କୋଭିଡ କଟକଣା ମଧ୍ୟରେ ପାଲକଷଣ୍ଢାରେ ମେରୁ ଯାତ୍ରା

ବେଲଗୁଣ୍ଠା, (ସନ୍ତୋଷ ବିଷୋୟୀ): ଆଜି କୋଭିଡ କଟକଣା ମଧ୍ୟରେ ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ପାଲକଷଣ୍ଢା ଦଣ୍ଡଦଳର ମେରୁ ଯାତ୍ରା ସମ୍ପନ୍ନ ହୋଇଯାଇଛି I ଗତ ଏପ୍ରିଲ ଏକ ତାରିଖରୁ ଆରମ୍ଭ ହୋଇଥିବା ଏହି ଗ୍ରାମରେ ମାତ୍ର 25 ଜଣ ଦଣ୍ଡୁଆଙ୍କୁ ନେଇ ଚଳିତ ବର୍ଷର ଦଣ୍ଡ ଯାତ୍ରା ଆରମ୍ଭ ହୋଇଥିବା ବେଳେ ଆଜି କେବଳ ଦଣ୍ଡୁଆ ଏବଂ ଅଳ୍ପ ସଂଖ୍ୟକ ସ୍ଵେଚ୍ଛାସେବୀଙ୍କୁ ନେଇ ଚଳିତ ବର୍ଷର ମେରୁ ଯାତ୍ରା ସମାପନ ହୋଇଛି I ସୂଚନା ଥାଉ କି ଗଞ୍ଜାମ ଦଣ୍ଡଯାତ୍ରା ଦଳ ଗୁଡ଼ିକ ମଧ୍ୟରେ ପାଲକଷଣ୍ଢା ଦଣ୍ଡ ଦଳର ଏକ ସ୍ଵତନ୍ତ୍ର ପରିଚୟ ଥିବାବେଳେ କରୋନା ସଂକ୍ରମଣ ଦୃଷ୍ଟିରୁ ଗତ ବର୍ଷ ଜିଲ୍ଳା ପ୍ରଶାସନ ତରଫରୁ ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା I ଚଳିତ ବର୍ଷ ଏହାକୁ ଯଥାରୀତି ପାଳନ କରିବା ପାଇଁ ଗ୍ରାମର ଶ୍ରୀ ଶ୍ରୀ ମାଆ ରୁଦ୍ରକାଳୀ ଦଣ୍ଡ ଯାତ୍ରା କମିଟି ଅଣ୍ଟା ଭିଡ଼ିଥିବା ବେଳେ ପୁଣି କରୋନାର ଦ୍ୱିତୀୟ ଲହର ମାଡ଼ି ଆସିବାରୁ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ କଟକଣା ଲଗାଇଥିଲା I କଟକଣା ଅନୁଯାୟୀ ପ୍ରତ୍ଯେକ ଦଣ୍ଡ ଦଳରେ ସର୍ବାଧିକ 25 ଜଣ ଦଣ୍ଡୁଆଙ୍କୁ ଅନୁମତି ଥିବା ବେଳେ ରାତ୍ରିକାଳୀନ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା I ଏହା ସହ ଠାକୁର ସ୍ନାନ ସମୟରେ ପୋଖରୀ ତୁଠରେ ଗହଳି ଏବଂ ପ୍ରସାଦ ସେବନ ଉପରେ କଟକଣା ଲଗାଯାଇଥିବା ବେଳେ ନିୟମିତ ଭାବେ ଦଣ୍ଡୁଆଙ୍କ ଥର୍ମାଲ୍ ସ୍କ୍ରିନିଙ୍ଗ ଏବଂ ସ୍ୱାସ୍ଥ୍ୟ ଯାଞ୍ଚ୍ ପାଇଁ ନିର୍ଦ୍ଦେଶ ରହିଥିଲା I ଏନେଇ ଦଣ୍ଡଯାତ୍ରା ଆରମ୍ଭ ପୂର୍ବରୁ ଦଣ୍ଡଯାତ୍ରା କମିଟି,ସ୍ଥାନୀୟ ପ୍ରଶାସନ ଏବଂ ପୋଲିସ୍ ର ଏକ ମିଳିତ ପ୍ରସ୍ତୁତି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା I ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ ପାଲକଷଣ୍ଢା ଦଣ୍ଡ ଦଳ 13 ଦିନ ଧରି ସମସ୍ତ କଟକଣା ଏବଂ କୋଭିଡ ମାର୍ଗଦର୍ଶିକାକୁ ଅନୁପାଳନ କରି ଦଣ୍ଡ ଯାତ୍ରାର ପରମ୍ପରା ବଜାୟ ରଖିବା ସହ ବାହାର ଗ୍ରାମକୁ ନଯାଇ ନିଜ ଗ୍ରାମରେ ହିଁ ଥିବା ବେଳେ ଆଜି ମେରୁପର୍ବର ଆୟୋଜନ କରିଥିଲେ I ପରମ୍ପରା ମୁତାବକ ଆଜି ଧୂଳିଦଣ୍ଡ ,ଠାକୁର ସ୍ନାନ ସମାପ୍ତ ପରେ ଗ୍ରାମର କାଳୀ ମନ୍ଦିରରେ ମୁଖ୍ୟ ପୂଜକ ଯୁଗଳ ରଣାଙ୍କ ନେତୃତ୍ୱରେ ପୂଜାବିଧି ମୁତାବକ ମେରୁ ଯାତ୍ରା ସମ୍ପନ୍ନ କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ବାହାର ଭକ୍ତଙ୍କୁ ସମ୍ପୂର୍ଣ୍ଣ ରୂପେ ବାରଣ କରାଯାଇଥିଲା I ଗାଙ୍ଗପୁର ଥାନା ଅଧିକାରୀ ଧୀରେଶ କୁମାର ଦାଶଙ୍କ ନେତୃତ୍ୱରେ ଏକ ପୋଲିସ୍ ଟିମ୍ ଏହି ଦଣ୍ଡ ଦଳର କୋଭିଡ ମାର୍ଗଦର୍ଶିକା ଅନୁପାଳନ ଦଣ୍ଡ ନଜର ରଖିବା ସହ ଦଣ୍ଡଯାତ୍ରା କମିଟି ସଦସ୍ୟ ଅମିତ୍ କୁମାର ପ୍ରଧାନ, ସଞ୍ଜୟ ବିଷୋୟୀ, ଚିଦାନନ୍ଦ ଭୂୟାଁ, ବସନ୍ତ ବେହେରା, ଟୁକୁ ସ୍ୱାଇଁ, ଜୟରାମ ଗୌଡ଼ ଏବଂ ପାଲକଷଣ୍ଢା ଗ୍ରାମବାସୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I ସେହିପରି ଆଜି ଗାଙ୍ଗପୁର ଅଞ୍ଚଳର ଗୋବରା, ସିଂହମର୍ଦ୍ଦନ, ଡେଙ୍ଗାପଦର,ବାଲିଭାଗ, ଦହିମୁଣ୍ଡଳୀ, କୁଲାଙ୍ଗୀ, ବଡ଼ବୋର୍ସିଂ ଆଦି ଗ୍ରାମରେ ମେରୁ ଯାତ୍ରା ଅନୁଷ୍ଠିତ ହୋଇଥିଲା I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ