କୋରେଇ ବିଧାୟକ ହେବାର ବର୍ଷେ ବିତିଛି ଏହି ଅବସରରେ ମୌଳିକ ପ୍ରଶ୍ନ
ଯାଜପୁର, (ଓ୍ବାଇଏନ୍ଏସ୍):ଏଭଳି ବିପତ୍ତି ସମୟରେ ଆମେ ରାଜନୀତି କରିବାକୁ ଉଚିତ୍ ମନୁ ନାହୁଁ କିନ୍ତୁ କୋରେଇବାସୀଙ୍କ ତରଫରୁ ତାଙ୍କୁ କିଛି ମୌଳିକ ପ୍ରଶ୍ନ ପଚାରୁଛୁ ।
୧. ଯେଉଁ ଆଶା ଓ ଆକାଂକ୍ଷା ରଖି ଓଡ଼ିଶାବାସୀ ଆପଣଙ୍କ ଦଳକୁ ଓଡ଼ିଶାରେ ଓ କୋରେଇବାସୀ କୋରେଇରେ ଆପଣଙ୍କୁ ସେବା କରିବାର ସୁଯୋଗ ଦେଇଛନ୍ତି, ତାହା ପୂରଣ କରିବାରେ ଆପଣ ସଫଳ ହୋଇଛନ୍ତି ତ ?
୨. ସାମଗ୍ରିକ ବିକାଶ ପାଇଁ ଏକ ବର୍ଷ ମଧ୍ୟରେ ଆପଣ କୋରେଇ ବ୍ଲକର ନିର୍ବାଚିତ ସମସ୍ତ ସରପଞ୍ଚ, ସମିତିସଭ୍ୟ/ସଭ୍ୟା ମାନଙ୍କୁ ବିଶ୍ବାସକୁ ନେଇ ଗୋଟିଏ ବୈଠକ ମଧ୍ୟ କଲେ ନାହିଁ । ଏହା ଆନ୍ତରିକତାର ଅଭାବ ନା ସମୟର ଅଭାବ ?
୩.ବ୍ୟାସନଗର ପୌରପରିଷଦର ସଂସ୍କୃତି ଭବନ ଠାରୁ ଆରମ୍ଭ କରି ଷ୍ଟାଡିୟମ୍ ପର୍ଯ୍ୟନ୍ତ, କୌଣସି କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ । ଏଥିପାଇଁ ଆପଣ ତତ୍ପରତା ପ୍ରକାଶ କରିବା ଉଚିତ୍ ନୁହେଁ କି ?
୪.ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନର ଉନ୍ନତି ପାଇଁ କୌଣସି କ୍ଷେତ୍ରରେ ମଧ୍ୟ ସମଗ୍ର ନିର୍ବାଚନ ମଣ୍ଡଳୀରେ ଗାଣ୍ଡୁଏ ମାଟି ମଧ୍ୟ ପଡିପାରିଲା ନାହିଁ । ଏଥିପାଇଁ ପ୍ରତ୍ୟେକ୍ଷ ବା ପରୋକ୍ଷରେ କିଏ ଦାୟୀ ?
୫. ନିର୍ବାଚନର ଠିକ୍ ପୂର୍ବରୁ ପାଣିକୋଇଲି ଠାରେ ମେଡିକାଲ୍ କଲେଜ ବଦଳରେ କୋରେଇବାସୀଙ୍କୁ ଭୁଆଁ ବୁଲାଯାଇ ଟ୍ରମା କେଆର୍ ସେଣ୍ଟର୍ ର ଶୁଭ ଦିଆଯାଇଥିଲା, କିନ୍ତୁ ତାହା ଏପର୍ଯ୍ୟନ୍ତ ଭୂଇଁରୁ ଉଠିନି । ଏଥିପାଇଁ ଦାୟୀ କିଏ ?
୬. କଳିଙ୍ଗନଗରର ମୁଖ୍ୟ ପ୍ରବେଶ ପଥ ବ୍ୟାସନଗର । କିନ୍ତୁ କୋରେଇବାସୀ ଓ ବ୍ୟାସନଗରବାସୀ ଧୂଳି, ଧୁଆଁ ଖାଇ ଗାଡ଼ି ଚକ ତଳେ ଜୀବନ ଯାଉଥିବାବେଳେ ଏମାନଙ୍କ ମଧ୍ୟରୁ କେତେ ଜଣଙ୍କୁ ସ୍ଥାନୀୟ କଳକାରଖାନା ରେ ସ୍ଥାୟୀ ନିଯୁକ୍ତି ମିଳିଛି ବା ଠିକାଦାରୀ କରିବାର ସୁଯୋଗ ମିଳିଛି ? ବରଂ ଅଣଓଡ଼ିଆ ଠିକାଦାର ଅଧୀନରେ କାମ କରି ଓଡ଼ିଆ ଆଜି ଅପମାନିତ ହେଉଛି ।
ଏହାର ସମାଧାନ ପାଇଁ କଳକାରଖାନା ପ୍ରତିନିଧି କିମ୍ବା ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବା ଆପଣଙ୍କ ଦାୟିତ୍ଵ ନୁହେଁ କି ?
୭. ଭାଇଚାରା ସମ୍ପର୍କ ମଜବୁତ ସହ ଅଞ୍ଚଳର ଐତିହ୍ୟ, ପରମ୍ପରା ଓ ସଂସ୍କୃତିକୁ ବଜାୟ ରଖିବା ପାଇଁ ଓଡ଼ିଶା ସମେତ ଯାଜପୁରର ବିଭିନ୍ନ ଅଞ୍ଚଳରେ ଉତ୍ସବ ଓ ମହୋତ୍ସବମାନ ଆୟୋଜନ କରାଯାଉଛି । “କୋରେଇ ମହୋତ୍ସବ” ଆୟୋଜନ କରିବା ତ ଦୂରର କଥା ଦୀର୍ଘ ବର୍ଷରୁ ହେଉଥିବା “ବ୍ୟାସନଗର ମହୋତ୍ସବ” ଆଜି ଶ୍ରୀହୀନ ହୋଇଛି । ଏହାର ପୁନରୁଦ୍ଧାର ଆପଣଙ୍କ କର୍ତ୍ତବ୍ୟ ନୁହେଁ କି ?
୮. ମହାମାରୀ କରୋନା ପାଇଁ ଆଜି ସମଗ୍ର ମାନବଜାତି ଚିନ୍ତିତ । କୋରେଇର ଅନେକ କୃଷକ, ଶ୍ରମିକ, ଗରିବ, ନିସହାୟ ପରିବାର ଆଜି ଦୁଃଖ କଷ୍ଟରେ କାଳାତିପାତ କରୁଛନ୍ତି । ଏଭଳି ବିପତ୍ତି ସମୟରେ ଆପଣଙ୍କୁ ସେମାନେ ଦେଖି ପାରିଲେ ନାହିଁ । ତାଙ୍କ ନିକଟରେ ପହଁଚିବା ଆପଣଙ୍କ କର୍ତ୍ତବ୍ୟ ନୁହେଁ କି ?ମନରେ ଅନେକ ପ୍ରଶ୍ନ ଥିଲେ ମଧ୍ୟ ଆମର ଆଶା ଆପଣଙ୍କୁ ଯେଉଁ ସ୍ପଷ୍ଟ ବହୁମତ ମିଳିଛି ,କୋରେଇବାସୀଙ୍କ ସମ୍ମାନ ପାଇଁ ଆପଣ ଆଗାମୀ ୪ବର୍ଷକୁ ଉପଯୁକ୍ତ ବ୍ୟବହାର କରି କୋରେଇ ର ସାମଗ୍ରିକ ବିକାଶ ଓ ଉନ୍ନତି ପାଇଁ ସମୟ ଦେବେ । ଆଜି କୋରେଇ ବିଜେପି ଦଳୀୟ କାର୍ଯ୍ୟାଳୟରେ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଂଯୋଜକ ବିକ୍ରମ କେଶରୀ ବିଶ୍ଵାଳ ଏହି ସବୁ ବିଧାୟକଙ୍କୁ ଏହି ପ୍ରଶ୍ନ ପଚାରିବା ସହ ଏହାର ଆଶୁ ସମାଧାନ ଆଶା କରିଥିଲେ । ଏଥିରେ ଜିଲ୍ଲା ସମ୍ପାଦକ ପ୍ରମୋଦ ନାୟକ, ମଣ୍ଡଳ ସଭାପତି ପ୍ରମୋଦ ସାହୁ, ଅଚ୍ୟୁତାନନ୍ଦ ଦାସ, ଇତିଶ୍ରି ଜେନା, ବିଜୟ ଘଡେଇ, ଲଲାଟେନ୍ଦୁ ନାୟକ, ପ୍ରଶାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।


