ଗଞ୍ଜାମରେ ପଜିଟିଭ ସଂଖ୍ୟା କମୁଛି

ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):ଗଞ୍ଜାମ ଜିଲ୍ଲାରେ ଉପର ମୁହାଁ ହୋଇ ରହିଛି କରୋନା ଗ୍ରାଫ । ଜିଲ୍ଲାରେ ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ରୁ ୩୦୦ ପାର୍‌ କରି ଯାଉଛି। ଏପରି ସ୍ଥିତିରେ ଜିଲ୍ଲାରେ ପଜିଟିଭ୍ ସଂଖ୍ୟା କମିଥିବା କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ । କିନ୍ତୁ ଅଗଷ୍ଟ ମାସରେ ଆମକୁ ଆହୁରି ଅଧିକ ସତର୍କ ରହିବାକୁ ପଡ଼ିବ ବୋଲି ସେ ସୂଚାଇ ଦେଇଛନ୍ତି । କରୋନା ସ୍ଥିତି ନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଗଞ୍ଜାମରେ କିଛି ଦିନ ହେବ ପଜିଟିଭ ସଂଖ୍ୟା କମୁଛି ବୋଲି ସେହି ସମ୍ମିଳନୀରେ ସେ ସୂଚନା ଦେଇଛନ୍ତି । କିନ୍ତୁ ଅନ୍ୟ ଜିଲ୍ଲା ଅପେକ୍ଷା ଅଧିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଗଞ୍ଜାମରେ ରହୁଛି । ଘରକୁ ଘର ବୁଲି ସର୍ଭେ କରିବା ଦ୍ୱାରା ପଜିଟିଭ ସଂଖ୍ୟା କମିଛି । ଗଞ୍ଜାମ ଓ ବ୍ରହ୍ମପୁର କୁ ଅନ୍ୟ ଅଞ୍ଚଳର ଲୋକଙ୍କ ପାଇଁ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଲାଗୁ ରହିବ । ଲକଡାଉନ ଯୋଗୁଁ ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ନିୟନ୍ତ୍ରଣରେ ଅଛି । ତେଣୁ ଅଗଷ୍ଟ ୩୧ ଯାଏଁ ଲକଡାଉନ ଜାରି ରହିବ ବୋଲି ଜିଲ୍ଲାପାଳ କହିଛନ୍ତି । ଏହାସହ ନାଇଟ କର୍ଫ୍ୟୁ ଓ ସାପ୍ତାହିକ ଦୁଇଦିନିଆ ଶନିବାର ଓ ରବିବାର ସଟଡାଉନ କଟକଣା ଜାରି ରହିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । କେବଳ ସକାଳ ୭ ଟାରୁ ଅପରାହ୍ନ ୪ଟା ଯାଏଁ ଦୋକାନ ଖୋଲାରହିବ । ସାମାଜିକ ଦୂରତା ନରଖିଲେ ଦୋକାନ ସିଲ୍ କରିବା ସହ ଜୋରିମାନା ଆଦାୟ କରାଯିବ । ଏହାସହ ଦୋକାନୀ ମାସ୍କ ପିନ୍ଧିବା, ସର୍କଲ ଓ ବ୍ୟାରିକେଡ଼ କରିବା ବାଧ୍ୟତାମୂଳକ । ଗ୍ରାହକଙ୍କ କଣ୍ଟାକ୍ଟ ଡ଼ିଟେଲସ ଦୋକାନୀ ରଖିବା ନେଇ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ