ଗଜପତିରେ ମେରୁ ସଂକ୍ରାନ୍ତୀ ଉପଲକ୍ଷେ ଦଣ୍ଡଯାତ୍ରା ଆରମ୍ଭ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) ପାରଳାଖେମୁଣ୍ଡି ଠାରେ ଥିବା କାଳୀ ମନ୍ଦିର ସମ୍ମୁଖ ପଡିଆରେ ପବିତ୍ର ମେରୁ ସଂକ୍ରାନ୍ତୀ ଯାତ୍ରା ଅବସରରେ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ ହୋଇଯାଇଛି । ଏହି ଦଣ୍ଡ ନାଚ ଆସନ୍ତା ପବିତ୍ର ମେରୁ ସଂକ୍ରାନ୍ତୀରେ ଉଦ୍‌ଯାପିତ ହେବ । ଏହି ଅବସରରେ ସୁଦୁର ଗଂଜାମ ଜିଲ୍ଲା ହିଞ୍ଜିଲିକାଟୁ ନିକଟସ୍ଥ ଖଣ୍ଡରାରୁ ଦଣ୍ଡ ନାଟୁଆମାନେ ଆସି ଏଠାରେ ବିଭିନ୍ନ ଧରଣର ଦଣ୍ଡ ନୃତ୍ୟ ପ୍ରତିଦିନ ପରିବେଷଣ କରିଥାନ୍ତି । ଏହି ଅବସରରେ କଣ୍ଟାଦଣ୍ଡ, ଅଗ୍ନିଦଣ୍ଡ, ଧୂଳିଦଣ୍ଡ ଆଦି ବିଭିନ୍ନ ପ୍ରକାରର ଦଣ୍ଡ ସେମାନେ ପରିବେଷଣ କରିଥାନ୍ତି । ଏହି ଦଣ୍ଡନାଚ ଖରାତାତିକୁ ଖାତିର ନକରି ମଧ୍ୟାହ୍ନ ସମୟରେ କରାଯାଇଥାଏ । ଯାହାକୁ ଦେଖିବାପାଇଁ ଲୋକମାନଙ୍କର ଭିଡ ଜମିବା ସହ ଏହା ବେସ ଆକର୍ଷକ ହୋଇଥାଏ । ଏହି ଦଣ୍ଡନାଚ ପାରଳାଖେମୁଣ୍ଡି ସହରର ଏକମାତ୍ର ସ୍ଥାନରେ ଯଥା ମାଁ ଶ୍ୟାମାକାଳୀଙ୍କ ମନ୍ଦିର ସମ୍ମୁଖରେ ପ୍ରତିବର୍ଷ ମେରୁ ସଂକ୍ରାନ୍ତି ପୂର୍ବରୁ ଅନୁଷ୍ଠିତ ହୋଇଥାଏ । ଏଥିରେ ଗଜପତି ଜିଲ୍ଲାର ବହୁ ଯୁବ ଶ୍ରେଣୀର ଶ୍ରଦ୍ଧାଳୁମାନେ ନିଜର ମନସ୍କାମନା ପୁରଣ ପାଇଁ ବିଭିନ୍ନ ପ୍ରକାର ଦଣ୍ଡରେ ସାମିଲ ହୋଇଥାନ୍ତି । ତେଣୁ ଏହି ଦଣ୍ଡନୃତ୍ୟ ଦେଖିବାପାଇଁ ପାରଳାଖେମୁଣ୍ଡି ସହର ସମେତ ଆଖପାଖ ଅଞ୍ଚଳରୁ ଲୋକ ବା ଶ୍ରଦ୍ଧାଳୁ ମାନେ ଭିଡ ଜମାଇଥାନ୍ତି । ଶେଷଦିନରେ ପଣା ସଂକ୍ରାନ୍ତି ଅବସରରେ ଦଣ୍ଡନାଚ ସହ ଏଠାରେ ଅନ୍ୟାନ୍ୟ ପୂଜାର୍ଚ୍ଚନା ମଧ୍ୟ କରାଯାଇଥାଏ । ଏହି ଦଣ୍ଡ ନାଚ ଜିଲ୍ଲାରେ ବେସ ଖ୍ୟାତିଅର୍ଜନ କରିଥିବାର କୁହାଯାଏ । ଏହି ସମସ୍ତ କାର୍ଯ୍ୟକ୍ରମ ମା ଶ୍ୟାମାକାଳି ମନ୍ଦିରର ପାଟଭୁଗୁତା ମନରଂଜନ ପଟ୍ଟନାୟକ(ମନୁ) ବହୁ ଯୁବ ଗୋଷ୍ଠୀ ପ୍ରମୁଖ ଦିନରାତି ବହୁ କଷ୍ଟ ସହ୍ୟ କରି ଏହି ପୂଜାର୍ଚ୍ଚନାକୁ ସାଫଲ୍ୟ ମଣ୍ଡିତ କରିବା ସହ ମନସ୍କାମନା କରିଥିବା ଭକ୍ତ ବା ଶ୍ରଦ୍ଧାଳୁମାନଙ୍କ ଗୃହ ସମ୍ମୁଖରେ ଦଣ୍ଡନାଚ ପରିବେଷଣ କରିଥାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ