ଗଜପତିରୁ ନିଖୋଜ ୨ ନାବାଳକ ରାୟଗଡା ଜିଲ୍ଲାରୁ ଫେରିଲେ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) :ଗଜପତି ଜିଲ୍ଲା ଅଡବା ଥାନା ଅଞ୍ଚଳରୁ ଗତ ୫ତାରିଖ ଠାରୁ ନିଖୋଜ ଥିବା ୨ଜଣ ନାବାଳକ ଗତକାଲି ରାୟଗଡା ଜିଲ୍ଲାରୁ ନିଜ ଘରକୁ ଫେରିଥିବା ସୁଚନା ମିଳିଛି । ଘଟଣାରୁ ପ୍ରକାଶ,ଗତ ୪ତାରିଖ ଦିନ ଅଡବା ଥାନା ଅଞ୍ଚଳର ମହାପଦର ଗ୍ରାମର ପବିତ୍ର ମଲିକଙ୍କ ୨ଜଣ ନାବାଳକ ପୁଅ ବୟସ ୧୨ ଓ ୧୬ ନିଜ ଅଜାଘର ଡେଙ୍ଗାପୁତି ଗ୍ରାମକୁ ଯାଇଥିଲେ । ସେଠାରେ ଗୋଟିଏ ଦିନ ରହିବା ପରେ ଘରକୁ ଫେରିଯାଉଛୁ ବୋଲି ଅଜାଙ୍କୁ କହି ୫ତାରିଖ ଦିନ ଫେରି ଯାଇଥିଲେ । ହେଲେ ଗତ ୧୧ତାରିଖ ସୁଦ୍ଧା ଏମାନେ ଘରକୁ ନ ଫେରିବା ଯୋଗୁଁ ପିତା ପବିତ୍ର ମଲିକ ଅଡବା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାକୁ ଭିତ୍ତି କରି ଆର.ଉଦୟଗିରି ଏଡିପିଓ ଦିଲିପ କୁମାର ନାୟକ,ଅଡବା ଥାନା ଆଇଆଇସି ଆନନ୍ଦ ଚନ୍ଦ୍ର ପାତ୍ର,ଏସଆଇ ଉତ୍କଳ କେଶରୀ ପ୍ରଧାନ ଏହାର ତଦନ୍ତ ଆରମ୍ଭ କରିଥିଲେ । ପ୍ରଥମେ ଅଜା ଘର ଡେଙ୍ଗାପୁତି ଗ୍ରାମକୁ ଯାଇ ତଥ୍ୟ ସଂଗ୍ରହ କରି ରାୟଗଡା ଜିଲ୍ଲା ପଦ୍ମପୁର ଥାନା ଲାଭା ଗ୍ରାମରେ ରହୁଥିବା ନାବାଳକଙ୍କ ପିଉସା ଘରକୁ ପୋଲିସ ୧୩ତାରିଖରେ ଯାଇଥିଲେ । ସେଠାରେ ଖବର ପାଇଲେ ୨ଜଣ ନାବାଳକ ସେମାନଙ୍କ ମାମୁଁ ଘର ଗଜପତିର କଟାମା ଗ୍ରାମ ଦେଇ ନିଜ ଘର ମହାପଦର ଗ୍ରାମକୁ ଫେରି ଯାଇଛନ୍ତି । ପରେ ପୋଲିସ ତଦନ୍ତ କରିବାରେ ଜଣାଗଲା ୨ ନାବାଳକ ନିଜ ଘରକୁ ସୁରକ୍ଷିତ ଭାବେ ଫେରିଛନ୍ତି । ଆଜି ସୋମବାର ଏହି ୨ ନାବାଳକଙ୍କୁ ଡାକ୍ତରୀ ମଇନା କରିଯିବା ସହ ପୋଲିସ ତରଫରୁ ଆବଶ୍ୟକ ଆଇନଗତ ପଦକ୍ଷେପ ଗ୍ରହଣ କରାଯାଇ ୨ ନାବାଳକଙ୍କୁ ସେମାନଙ୍କ ପିତା ମାତାଙ୍କୁ ହସ୍ତାନ୍ତର କରାଯିବ ବୋଲି ଅଡବା ଥାନା ଆଇଆଇସି ଆନନ୍ଦ ଚନ୍ଦ୍ର ପାତ୍ର ସୁଚନା ଦେଇଛନ୍ତି ।


