ସାଢେ ୧୪ ହଜାର ସ୍କୁଲ୍ ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର ନକଲେ ଆନ୍ଦୋଳନ ଚେତାବନୀ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ସାଢେ ୧୪ ହଜାର ସ୍କୁଲ୍ ବନ୍ଦ ନିଷ୍ପତ୍ତିକୁ ଘୋର ବିରୋଧ କରିଛି ନୂତନ ପେନ୍‌ସନ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ । ଏହି ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ସଂଘ ତରଫରୁ ଦାବି କରାଯାଇଛି । ପ୍ରାଥମିକ ଠାରୁ ମାଧ୍ୟମିକ ପର୍ଯ୍ୟନ୍ତ ସ୍କୁଲ୍‌ଗୁଡ଼ିକୁ ବନ୍ଦ କରି ଶିକ୍ଷାର କଣ୍ଠରୋଧ କରିବା ପାଇଁ ସରକାର ଚେଷ୍ଟା କରୁଛନ୍ତି । ପିଲା ହେଉନଥିବା ଆଳ ଦେଖାଇ ସରକାର ସ୍କୁଲ୍‌ଗୁଡ଼ିକ ବନ୍ଦ କରୁଛନ୍ତି । କିନ୍ତୁ ଏହି ସ୍କୁଲ୍‌ଗୁଡ଼ିକ ଖୋଲିବା ପାଇଁ ସରକାର କାହିଁକି ଅନୁମତି ଦେଇଥିଲେ ବୋଲି ସଂଘ ପ୍ରଶ୍ନ କରିଛି । ୧ କି.ମି. ବ୍ୟାସାର୍ଦ୍ଧରେ ପ୍ରାଥମିକ ବିଦ୍ୟାଳୟ, ୨ କି.ମି. ବ୍ୟାସାର୍ଦ୍ଧରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ୫ କି.ବି. ବ୍ୟାସାର୍ଦ୍ଧରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲିବା ପାଇଁ ଯେଉଁ ନିୟମ ରହିଛି ତାହାକୁ ସରକାର ଖୋଲାଖୋଲି ଉଲଂଘନ କରୁଛନ୍ତି । ଶିକ୍ଷା ଅଧିକାର ଆଇନ୍‌କୁ ସଠିକ୍ ଭାବରେ କାର୍ଯ୍ୟକାରୀ କରୁନାହାଁନ୍ତି । ଓଡ଼ିଶାର ଭୌଗଳିକ ଦୃଷ୍ଟିରୁ ଆଦିବାସୀ, ହରିଜନ, ପଛୁଆ ଅଞ୍ଚଳ, ପାହାଡ଼ିଆ ଅଞ୍ଚଳ ବିଦ୍ୟାଳୟଗୁଡ଼ିକ ବନ୍ଦ କରାଗଲେ ପିଲାମାନେ ଅଧାର ପାଠପଢା ଛାଡ଼ିବେ ଓ ଡ୍ରପଆଉଟ୍ ସଂଖ୍ୟା ବଢିବ । ସରକାରୀ ବିଦ୍ୟାଳୟଗୁଡ଼ିକ ବନ୍ଦ ହେଲେ ଘରୋଇ ବିଦ୍ୟାଳୟଗୁଡ଼ିକ ସେହି ଅଞ୍ଚଳରେ ଗଢିଉଠିବ । ସରକାର ଜାଣିଶୁଣି ଶିକ୍ଷାକୁ ଘରୋଇକରଣ କରିବା ପାଇଁ ଚାହୁଁଛନ୍ତି ଓ ନିଜ ଦାୟିତ୍ୱରୁ ଓହରି ଯିବାକୁ ଚାହୁଁଛନ୍ତି । ସ୍ୱାଧୀନତା ପରେ ବିଦ୍ୟାଳୟ ଗୁଡ଼ିକୁ ଗ୍ରାମର ବୁଦ୍ଧିଜୀବିମାନେ ନିଜ ହାତରୁ ଖର୍ଚ୍ଚ କରି ଗଢି ତୋଳିଥିବା ବିଦ୍ୟାଳୟଗୁଡ଼ିକୁ ବନ୍ଦ କରାଗଲେ ସେହି ଅଞ୍ଚଳର ପିଲାମାନେ ଘରୋଇ ବିଦ୍ୟାଳୟ ପ୍ରତି ଆକୃଷ୍ଠ ହେବେ । ସରକାର ଘରୋଇକରଣ ପ୍ରତି ମୋହ ପରିତ୍ୟାଗ କରିବା ପାଇଁ ସଂଘ ଦାବି କରିଛି ଓ ସ୍କୁଲ୍ ବନ୍ଦ କରିବା ପ୍ରୀତି କାହା ସ୍ୱାର୍ଥରେ ବୋଲି ସଂଘ ତରଫରୁ ସରକାରଙ୍କୁ ପ୍ରଶ୍ନ କରିଛି । ତେଣୁ ତୁରନ୍ତ ଏହି ଓଡିଶାର ପିଲାମାନଙ୍କ ସ୍ୱାର୍ଥବିରୋଧୀ ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯାଉ । ସରକାର ଏହି ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର ନ କଲେ ନୂତନ ପେନ୍‌ସନ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ସମସ୍ତ ଶିକ୍ଷକ ସଂଘ ସହ ସାମିଲ୍ ହୋଇ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଶିକ୍ଷକ ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା, ସାଧାରଣ ସମ୍ପାଦକ ବିଭୁପ୍ରସାଦ ସାହୁ, କୋଷାଧ୍ୟକ୍ଷ ଗୋପାଳ ସେନ୍‌, କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ବେହେରା, ସହ ସମ୍ପାଦକ ପ୍ରବୀଣ କୁମାର ଦାସ, ସୁଦାମ ଦଳବରା, ସୁଧାଂଶୁ ମଣ୍ଡଳ, ସବୀର ଅଲ୍ଲୀ ଖାଁ, ଦିଲ୍ଲିପ କୁମାର ମିଶ୍ର, ଟୁଲୁ ଦେଇ, ଜିତେନ୍ଦ୍ର କୁମାର ନାୟକ, ନରେଶ କୁମାର ପାତ୍ର, କେଶବ ଚନ୍ଦ୍ର କର, ଦୀପକ ସୂତାର ପ୍ରମୁଖ ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ