ ଏହାର ଉଚ୍ଛସ୍ତରୀୟ ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି । ସମଗ୍ର ଗଜପତି ଜିଲ୍ଲାରେ କୋଭିଡ୍କୁ ନିୟନ୍ତ୍ରଣ ନାମରେ ବିଭିନ୍ନ ଭାବେ ଅର୍ଥ ହରିଲୁଟ ହୋଇଥିବା ବେଳେ ପାରଳାଖେମୁଣ୍ଡି ସହରରେ ନୋ ଏଣ୍ଟ୍ରୀ ଜୋନ୍ ବା କଣ୍ଟାଇନ୍ ମେଣ୍ଟ ଜୋନ୍ ପାଇଁ ବାଉଁଶ ବେରିକେଡିଂ ନାମରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରାଯାଇଛି । କୋଭିଡ୍ ସମୟରେ ବିଭିନ୍ନ ସାମଗ୍ରୀ କିଣା,ବଣ୍ଟନ,ଖାଦ୍ୟ ବଣ୍ଟନ,ଯାନବାହନ ପରିଚାଳନା ଆଦିରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଛ ହୋଇଛି । ଯାହାର ସମସ୍ତ ତଥ୍ୟ ମାତ୍ର କିଛି ଅଫିସର ମାନଙ୍କ ଠାରେ ରହିଛି । ହେଲେ ଏଥିରେ ବ୍ୟାପକ ଅନିୟମିତତା ହୋଇଥିବା ଯୋଗୁଁ ସମସ୍ତ ତଥ୍ୟଗୁଡିକୁ ଏହି ଅଫିସରମାନେ ଲୁଚାଇବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ପାରଳା ପୌରପାଳିକା ମଧ୍ୟରେ ସାହି ମୁଣ୍ଡରେ ଏବଂ ତଳେ ୩/୪ ଖଣ୍ଡ ବାଉଁଶ ବେଢାଯାଇ ୭ଦିନ ପାଇଁ ୭ହଜାର୨୦୦ ଟଙ୍କା ବିଲ୍ କରାଯାଇଛି । ଉକ୍ତ ବିଲ୍ଟି ଯେଉଁ ବ୍ୟକ୍ତି ମାନଙ୍କର ବ୍ୟାଙ୍କ ଖାତାରେ ବର୍ତ୍ତମାନ ପଡିଛି ସେମାନଙ୍କର ଏହି ବ୍ୟାରିକେଡିଂ କାର୍ଯ୍ୟ ସହ କୌଣସି ସଂପୃକ୍ତି ନାହିଁ । ବ୍ୟାରିକେଡିଂ କରିବା ଦାୟୀତ୍ୱ ଭୋଜି ସାମଗ୍ରୀ ସପ୍ଲାୟର ମାନଙ୍କର । ହେଲେ ଯେଉଁ ବ୍ୟକ୍ତିଙ୍କ ନାମରେ ବ୍ୟାରିକେଡିଂ ପାଇଁ ଜମାଖାତାରେ ଟଙ୍କା ପଡିଛି,ସେମାନଙ୍କ ମଧ୍ୟରେ ଟ୍ରାକ୍ଟର ଡ୍ରାଇଭର,ସାଧାରଣ ମଜୁରିଆ,ପରିବା ବିକାଳୀ,ଅଟୋ ଡ୍ରାଇଭର,ରିକ୍ସା ଚାଳକ,ରୋଷେଇଆ ଓ ରାସ୍ତାକଡର ହୋଟେଲ ମାଲିକ ପ୍ରମୁଖ ରହିଛନ୍ତି । ବ୍ୟାଙ୍କ ଖାତାରେ ଟଙ୍କା ପଡିବା ପରେ ଏହି ତଥ୍ୟ ଲୋକଲୋଚନକୁ ଆସିଛି । ସୁଚନା ମୁତାବକ ସରକାରୀ ଅଧିକାରୀମାନଙ୍କର ମଧ୍ୟସ୍ଥି କରୁଥିବା ଜଣେ ବ୍ୟକ୍ତି ବ୍ୟାଙ୍କ ଜମାକାରୀମାନଙ୍କୁ ୨୦୦ରୁ୫୦୦ ଟଙ୍କା ଦେଇ ବଳକା ଟଙ୍କା ଆତ୍ମସାତ କରିଛନ୍ତି ବୋଲି ଅଭିଯୋଗ ହୋଇଛି । ଭିଜିଲାନ୍ସ ବିଭାଗ ଏହାର ତଦନ୍ତ କରିବାର ଆବଶ୍ୟକତା ରହିଛି ବୋଲି ସେ ମତ ପ୍ରକାଶ କରିଛନ୍ତି ।


