ଖୋଲୁନି ମନ୍ଦିର, ଦୁଃଖରେ ଅଛନ୍ତି ସେବାୟତ

ଆରଡି,(ଓାଇ.ଏନ.ଏସ.): ଆଲୋକ ଚନ୍ଦ୍ର ନାୟକଙ୍କ ରିପୋର୍ଟ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡିରେ କରୋନା ପାଇଁ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ତାଲା ଝୁଲୁଛି । ଇତିମଧ୍ୟରେ ଆଠ ମାସ ବିତିବାକୁ ବସିଲାଣି । ଭକ୍ତମାନେ ବାବାଙ୍କ ଦର୍ଶନ ପାଇଁ ବ୍ୟାକୁଳ ହେଲେବି କୋଭିଡ କଟକଣା ଯୋଗୁଁ ସେମାନେ ପୀଠକୁ ଆସୁ ନାହାଁନ୍ତି । ଭକ୍ତ ତଥା ଶ୍ରଦ୍ଧାଳୁ ମାନଙ୍କ ମାନସିକ ପୂଜା ହୋଇ ପାରୁନି । ବିଭିନ୍ନ ପୂଜା ପାଇଁ ଯଜମାନ ମାନେ ସେବାୟତ ମାନଙ୍କୁ ଦକ୍ଷୀଣା ସ୍ୱରୂପ କିଛିକିଛି ଅର୍ଥ ଦେଇଥା’ନ୍ତି । ଏବେ ସେମାନେ ପୀଠକୁ ନଆସିବାରୁ ସେବା ପୂଜା ଉପରେ ନିର୍ଭର କରି ଚଳୁଥିବା ସେବାୟତ ମାନେ ଦୁଃଖରେ ସମୟ ଅତିବାହିତ କରୁଛନ୍ତି । ଏହି ମନ୍ଦିରରେ ପ୍ରତିଦିନ ସେବାପୂଜା ପାଇଁ ସେବାୟତ ମାନେ ନିଜେ ଖର୍ଚ୍ଚ ବହନ କରନ୍ତି । ପାଳି ସୂତ୍ରରେ ସକାଳ ଖିଚୁଡି ଭୋଗ, ଦ୍ୱିପ୍ରହର ପ୍ରସାଦ ଭୋଗ, ରାତି ବାଟୁଳା ଭୋଗ ମଧ୍ୟ ସେବାୟତ ମାନେ ନିଜ ଖର୍ଚ୍ଚରେ ସମାପନ କରନ୍ତି । ଏଥିଲାଗି ସର୍ବନିମ୍ନ ୫ ହଜାରରୁ ଅଧିକ ଅର୍ଥ ଲାଗିଥାଏ । ସାଂପ୍ରତିକ ପରିସ୍ଥିତିରେ ସେବାୟତ ମାନଙ୍କ ପରିବାର ଦୁଃଖକଷ୍ଟରେ ସମୟ କାଟୁଥିବା ବେଳେ ଜିଲା ପ୍ରଶାସନ ନିଜ ମନୋଭାବକୁ କଠୋର କରିିଥିବା କିଛି ସେବାୟତ କହିଛନ୍ତି । ଆଠ ମାସ ହେଲା ସେବାୟତ ମାନେ ହାତବାନ୍ଧି ବସିଥିବା ବେଳେ ଜିଲା ପ୍ରଶାସନ କୌଣସି ସହାୟତା ସେମାନଙ୍କୁ ଯୋଗାଇ ନାହାଁନ୍ତି । ଜିଲାପାଳ ଓ ମନ୍ଦିର ମ୍ୟାନେଜିଂ ଟ୍ରଷ୍ଟି ତଥା ଉପ ଜିଲାପାଳ କଠୋର ମନୋଭାବେରେ ସୁଧାର ଆଣିବା ସହ କୋଭିଡ କଟକଣାରେ ମନ୍ଦିର ଖୋଲିବାକୁ ଅନୁମତି ଦେବାକୁ ସେବାୟତ ମାନେ ଦାବି କରିଛନ୍ତି । ଦିଅଁ ଦର୍ଶନ ପାଇଁ ଭକ୍ତମାନେ ସଂପୂର୍ଣ୍ଣ ଭାବେ କରୋନା ନିୟମ ମାନିବା ସହ ସେବାୟତ ମାନେ ମଧ୍ୟ କରୋନା କଟକଣା ମାନି ସେବାପୂଜା କରିବେ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ