ଗଣମାଧ୍ୟମ ସ୍ୱାଧୀନତା
ବିପିନ ବିହାରୀ ମହାନ୍ତି
ଗଣତାନ୍ତ୍ରିକ ଶାସନରେ ବିଶେଷକରି ଭାରତପରି ଗଣତାନ୍ତ୍ରିକ ରାଷ୍ଟ୍ରରେ ଶାସନ ବିକେନ୍ଦ୍ରୀକରଣରେ ତିନୋଟି ବିଭାଗ ଅଛି; ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଏବଂ ନ୍ୟାୟପାଳିକା । ପ୍ରଥମଟିର କାମ ହେଲା ଶାସନ ପାଇଁ ଆଇନ ପ୍ରଣୟନ ଏବଂ ସଂଶୋଧନ ଇତ୍ୟାଦି । ଦ୍ୱିତୟଟି ହେଲା ଏହାକୁ କାର୍ଯ୍ୟକାରୀ କରିବା । ପ୍ରଥମଟି ସଂସଦର ଏବଂ ୨ୟଟି ମନ୍ତ୍ରୀମଣ୍ଡଳର । ଏ ଦୁହେଁ ସମ୍ପର୍କିତ ବା ନିର୍ଭରଶୀଳ । ମାତ୍ର ନ୍ୟାୟ ପାଳିକା ଏ ଦୁଇଟିଯାକ ପ୍ରଭାବରୁ ମୁକ୍ତ । ଏହା ଏକ ସ୍ୱାଧୀନ ଏବଂ ନିରପେକ୍ଷ ଅନୁଷ୍ଠାନ । ଏତିନି ବିଭାଗକୁ ସଂବିଧାନର ତିନୋଟି ସ୍ତମ୍ଭ ବୋଲି କୁହାଯାଏ । ପ୍ରଥମ ଦୁଇଟିର ନିୟନ୍ତ୍ରକ ହେଉଛି ନ୍ୟାୟପାଳିକା । ସେମାନଙ୍କର ଭୁଲ ଭଟକା ବିଚାର କରି ରାୟଦେବା ତାହାର କାମ । ଏହା ରାଜନୈତିକ ପ୍ରଭାବୁମକ୍ତ । କିନ୍ତୁ ଅଧୁନା ଏହା ମଧ୍ୟ ଦୁର୍ନୀତିମୁକ୍ତ ନୁହେଁ ।
ଏ ସମସ୍ତଙ୍କୁ ନିୟନ୍ତ୍ରିତ କରି ଦେଶର ସୁପରିଚାଳନା ଦାୟିତ୍ୱ ତୁଲାଇବାରେ ଆଉ ଏକ ମାଧ୍ୟମ ଅଛି । ତାହାହିଁ ଗଣ ମାଧ୍ୟମ : ଲୋକଙ୍କ ମାଧ୍ୟମ । ଗଣ ମାଧ୍ୟମର କାମ ହେଲା ସଂବାଦ ସଂଗ୍ରହ କରିବା ଏବଂ ତାକୁ ବିତରଣ ବା ପରିବେଷଣ କରେ ଯାହାଫଳରେ କି ଗଣମାନେ ଏହାକୁ ଜାଣିପାରିବେ ଏବଂ ତଦନୁଯାୟୀ ସେମାନଙ୍କର କ୍ରିୟା ବା ପ୍ରତିିକ୍ରିୟା ପ୍ରକାଶ କରିବେ । ଭିନ୍ନ ଭାଷାରେ କହିଲେ : ପ୍ରେସ ବା ଗଣମାଧ୍ୟମ ଏଭଳି ଏକ ବ୍ୟବସ୍ଥା ଯାହା ରାଷ୍ଟ୍ର, ସମାଜ ଓ ବ୍ୟକ୍ତିକୁ ସମ୍ପର୍କିତ ଓ ସମୃଦ୍ଧିତ କରିବ ଏବଂ ଏପରି ଭାବେ ସାମାଜିକ ଓ ରାଷ୍ଟ୍ରୀୟ ବ୍ୟବସ୍ଥା କଥା ବ୍ୟକ୍ତିଗତ ଜୀବନର ବିକାଶ ଓ କଲ୍ୟାଣ ନିମନ୍ତେ ସହାୟକ ହୋଇଥାଏ । ଏହା ବ୍ୟକ୍ତି ବା ସମାଜର ଚିତ୍ର, ଆଶା, ଆକାଙ୍୍କ୍ଷା ଇତ୍ୟାଦି ସମୁହକୁ ଶାସନକଳ ପାଖରେ ପହଞ୍ଚାଏ ଏବଂ ଅନ୍ୟ ପକ୍ଷରେ ସେମାନଙ୍କର ଦୁର୍ନୀତି ଓ ସୁନୀତିକୁ ଲୋକ ଲୋଚନକୁ ଆଣି ଏକ ସୁନିୟନ୍ତ୍ରିତ ଏବଂ ସୁଚାଳିତ ଶାସନ ଓ ସମାଜ ଗଠନରେ ସହାୟକ ହୋଇଥାଏ ।
ଗଣମାଧ୍ୟମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କେବଳ ସତ୍ୟକୁ ଆବିଷ୍କାର କରିବା ଏବଂ ଉକ୍ତ ସତ୍ୟ ଭିନ୍ନ ଅନ୍ୟ କିଛି ପରିବେଷଣ ନକରିବା ତଥା ଏହି ସତ୍ୟ ମାଧ୍ୟମରେ ‘ସାଧୁ ସାବଧାନ’ ବାଣୀ ଶୁଣାଇବା । ସମାଜକୁ ସଜାଡ଼ିବା ତଥା ସମାଜ ଓ ବ୍ୟକ୍ତି ଚରିତ୍ର ସଂଶୋଧନ ଓ ଗଠନ କରିବା ଦିଗରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ ।
ଏହା ଏକ ପୁରାତନ ବ୍ୟବସ୍ଥା ଯାହାର ପ୍ରବର୍ତ୍ତା ଥିଲେ ଦେବର୍ଷି ନାରଦ ଯିଏକି ଅପ୍ରିୟ ସତ୍ୟ ପରିବେଷଣ କରୁଥିଲେ ତିନିଲୋକ : ସ୍ୱର୍ଗ,ମର୍ତ୍ତ୍ୟ ଓ ପାତାଳପୁରୀରେ । ସତ୍ୟ ପରିବେଷଣ କରିବାରେ ସେଥିଲେ ନିର୍ଭୀକ ଓ ନିରପେକ୍ଷ । ସେହିପରି ସତ୍ୟ ସଂଗ୍ରହରେ ଥିଲେ ଦୁଃସାହାସିକ । ସେ ଯୁଗରେ ସେ ଜଣେ, ଯିଏକି ଗଣକୁ ନିୟନ୍ତ୍ରଣ କରୁଥିଲେ ଅଥଚ ଆଜି ‘ଗଣ’ ‘ଗଣ’କୁ ବା ‘ଜଣ’କୁ ନିୟନ୍ତ୍ରଣ କରୁଛି ।
ଏବେ ଯୁଗର ପରିବର୍ତ୍ତନ ତଥା ବିଜ୍ଞାନର ପ୍ରଭାବକ୍ରମେ ଗଣମା୍ମମର ରୂପ ଅନେକ ପ୍ରକାର : ପ୍ରିଣ୍ଟିମିଡ଼ିଆ ଅର୍ଥାତ୍ ସମ୍ବାଦପତ୍ର, ପତ୍ରପତ୍ରିକା, ଇଲୋକଟ୍ରୋନିକ୍ ମିଡ଼ିଆ ଅର୍ଥାତ୍ ଆକାଶବାଣୀ ଦୂରଦର୍ଶନ, ଇଣ୍ଟରନେଟ୍, ୱେବସାଇଟ୍ ଏବଂ ମାସ୍ମିଡ଼ିଆ ଯେମିତି ଯାତ୍ରା, ସିନେମା, ଦାସକାଠିଆ, ପ୍ରାଚୀର ପତ୍ର, ସଭା, ସମିତି… ଇତ୍ୟାଦି ଇତ୍ୟାଦି ।ା
ଏବେ ଗଣମାଧ୍ୟମର ବିଶ୍ୱସନୀୟତା ଏବଂ ସ୍ୱାଧୀନତା ନେଇ ପ୍ରଶ୍ନ ଉଠିଲାଣି? ଏ ମାଧ୍ୟମଗୁଡ଼ିକ ଅନ୍ୟର ଯେମିତି ନିୟନ୍ତ୍ରକ, ଏମାନଙ୍କର କେହି ନିୟନ୍ତ୍ରକ ନାହାଁନ୍ତି ତ? ଗଣମାଧ୍ୟମର ସାଂବାଦିକମାନେ ତଥା ସେମାନଙ୍କର ସଂସ୍ଥା, ନିର୍ଭୀକ, ନିରପେକ୍ଷ ଓ ନିର୍ଲୋଭ ତଥା ନିର୍ଲିପ୍ତ , ନିର୍ବିକାର ଅଟନ୍ତିତ? ସେମାନଙ୍କର ନିଜସ୍ୱ ସ୍ୱାଧୀନତା ଅଛି ନା’ କାହାଦ୍ୱାରା ପରିଚାଳିତ? ସେମାନେ ସବୁରୁ ମୁକ୍ତ, ନା କ୍ରିତ? ସେମାନେ କାହା ପ୍ରତି ଭୟକାରକ ଅଥବା କାହା ପ୍ରତି ଭୟଭୀତ? ଏମିତି ଅନେକ ପ୍ରଶ୍ନ । ସଂକ୍ଷେପରେ କୌଣସି କାରଣରୁ ନିଜ କର୍ତ୍ତବ୍ୟପ୍ରତି ପରାଧୀନ ନା ସ୍ୱାଧୀନ!
ଏ ସଂପର୍କରେ ଏତିକି କୁହାଯାଇପାରେ ଯେ ଏକ ଅଧିକାଂଶ ଗଣମାଧ୍ୟମ କେତେକ ଶାସନର ରାଜଦଣ୍ଡ ଧାରୀଙ୍କ ଦ୍ୱାରା ପରିଚାଳିତ, ଯାହାକୁ ସେମାନେ ନିଜର ସ୍ୱାର୍ଥ ହାସଲପାଇଁ ହାତ ବାରିସି କରିଥାଆନ୍ତି । ଅନେକ କିଛିଟା ଅସତ୍ୟ ପାଇଁ ଚାପଗ୍ରସ୍ତ, କେହି ପ୍ରଲୋଭନର ବଶୀଭୂତ, କେହି ସତ୍ୟପାଇଁ ପ୍ରାଣବଳି ଦେବାକୁ ପଡ଼େ ବୋଲି ଅତ୍ୟନ୍ତ ଭୟଭୀତ । ଜାତୀୟ ଏବଂ ଆନ୍ତର୍ଜାତିକ ସ୍ତରରେ ଦେଖାଯାଇଛି ଯେ ଯେଉଁ ସାଂବାଦିକମାନେ ସ୍ୱାଧୀନଚେତା ଏବଂ କୌଣସି ଚାପର ବଶବର୍ତ୍ତୀ ହୋଇନାହାଁନ୍ତି ଏବଂ କାହାର କାର୍ଯ୍ୟ ହାସଲରେ ଅନ୍ତରାୟ ହୋଇଛନ୍ତି, ସେମାନଙ୍କୁ ସେମାନେ ଗୁଳି ବା ହତ୍ୟାକରି ମାରିଛନ୍ତି ଅଥବା ଅପହରଣ କରି ଚିରଦିନ ନିଖୋଜ ରଖୁଛନ୍ତି । ଏଣୁ ସତ୍ୟଟି ଦିଶୁଥିଲେ ମଧ୍ୟ ତାକୁ ଗଣଙ୍କୁ ଦେଖାଇବାର କେହି ସାହସ କରୁନାହାଁନ୍ତି କାରଣ ସେମାନଙ୍କର ସଂସାର ଅଛି ।
କେତେଜଣ ସ୍ୱାଧୀନଚେତା ସାଂବାଦିକ ବା ଗଣମାଧ୍ୟମ ଅଛନ୍ତି ଯିଏକି ସତ୍ୟପାଇଁ ଗାନ୍ଧିପରି ଗୁଳି ଖାଇବା, ଅଥବା ନିର୍ଯ୍ୟାତିତ କି କାହାପରି ଅତ୍ୟାଚାରିତ ହେବାକୁ ଚାହାନ୍ତି? ଏବେ ଆନ୍ତର୍ଜାତିକ ସ୍ତରରେ ପ୍ରତିବର୍ଷ ମେ’ ୩ ତାରିଖ ବିଶ୍ୱ ଗଣମାଧ୍ୟମ ଦିବସରେ ସ୍ୱାଧୀନଚେତା ସାଂବାଦିକ ଯିଏକି ତାଙ୍କ ବୃତ୍ତିପାଇଁ ନିର୍ଯାତିତ, ଅତ୍ୟାଚାରିତ ଓ ଯନ୍ତ୍ରଣାଗ୍ରସ୍ଥ ଏମିତି ଜଣକୁ ପୁରସ୍କାର ଦିଆଯାଉଛି । ଏହା ଏକ ଏ ବୃତ୍ତି ପାଇଁ ପ୍ରୋତ୍ସାହନ । ତଥାପି କହିବା ଗଣ ମାଧ୍ୟମର ସ୍ୱାଧୀନତା ଅଙ୍କୁଶ ମୁକ୍ତ ନୁହେଁ, କେବେ ନୁହେଁ ।
ଅଧ୍ୟକ୍ଷ, ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର,ଜଟଣୀ, ଦୂରଭାଷ : ୯୯୩୮୩୪୪୧୩୮


