ଖଣିଜସମ୍ପଦ ଚୋରା ଚାଲାଣ ରୋକିବାକୁ ପ୍ରଶାସନିକ ପ୍ରସ୍ତୁତି
ଦିଗପହଣ୍ଡି,(ଓ୍ବାଇଏନ୍ଏସ୍): ଦିଗପହଣ୍ଡି ଅଞ୍ଚଳରେ ଖଣିଜ ସମ୍ପଦ ଚୋରା ଚାଲାଣ ରୋକିବାକୁ ତହସିଲ ପ୍ରଶାସନ ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ବୁଧବାର ତହସିଲ କାର୍ଯ୍ୟାଳୟ ସଭା ଗୃହରେ ସୈରାତ ସୁପରିଚାଳନା ନିମନ୍ତେ ବୈଠକ ଅନୁଷ୍ଠିତ ହୋଇଯାଇଛି। ତହସିଲଦାର ଅଦ୍ଵୈତ କୁମାର ସ୍ବାଇଁ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ବୈଠକ ରେ ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ବେହେରା, ବରିଷ୍ଠ କିରାଣୀ ଦୁର୍ଗାମାଧବ ପାଢ଼ୀ,ରାଜସ୍ବ ନୀରିକ୍ଷକ ଫକୀର ମୋହନ ରାଉତ,ଅକ୍ଷୟ କୁମାର ମଲ୍ଲିକ, ସରସ୍ଵତୀ କଁଅର, ସନାତନ ରଣା,ଗିରିଜା ଭୂଷଣ ମଲ୍ଲିକ,ଯଜ୍ଞ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଖଣିଜ ସମ୍ପଦ ଚୋରା ଚାଲାଣ ବିରୋଧରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ପାଇଁ ବୈଠକ ରେ ନିଷ୍ପତ୍ତି ନିଆଯାଇଛି। ତହସିଲ ଅଧୀନରେ ଥିବା ବିଭିନ୍ନ ବାଲି ଘାଟ , ପଥର କ୍ୱାରି ସୈରାତ ଗୁଡ଼ିକ ସ୍ବଳ୍ପ ମିଆଦି ଓ ଦୀର୍ଘ ମିଆଦି ସୂତ୍ରରେ ଲିଜ ନେଇଥିବା ନିଲାମଧାରୀ ମାନେ ପ୍ରତି ୧୫ ଦିନ ମଧ୍ୟରେ ତହସିଲ କାର୍ଯ୍ୟାଳୟ ରେ ସେମାନଙ୍କ ରିପୋର୍ଟ ଉପସ୍ଥାପନ କରିବା। ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଥିବା ୱାଈ ଫାର୍ମ ସଠିକ ଭାବେ ପୁରଣ କରିବା।ମଞ୍ଜୁରୀ ପ୍ରାପ୍ତ ମାଇନିଂ ପ୍ଲାନ ଅନୁସାରେ ବାଲି,ପଥର ଉତ୍ତୋଳନ କରିବା।ସମସ୍ତ ନିଲାମଧାରୀ ମାନେ ରାଜସ୍ବ ବିଭାଗର ସମସ୍ତ ନୀତି ନିୟମ କୁ ମାନି ଚଳିବା।ପୂର୍ବରୁ କରାଯାଇଥିବା ନିଲାମ ସମ୍ବନ୍ଧିତ ଚୁକ୍ତିନାମା ପତ୍ର ଗୁଡ଼ିକର ନୂଆ ନିୟମ ଅନୁଯାୟୀ ନବୀକରଣ କରିବା।ଆବଶ୍ୟକ ହେଲେ ନିଲାମ ହୋଇଥିବା ସୈରାତ ଗୁଡ଼ିକର ମାଇନିଂ ପ୍ଲାନ କୁ ବର୍ଦ୍ଧିତ କରାଯାଇ ସର୍ବୋଚ୍ଚ ନିର୍ଣ୍ଣୟ ପରିମାଣ ର ରାଜସ୍ବ ଆଦାୟ ନିମନ୍ତେ ପୁନଃ ମୂଲ୍ୟାୟନ କରାଯିବା। ନିଲାମ ହୋଇନଥିବା ସୈରାତ ଗୁଡ଼ିକୁ ଜିଲା ପ୍ରଶାସନର ଅନୁମୋଦନ କ୍ରମେ ଖୁବ୍ ଶୀଘ୍ର ଟେଣ୍ଡର ଆହ୍ବାନ କରାଯିବା ନିମନ୍ତେ ବୈଠକରେ ଆଗତ ପ୍ରସ୍ତାବକୁ ବିଧିବଦ୍ଧ ଭାବେ ଅନୁମୋଦନ କରାଯାଇଥିଲା। ବୈଠକରେ ବହୁସଂଖ୍ୟକ ସୈରାତ ନିଲାମଧାରୀ ଉପସ୍ଥିତ ଥିଲେ।


