କୋରୋନା ମୁକାବିଲାରେ ଇତିହାସ ସୃଷ୍ଟି କରିବ ଓଡ଼ିଶା: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ନୋଭେଲ୍ କୋରୋନା ଭାଇରସ୍ ବା କୋଭିଡ୍-୧୯ ନେଇ ବୁଧବାର ପୁଣିଥରେ ରାଜ୍ୟବାସୀଙ୍କୁ ସତର୍କ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋରୋନା ମୁକାବିଲାରେ ଓଡ଼ିଶା ତିନୋଟି ଚ୍ୟାଲେଞ୍ଜକୁ ସଫଳତାର ସହ ମୁକାବିଲା କରିଛି। ଚତୁର୍ଥ ଚ୍ୟାଲେଞ୍ଜକୁ ମଧ୍ୟ ସଫଳତାର ସହ ମୁକାବିଲା କରିବ। ଏଥିପାଇଁ ରାଜ୍ୟବାସୀଙ୍କୁ ସହଯୋଗ ଓ ସମର୍ଥନ ଲାଗି ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟବାସୀଙ୍କ ସହଯୋଗରେ ଓଡ଼ିଶା କୋରୋନା ମୁକାବିଲାରେ ସଫଳତା ହାସିଲ ସହ ସାରାଦେଶରେ ଇତିହାସ ସୃଷ୍ଟି କରିବ। ଆଗାମୀ କିଛି ଦିନ ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଦେଶର ସବୁଠାରୁ ଅଧିକ ସଂକ୍ରମିତ ରାଜ୍ୟ ମହାରାଷ୍ଟ୍ର, ଗୁଜୁରାଟ, ଦିଲ୍ଲୀ, ତାମିଲନାଡୁ, କର୍ଣ୍ଣାଟକ, ରାଜସ୍ଥାନ ତଥା ଆମ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ ବହୁ ଓଡ଼ିଆ ଭାଉଭଉଣୀ ରାଜ୍ୟକୁ ଫେରିବେ। ସେମାନେ ଆମ ଘର ଲୋକ। ବିପଦ ସମୟରେ ମା’ ଓ ମାତୃଭୂମି ଆଗ ମନକୁ ଆସିଥାଏ। ସେମାନେ ସମସ୍ତେ ଆମ ପିଲାଛୁଆ, ଆମ ଭାଉଭଉଣୀ। ସେମାନଙ୍କ ଯତ୍ନ ନେବା ଆମ ଦାୟିତ୍ୱ। ବାହାର ଲୋକ ଆସିଲେ ପଜିଟିଭ୍ ସଂଖ୍ୟା ବଢ଼ିବ। ଯଦି ଜନସାଧାରଣ ସରକାରଙ୍କୁ ପୂରା ସହଯୋଗ ଯୋଗାଇଦେବେ ତେବେ ପରିସ୍ଥିତି ନିୟନ୍ତ୍ରଣରେ ରହିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
କୋଭିଡ୍-୧୯ ପରିସ୍ଥିତି ହେଉଛି ଜୀବନ ଓ ମୃତ୍ୟୁର କଥା। ଏପରିକି ୧୦ ପ୍ରତିଶତ ଲୋକଙ୍କ ଭୁଲ ଦ୍ବାରା ସମସ୍ୟା ୧୦୦ ଗୁଣ ବଢ଼ିଯିବ। ଓଡ଼ିଶାର ପରିସ୍ଥିତି ଅନ୍ୟ ରାଜ୍ୟମାନଙ୍କଠାରୁ ବହୁତ ଭଲ ଅଛି। ଆମେ ଯଦି ସରକାରଙ୍କ ନିୟମ ମାନି ଚଳିବା, ସରକାରଙ୍କୁ ପୂରା ସହଯୋଗ ଯୋଗାଇଦେବା ତେବେ ଓଡ଼ିଶା କରୋନା ନିୟନ୍ତ୍ରଣ କରିବାରେ ସାରା ଦେଶରେ ଇତିହାସ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ କହିବା ସହିତ ଏହି ସଂଗ୍ରାମରେ ସରକାରଙ୍କୁ ପୂର୍ଣ୍ଣ ସହଯୋଗ କରିବା ପାଇଁ ଓଡ଼ିଶାବାସୀଙ୍କୁ ନିବଦେନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ ୧୦ ଦିନ ତଳେ ମୁଁ ଆପଣମାନଙ୍କ ସହିତ କଥା ହୋଇଥିଲି। ସେତେବେଳେ ଆମ ରାଜ୍ୟରେ କୋରୋନା ପଜିଟିଭ୍ ସଂଖ୍ୟା ୬୧ ଥିଲା। ଏବେ ତାହା ଦୁଇ ଗୁଣ ବଢ଼ିଗଲାଣି। କିନ୍ତୁ କିଛି ନାହିଁ। ଆମେ ସତର୍କ ରହିଲେ ବିପଦକୁ ଏଡ଼ାଇ ପାରିବା। ପ୍ରଥମେ ବିଦେଶରୁ ଫେରୁଥିବା ଓଡ଼ିଆ ଭାଇଭଉଣୀଙ୍କ ଯତ୍ନ ନେବା ଆମ ପାଇଁ ଚ୍ୟାଲେଞ୍ଜ ଥିଲା। ଓଡ଼ିଶା ପ୍ରଥମ ରାଜ୍ୟ, ଯିଏ କି ସେମାନଙ୍କ ପାଇଁ ରେଜିଷ୍ଟ୍ରେସନ୍ ଆରମ୍ଭ କରିଥିଲା। ସେତେବେଳେ ସରକାରଙ୍କୁ ସହଯୋଗ କରିବା ପାଇଁ ମୁଁ ଆପଣମାନଙ୍କୁ ଅନୁରୋଧ କରିଥିଲି। ଆପଣମାନେ ସହଯୋଗ କରିଥିଲେ। ଫଳରେ ଆମେ ପରିସ୍ଥିତିକୁ ଭଲ ଭାବରେ ନିୟନ୍ତ୍ରଣ କରିପାରିଲେ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ କହିଛନ୍ତି ନିଜାମୁଦ୍ଦିନ୍ରୁ ଫେରିଥିବା ବନ୍ଧୁମାନଙ୍କର ଯତ୍ନନେବା ଆମ ପାଇଁ ଦ୍ବିତୀୟ ଆହ୍ବାନ ଥିଲା। ରାଜ୍ୟବାସୀଙ୍କ ସହଯୋଗ ଫଳରେ ଏହି ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇପାରିଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପଶ୍ଚିମବଙ୍ଗରୁ ଫେରିଥିବା ଭାଇଭଉଣୀମାନଙ୍କ ଯନତ୍ନେବା ଆମ ପାଇଁ ତୃତୀୟ ଆହ୍ବାନ ଥିଲା। ରାଜ୍ୟରେ ବର୍ତ୍ତମାନ କୋରୋନା ପଜିଟିଭ୍ମାନଙ୍କ ମଧ୍ୟରେ ବହୁସଂଖ୍ୟାରେ ପଶ୍ଚିମବଙ୍ଗ ଫେରନ୍ତା ଅଛନ୍ତି। ରାଜ୍ୟବାସୀଙ୍କ ସହଯୋଗରେ ଆମେ ପରିସ୍ଥିତିକୁ ଭଲ ଭାବରେ ମୁକାବିଲା କରିପାରିଛୁ ଓ ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ତେଣୁ ଆମେ ସାବଧାନ ରହିବା। ଧୈର୍ଯ୍ୟ ରଖିବା। ବାହାରୁ ଫେରୁଥିବା ଲୋକଙ୍କ ରେଜିଷ୍ଟ୍ରେସନ କରିବା। ସେମାନଙ୍କୁ କ୍ୱାରେଣ୍ଟାଇନ୍ରେ ରଖିବାରେ ସରକାରଙ୍କୁ ପୁରା ସହଯୋଗ କରିବା। ଏହାଦ୍ବାରା ସେମାନେ ସୁସ୍ଥ ରହିବେ। ଆମ ପରିବାର ସୁସ୍ଥ ରହିବ। ଆମ ଗାଁ ଓ ଆମ ସମାଜ ମଧ୍ୟ ସୁସ୍ଥ ରହିବ। ଆପଣମାନଙ୍କର ଟିକିଏ ହେଳା ସମସ୍ତଙ୍କୁ ବିପଦରେ ପକାଇ ପାରେ। ଏହା ହେଉଛି ଜୀବନ ଓ ମୃତ୍ୟୁର କଥା । ଏପରିକି ୧୦ ପ୍ରତିଶତ ଲୋକଙ୍କ ଭୁଲ ଦ୍ବାରା, ସମସ୍ୟା ୧୦୦ ଗୁଣ ବଢିଯିବ। ଓଡ଼ିଶାର ପରିସ୍ଥିତି ଅନ୍ୟ ରାଜ୍ୟମାନଙ୍କ ଠାରୁ ବହୁତ ଭଲ ଅଛି। ଆମେ ଯଦି ସରକାରଙ୍କ ନିୟମ ମାନି ଚଳିବା, ସରକାରଙ୍କୁ ପୁରା ସହଯୋଗ ଯୋଗାଇ ଦେବା, ତେବେ ଓଡ଼ିଶା କୋରୋନା ନିୟନ୍ତ୍ରଣ କରିବାରେ ସାରା ଦେଶରେ ଇତିହାସ ସୃଷ୍ଟି କରିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।


