ରୋଜଗାର ଗ୍ୟାରେଣ୍ଟି ଏବଂ ଆଜୀବିକା ମିଶନ ଜିଲ୍ଲା ସ୍ତରୀୟ ସମ୍ମିଳନୀ
ବାଲେଶ୍ୱରରେ ‘ବିକଶିତ ଭାରତ – ରୋଜଗାର ଗ୍ୟାରେଣ୍ଟି ଏବଂ ଆଜୀବିକା ମିଶନ (ଗ୍ରାମୀଣ)’ (VB-G RAM G) ର ଜିଲ୍ଲା ସ୍ତରୀୟ ଜନସମ୍ମିଳନୀ ତଥା ଶୁଭାରମ୍ଭ କାର୍ଯ୍ୟକ୍ରମ ଗତ ୨ ଜୁଲାଇ ତାରିଖରେ ବାଲେଶ୍ୱର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅଧକ୍ଷ ଜିଲ୍ଲା ଯୋଜନା ସମିତି ବାଲେଶ୍ୱର ତଥା ବିଧାୟକ ସିମୁଳିଆ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ, ସଦର ବିଧାୟକ,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ,ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଆଦି ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଅତିଥିମାନେ ତାଙ୍କ ବକ୍ତବ୍ୟରେ VB-G RAM G ଯୋଜନାର ଉଦ୍ଦେଶ୍ୟ, ଗ୍ରାମାଞ୍ଚଳରେ ରୋଜଗାର ସୃଷ୍ଟି, ସ୍ଥାୟୀ ସମ୍ପତ୍ତି ନିର୍ମାଣ, ପ୍ରାକୃତିକ ସମ୍ପଦର ସଂରକ୍ଷଣ, ମହିଳା ସଶକ୍ତିକରଣ ଏବଂ ଗ୍ରାମୀଣ ଜୀବିକାର ବିକାଶ କ୍ଷେତ୍ରରେ ଏହି ଯୋଜନାର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ଜନସାଧାରଣଙ୍କୁ ଯୋଜନାର ସୁବିଧାର ସଦ୍ବ୍ୟବହାର କରିବା ସହ ଗ୍ରାମ ବିକାଶରେ ସକ୍ରିୟ ସହଭାଗିତା ପାଇଁ ଆହ୍ୱାନ ଦେଇଥିଲେ। ଏହି ଜନସମ୍ମିଳନୀ ରେ ପଞ୍ଚାୟତ ପ୍ରତିନିଧି, ବିଭିନ୍ନ ଯୁବ ପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, ବିଭିନ୍ନ ବିଭାଗର ଅଧିକାରୀ, ଏବଂ ବହୁ ସଂଖ୍ୟକ ଜନସାଧାରଣ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଯୋଜନାର ବିଭିନ୍ନ ବୈଶିଷ୍ଟ୍ୟ, କାର୍ଯ୍ୟ ପରିକଳ୍ପନା ଓ କାର୍ଯ୍ୟାନ୍ୱୟନ ପ୍ରକ୍ରିୟା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା। ଏହାପରେ ସଦର ବ୍ଲକର ଓଲଦା ସାରଗାଁ ପଞ୍ଚାୟତରେ ଯୋଜନା ଅଧୀନରେ ଏକ ନୂତନ ବୃକ୍ଷରୋପଣ କାର୍ଯ୍ୟର ଶୁଭାରମ୍ଭ କରାଯାଇଥିଲା। ଏହି ଅବସରରେ ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଏବଂ ସଦର ବ୍ଲକ ଉନ୍ନୟନ ଅଧିକାରୀ (BDO) କାର୍ଯ୍ୟସ୍ଥଳରେ ଚାରାରୋପଣ କରି ପରିବେଶ ସୁରକ୍ଷା ଓ ସବୁଜ ବାଲେଶ୍ୱର ଗଠନ ପାଇଁ ସମସ୍ତଙ୍କୁ ପ୍ରେରିତ କରିଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ VB-G RAM G ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ସହ ଗ୍ରାମାଞ୍ଚଳରେ ରୋଜଗାର ସୃଷ୍ଟି, ପରିବେଶ ସଂରକ୍ଷଣ ଏବଂ ସମନ୍ୱିତ ଗ୍ରାମୀଣ ବିକାଶ ଦିଗରେ ଏକ ନୂତନ ଅଧ୍ୟାୟର ଶୁଭାରମ୍ଭ ହୋଇଛି।


